୪ ମାସର ଗର୍ଭବତୀ, ତଥାପି ଏଭଳି ବିପତ୍ତି ବେଳେ ଘର ଘର ବୁଲି ଲୋକଙ୍କୁ କରୁଛନ୍ତି ସଚେତନ..

ରାୟଗଡ଼ା: ମହାମାରୀ କରୋନା ସମୟରେ ସାମ୍ନାକୁ ଆସୁଛନ୍ତି ଅନେକ ଯୋଦ୍ଧା । ସମ୍ମୁଖ ଯୁଦ୍ଧରେ ସାମିଲ ଥିବା ସେହି ଯୋଦ୍ଧାଙ୍କ ଭିତରେ ଅଛନ୍ତି ଆଶା ଓ ଅଙ୍ଗନଓ୍ୱାଡ଼ି କର୍ମୀ । ଏହି ଅସମୟରେ ନିଜ ଜୀବନକୁ ବାଜି ଲଗାଇ ମହାମାରୀ ବିରୋଧରେ ସେମାନେ ଅନବରତ ଲଢେଇ ଜାରି ରଖିଛନ୍ତି ।

ବାହାର ଲୋକଙ୍କୁ ଗାଁ ଭିତରେ ପଶିବା ମନା । ବନ୍ଧୁ ବାନ୍ଧବଙ୍କ ପାଇଁ ବି ରାସ୍ତା ବନ୍ଦ । ରାୟଗଡ଼ା ଜିଲ୍ଲା ଜାଙ୍ଗିଡ଼ି ଗାଁରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଦୃଶ୍ୟ ଦେଖିଲେ ଲାଗିବ ସ୍ଥାନୀୟ ପ୍ରଶାସନ ଏଠି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି । କିନ୍ତୁ ନା, ଏହା ସ୍ଥାନୀୟ ପ୍ରଶାସନ ଦ୍ୱାରା ନୁହେଁ ବରଂ ଗାଁ ଲୋକଙ୍କ ଦ୍ୱାରା ଏହି ନିୟମ କରାଯାଇଛି । ଗାଁ ମୁଣ୍ଡ ରାସ୍ତାରେ ବାଡ଼ ପକାଇ କରୋନାକୁ ପୁରାଇ ନଦେବାର ଶପଥ ନେଇଛନ୍ତି ଏ ଗାଁର ଆଶା, ଅଙ୍ଗନଓ୍ୱାଡ଼ି କର୍ମୀ ଓ ଓ୍ୱାର୍ଡସଭ୍ୟ । ଖାଲି ସେତିକି ନୁହେଁ, ଲୋକେ ଯେଭଳି ସଚେତନ ହେବେ, ସେଥିପାଇଁ ଲାଗିଛି ଭଳିକି ଭଳି ପୋଷ୍ଟର । ଯଦି ବି କେହିଁ ଗାଁରୁ ଜରୁରୀ କାମରେ ବାହାରକୁ ଗଲେ, ଫେରିବା ବେଳକୁ ଯେପରି ପରିଷ୍କାର-ପରିଚ୍ଛନ୍ନତା ରକ୍ଷା କରିବେ, ସେଥିପାଇଁ ପାଣି, ସାବୁନ୍ ଓ ସାନିଟାଇଜର ସବୁ ମହଜୁଦ ରଖିଛନ୍ତି । ଗାଁର ପ୍ରବେଶ ପଥରେ ଉପସ୍ଥିତ ରହି ଲୋକଙ୍କ ହାତ ଧୋଇବାଠୁ ସାନିଟାଇଜର ଲଗାଇବା ଯାଏଁ ସବୁ କାମ ତୁଲାଇ ନେଉଛନ୍ତି ଏଇ ୩ ସମ୍ମୁଖ ଯୋଦ୍ଧା ।

ରାଜ୍ୟର ଗ୍ରାମାଞ୍ଚଳରେ ଏବେ କରୋନା ସର୍ଭେ ଓ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚର ଗୁରୁଦାୟିତ୍ୱ ନେଇଛନ୍ତି ଆଶା ଓ ଅଙ୍ଗନବାଡ଼ି କର୍ମୀ । ଏଭଳି କଠିନ ସମୟରେ ସକାଳୁ ସଞ୍ଜ ଯାଏଁ ବାହାରେ ବୁଲି ବୁଲି କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି ଗଞ୍ଜାମ ହରିଡ଼ାଖଣ୍ଡି ଅଞ୍ଚଳର ଆଶା କର୍ମୀ ଗେଲାମଣି ସାହୁ । ଗେଲାମଣି ଏବେ ୪ ମାସର ଗର୍ଭବତୀ, ତଥାପି ବର୍ତ୍ତମାନର ଚ୍ୟାଲେଞ୍ଜକୁ ଗ୍ରହଣ କରିବାରେ ପଛଘୁଞ୍ଚା ଦେଇ ନାହାନ୍ତି । ଅନ୍ୟ ସହକର୍ମୀଙ୍କ ଭଳି ସେ ବି ଘର ଘର ବୁଲି ଲୋକଙ୍କୁ ସଚେତନ କରିବା ଓ ସର୍ଭେ କାର୍ଯ୍ୟରେ ବେଶ୍ ଆଗୁଆ ।

ନିଜ ଅସୁବିଧା ସମୟରେ ବି ଥକି ଯାଇନି ତାଙ୍କ ହାତ କି ପାଦ । ସେହିଭଳି ଜିଲ୍ଲାର କୁକୁଡ଼ାଖଣ୍ଡି ଅଞ୍ଚଳର ଆଶାକର୍ମୀ ରାଜେଶ୍ୱରୀ ବେହେରା ବି ଏବେ ୭ ମାସର ଗର୍ଭବତୀ । ଏଭଳି ସମୟରେ ନିଜେ ସଚେତନ ରହି ଲୋକଙ୍କୁ ସଚେତନ କରାଇବାର ବୋଝକୁ ବି ବେଶ୍ ସଫଳତାର ସହ ତୁଲାଇ ନେଉଛନ୍ତି ଗେଲାମଣି ।

You might also like