ପୁରୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସ୍ଥାଣୁତା ଆସିଥିବା ଶ୍ରୀମନ୍ଦିର ସଂସ୍କାର ପାଇଁ ଅଣ୍ଟା ଭିଡ଼ିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ। ଆସନ୍ତା ୧୭ ତାରିଖରେ ଏ ପ୍ରସଙ୍ଗରେ ଗୋବର୍ଦ୍ଧନ ମଠରେ ଆଲୋଚନା ପାଇଁ ବୈଠକ ଡାକିଛନ୍ତି।
ଗଜପତି ମହାରାଜା ଦିବ୍ୟସିଂହଦେବ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କୁ ବୈଠକକୁ ଡାକିଛନ୍ତି ଶଙ୍କରାଚାର୍ଯ୍ୟ। ଏହାସହ ଶ୍ରୀମନ୍ଦିର ପରିଚାଳନା କମିଟିକୁ ମଧ୍ୟ ଆଲୋଚନା ପାଇଁ ଡାକା ଯାଇଥିବା ଗୋବର୍ଦ୍ଧନ ମଠର ମୁଖପାତ୍ର ମନୋଜ ରଥ କହିଛନ୍ତି।
ସକାଳ ୯ଟାରୁ ଏହି ବୈଠକ ଆରମ୍ଭ ହେବ ବୋଲି କୁହାଯାଇଛି।
କିଛିବର୍ଷ ହେଲା ଶ୍ରୀମନ୍ଦିରରେ ଦେଖାଦେଇଥିବା ବିଶୃଙ୍ଖଳା, ନିଳାଦ୍ରୀ ବିଜେ ସମୟରେ ହୋଇଥିବା ଅଭାବନୀୟ ଘଟଣା, ବ୍ରହ୍ମବିଭ୍ରାଟ, ରତ୍ନ ଭଣ୍ଡାର ଖୋଲାଯିବା ଏବଂ ମୁଖ୍ୟ ଚାବି ହଜିବା, ଗର୍ଭଗୃହରେ ଦର୍ଶନ ବନ୍ଦ ଭଳି ଘଟଣା ସମ୍ପର୍କରେ ଆଲୋଚନା ହେବ। ଏହାସହ ବୈଠକ ସମ୍ପର୍କରେ ଆମିକସ କ୍ୟୁରୀଙ୍କୁ ବି ସୂଚନା ଦିଆଯାଇଛି।