ଭୁବନେଶ୍ୱର: ରାଜ୍ୟର ୯ଟି ଜିଲ୍ଲାରେ କୁହୁଡ଼ି ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ୯ ଜିଲ୍ଲା ହେଲା- ଭଦ୍ରକ, ଯାଜପୁର, ଜଗତସିଂହପୁର, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ନୟାଗଡ଼ ଓ କେନ୍ଦ୍ରାପଡ଼ା। ଆଜି ରାତିଠୁ କାଲି ସକାଳ ୮ଟା ୩୦ ପର୍ଯ୍ୟନ୍ତ ସତର୍କ ରହିବାକୁ ଏହିସବୁ ଜିଲ୍ଲାବାସୀଙ୍କୁ ପରାମର୍ଶ ଦିଆଯାଇଛି।
ଆଜି ରାଜଧାନୀ ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ଅନ୍ୟ କିଛି ଅଞ୍ଚଳରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଥିଲା। ଘନ କୁହୁଡ଼ି ଯୋଗୁ ଯାତାୟାତ ବାଧାପାପ୍ତ ହୋଇଥିଲା। ତେବେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। କିଛି ସ୍ଥାନରେ ସ୍ୱାଭାବିକ ଠାରୁ ତାପମାତ୍ରା ଅଧିକ ରହିବାର ସମ୍ଭାବନା ରହିଛି।
ଗତକାଲି ଭୁବନେଶ୍ୱର ଦେଶର ସବୁଠୁ ଉତ୍ତପ୍ତ ସହର ଥିଲା। ସାରା ଦେଶରେ ସବୁଠୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଥିଲା ଭୁବନେଶ୍ୱରରେ। ଭୁବନେଶ୍ୱରରେ ଗତକାଲି ସର୍ବୋଚ୍ଚ ତାପମାତ୍ରା ୪୦.୪ ଡିଗ୍ରୀ ସେଲସିୟସ ଥିଲା ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ତାଳଚେର ଓ ମାଲକାନଗିରିରେ ତାପମାତ୍ରା ୩୮ ଡିିଗ୍ରୀ ଉପରେ ରେକର୍ଡ କରାଯାଇଥିଲା।