ନିଜେ ସେ ଗର୍ଭବତୀ, ତଥାପି କରୋନା କାଳରେ ମେଡିକାଲ ଆସି ନବଜାତକଙ୍କ ଯତ୍ନ ନେଉଛନ୍ତି

ମାନବ ସେବା ହିଁ ମାଧବ ସେବା । ଏହି ଉକ୍ତିକୁ ହୃଦବୋଧ କରି କରୋନା କଷ୍ଟବେଳେ ମଣିଷଙ୍କ ସେବା କରିଚାଲିଛନ୍ତି ଅନେକ ବ୍ୟକ୍ତି ବିଶେଷଠୁ ଆରମ୍ଭ କରି ନାନା ଅନୁଷ୍ଠାନ । ସେମାନଙ୍କ ଭିତରୁ ଆଜି ଆମେ ଦୁଇ ଦମ୍ପତିଙ୍କ ସେବା ଆଉ ସମର୍ପଣର କଥା କହୁଛୁ । କିଏ ଗର୍ଭାବସ୍ଥାରେ ରୋଗୀ ସେବା କରୁଛନ୍ତି ତ ଆଉ କିଏ ନିଜ ହାତରେ ପ୍ରସ୍ତୁତ ରନ୍ଧା ଖାଦ୍ୟ ପରଷି କରୋନା ରୋଗୀ ଓ ଅସହାୟଙ୍କ ପାଇଁ ସାଜିଛନ୍ତି ତ୍ରାଣକର୍ତ୍ତା ।

ତେବେ ମାଡ଼ି ଚାଲିଥିବା ମହାମାରୀର ମହାସମୁଦ୍ର ଭିତରେ ଭାଙ୍ଗୁଛି ମୃତ୍ୟୁର ଲହଡ଼ି । ବିଶ୍ୱବ୍ୟାପି କାୟା ମେଲାଇଥିବା ଅଦୃଶ୍ୟ ଭୂତାଣୁ ସତେ ଯେମିତି ଭିଡ଼ି ନେଉଛି ଆଖି ପିଛୁଳାକେ । ଆଉ ମେଡ଼ିକାଲ୍ ଭିତରେ ଜାରି ରହିଥିବା ଜୀବନ-ମରଣର ଯୁଦ୍ଧ ଭିତରେ ଜଣେ ଜଣେ ଦୁର୍ଦ୍ଦଷ ସେନା ସାଜିଛନ୍ତି ଏମାନେ । ତା‘ମଧ୍ୟରେ ଜଣେ ହେଉଛନ୍ତି ଶ୍ରଦ୍ଧାଞ୍ଜଳି ମହାନନ୍ଦ । ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ SNCUର ଷ୍ଟାଫନର୍ସ । ନବଜାତଙ୍କ ଅନବରତ ସେବା କରିଆସୁଛନ୍ତି, କରୋନା ଦାଉରୁ ସେମାନଙ୍କ ସୁରକ୍ଷା ପାଇଁ ଅହରହ ଲଢ଼େଇ କରୁଛନ୍ତି । ବଡ଼କଥା ହେଉଛି, ସେ ନିଜେ ୪ ମାସର ଗର୍ଭବତୀ । ତଥାପି ପରବାୟ ନାହିଁ ତାଙ୍କର । ଚାହିଁଥିଲେ ସରକାରୀ ଛୁଟି ମିଳିଥାନ୍ତା ତାଙ୍କୁ । କିନ୍ତୁ କର୍ତ୍ତବ୍ୟର ଆହ୍ୱାନରେ ସେ କେମିତି ବା ଘରେ ରହିଥାନ୍ତେ । କାରଣ ସେ ଜାଣିଛନ୍ତି ମାନବ ସେବା ହିଁ ମାଧବ ସେବା ।

ଶ୍ରଦ୍ଧାଞ୍ଜଳିଙ୍କ ଏଭଳି ଅବସ୍ଥାରେ ପାଖରେ ନା ସ୍ୱାମୀ ରହୁଛନ୍ତି ନା ଅନ୍ୟ କେହି ପରିବାର ସଦସ୍ୟ । ସ୍ୱାମୀ ନବରଙ୍ଗପୁର କୋଭିଡ୍ ହସ୍ପିଟାଲରେ କମ୍ୟୁନିଟି ହେଲ୍ଥ ଅଫିସର ଭାବେ କାର୍ଯ୍ୟରତ । ଉଭୟେ ରୋଗୀ ସେବାରେ ନିୟୋଜିତ ଥିବାରୁ ସଂକ୍ରମଣ ଭୟରେ ଗର୍ଭଧାରଣ ପରଠୁ ପତି-ପତ୍ନୀ ଅଲଗା ରହୁଛନ୍ତି । କେବଳ ଯାହା ସମୟ ମିଳିଲେ ଫୋନରେ କଥାବାର୍ତ୍ତା । ବାପା, ମା ହେବାର ଖୁସି ତ ଅଛି ନିଶ୍ଚୟ, ତଥାପି ମନରେ ଭୟ ରହୁଥିଲେ ବି ବର୍ତ୍ତମାନର ସ୍ଥିତିରେ ରୋଗୀ ସେବାକୁ ପ୍ରାଥମିକତା ଦେଇଛନ୍ତି ଏହି ଦମ୍ପତି ।

ସେହିଭଳି ଆଉ ଏକ ଦମ୍ପତି ହେଉଛନ୍ତି ଭଦ୍ରକ ଅଞ୍ଚଳର । କରୋନା ବିରୋଧରେ ଜାରି ରହିଥିବା ଯୁଦ୍ଧ ଭିତରେ ଭଦ୍ରକ ସହରର ଏହି ଦମ୍ପତ୍ତି ବି ହେଉଛନ୍ତି ଅନନ୍ୟ । ହୋମ୍ ଆଇସୋଲେସନରେ ଥିବା ସଂକ୍ରମିତ ଓ ବରିଷ୍ଠ ନାଗରିକଙ୍କ ପାଇଁ ସତେଯେମିତି ଏମାନେ ପାଲଟିଛନ୍ତି ଦେବଦୂତ । କାରଣ ସଙ୍କଟ ସମୟରେ ଖାଦ୍ୟ ପରଷୁଛନ୍ତି ମାଗଣାରେ । ବ୍ରେକଫାଷ୍ଟ, ଲଞ୍ଚ, ଡିନର୍ । ଏସବୁକୁ ନିଜ ହାତରେ ପ୍ରସ୍ତୁତ କରି ଖାଇବା ଯୋଗାଇ ଆସୁଛନ୍ତି ପତ୍ନୀ ମୀରା ଖେମକା ଏବଂ ସ୍ୱାମୀ ବିକ୍ରମ ଖେମକା । କେବଳ କରୋନା ସଂକ୍ରମିତ କିମ୍ବା ବରିଷ୍ଠ ନାଗରିକ ନୁହଁନ୍ତି, ଅସହାୟ ମଣିଷଙ୍କ ସହ ବୁଲା ଗାଈଗୋାରୁଙ୍କ ମୁହଁରେ ବି ଦିମୁଠା ଦାନା ଦେଇ ବେଶ୍ ଆତ୍ମତୃପ୍ତି ଲାଭ କରୁଛନ୍ତି ଖମକା ଦମ୍ପତି ।

You might also like