NCPCR ଟିମ୍ ସଦସ୍ୟଙ୍କ ତନାଘନା ଜାରି

ଭୁବନେଶ୍ୱର : ବଲାଙ୍ଗିର, ବୌଦ୍ଧ, ଝାରସୁଗୁଡ଼ା, ବାଲେଶ୍ୱର, ପୁରୀ ସମେତ ଢେଙ୍କାନାଳ। ଗୋଟିଏ ପରେ ଗୋଟିଏ ଆଶ୍ରମ ଗୃହରେ ପଶି ଜୋରଦାର ଚଢ଼ାଉ କରିଛନ୍ତି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟ। କେଉଁଠି ଗୁଡ୍ ନ୍ୟୁଜ୍‌ ଇଣ୍ଡିଆ ଦ୍ୱାରା ପରିଚାଳିତ ଡ୍ରିମ୍ ହୋମ୍‌ରେ ଚଢ଼ାଉ କରାଯାଇଛି ତ ଆଉ କେଉଁଠି ରାଜ୍ୟ ସରକାରଙ୍କ ଅଧିନରେ ଥିବା ଶିଶୁଗୃହ ଗୁଡ଼ିକରେ ତଦାରଖ କରାଯାଇଛି।

NCPCRର ୨ ଏବଂ OSCPCRର ୨ ଜଣ ସଦସ୍ୟ ଢେଙ୍କାନାଳ ବେଲଟିକିରି ସ୍ଥିତ ଡ୍ରିମ୍ ହୋମ୍‌କୁ ଯାଇ ଆମୂଳଚୂଳ ଖୋଳତାଡ଼ କରିଛନ୍ତି। ଏହାପରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି। କେମିତି ଏବଂ କିଏ ଏହି ଆଶ୍ରମ ଗୃହର ପରିଚାଳନା କରୁଥିଲେ ? ଏଠାରେ ଧର୍ମାନ୍ତକରଣ କରାଯାଉଥିଲା କି ନା ? ଏସବୁର ଟିକିନିଖି ତଥ୍ୟ ସଂଗ୍ରହ କରିଛି NCPCRର ୯ଟି ଟିମ।

ତେବେ ଏହି ତଦନ୍ତ ପ୍ରକ୍ରିୟା ଭିତରେ ଚରମ ଅବହେଳାର ତଥ୍ୟ ପାଇଛି NCPCR ଟିମ୍। ଗୁଡ୍ ନ୍ୟୁଜ୍ ଇଣ୍ଡିଆର ଡ୍ରିମ୍ ହୋମ୍ ହେଉ କିମ୍ବା ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଶିଶୁଗୃହ ଗୁଡ଼ିକ ହେଉ। ସବୁଠି ଶିଶୁ ସୁରକ୍ଷା ସମ୍ପର୍କିତ ଗାଇଡଲାଇନ୍ସକୁ ଉଲଂଘନ କରାଯାଇଥିବା ଅଭିଯୋଗ କରିଛନ୍ତି NCPCR ଟିମ୍ ସଦସ୍ୟ ୟଶୱନ୍ତ ଜୈନ।

ସେଲଟର୍ ହୋମ୍ ଗୁଡ଼ିକରେ ଶିଶୁ ସୁରକ୍ଷା ନେଇ ରାଜ୍ୟ ସରକାରଙ୍କୁ ବର୍ଷକ ତଳେ ଗାଇଡଲାଇନ୍ ପ୍ରଦାନ କରାଯାଇଥିଲେ ବି ପାଳନ କରାଯାଇନଥିବା ସେ କହିଛନ୍ତି । ସଂପୃକ୍ତ ସେଲ୍‌ଟର୍ ହୋମ୍‌ଗୁଡ଼ିକ କାହାଦ୍ୱାରା ଚାଲିଛି, କେଉଁଠି ଚାଲିଛି ସେ ନେଇ ନିର୍ଦ୍ଦିଷ୍ଟ ତଥ୍ୟ ରାଜ୍ୟ ସରକାରଙ୍କ ପାଖରେ ନଥିବା ଅଭିଯୋଗ କରିଛନ୍ତି ଟିମ୍ ସଦସ୍ୟ। ଆସନ୍ତା ୨ ମାସ ମଧ୍ୟରେ ସମସ୍ତ ସେଲ୍‌ଟର୍ ହୋମ୍‌ଗୁଡ଼ିକରେ ଶିଶୁ ସୁରକ୍ଷା ସମ୍ପର୍କିତ ଗାଇଡ଼ଲାଇନସ ଅନୁଯାୟୀ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଢେଙ୍କାନାଳ ବେଲଟିକିରି ସ୍ଥିତ ଗୁଡ଼୍ ନ୍ୟୁଜ୍ ଇଣ୍ଡିଆ ଦ୍ୱାରା ପରିଚାଳିତ ସେଲ୍‌ଟର୍ ହୋମ୍‌ରେ ଅନ୍ତେବାସୀଙ୍କୁ ନିର୍ଯାତନା ଖବର ପରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାନେକା ଗାନ୍ଧୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଗୁରୁତର ଆପତ୍ତି ଉଠାଇଥିଲେ। ତା ସହ ଓଡ଼ିଶାର ସମସ୍ତ ସେଲ୍‌ଟର୍ ହୋମ ପରିଦର୍ଶନ ପାଇଁ ଏନ୍‌ସିପିସିଆର୍‌କୁ ସେ ସୁପାରିଶ କରିଥିଲେ।

You might also like