ସେଲଟର୍ ହୋମ୍‌ରେ ଚାଲିଥିବା ନିର୍ଯାତନା ନେଇ ଗୁମର ଖୋଲିଲା ଇ-ମେଲ୍

ଢେଙ୍କାନାଳ : ସେଲଟର୍ ହୋମ୍‌ରେ ଚାଲିଥିବା ନିର୍ଯାତନା ନେଇ ଗୁମର ଖୋଲିଲା ଇ-ମେଲ୍। ସେଲ୍‌ଟର୍ ହୋମ୍‌ରେ ନିର୍ଯାତନା ସମ୍ପର୍କିତ ଖବର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ଗତମାସ ୨୪ ତାରିଖରେ ଗୁଡ୍ ନ୍ୟୁଜ୍ ଇଣ୍ଡିଅା ସେଲଟର ହୋମ୍ ପରିଚାଳନା କମିଟି ପକ୍ଷରୁ ପ୍ରମୋଦ ରାଉଳ ବିଭିନ୍ନ ନିର୍ଦ୍ଦେଶକମାନଙ୍କୁ ଚିଠି ଲେଖିଥିଲେ। ଏଥିରେ ସେଲଟର ହୋମର ସମସ୍ତ କାଗଜପତ୍ର ଅପଡେଟ୍‌ କରିବାକୁ ପରାମର୍ଶ ଦିଅାଯାଇଥିଲା।

ଏହାସହ ସେଲଟର ହୋମ୍‌ରେ ଦିଅାଯାଉଥିବା ସମସ୍ତ ସୁବିଧା ଅନ୍ତେବାସୀଙ୍କୁ ଅବଗତ କରାଇବାକୁ କୁହାଯାଇଥିଲା। କେବଳ ଏତିକି ନୁହେଁ, ପଚରାଉଚରା ବେଳେ ସଂଗଠନ ସଂପର୍କରେ ଭୁଲ ବାର୍ତ୍ତା ଯେପରି ନ ଯାଏ, ସେନେଇ ପ୍ରସ୍ତୁତ ରହିବାକୁ କୁହାଯାଇଥିଲା। ବିଶେଷକରି ରାୟଗଡ଼ା ଓ କନ୍ଧମାଳ ସେଲଟର ହୋମ୍ ସଂପର୍କରେ ଅନ୍ତେବାସୀ ଯେପରି ମୁହଁ ନ ଖୋଲନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ପ୍ରମୋଦ ଚିଠିରେ ଉଲ୍ଲେଖ କରିଥିଲେ।

ସେପଟେ ଢେଙ୍କାନାଳ ଉପ-ଜିଲ୍ଲାପାଳ ପୀତାମ୍ବର ସାମଲ ସେଲଟର ହୋମ୍‌ରେ ପହଞ୍ଚି ଅନ୍ତେବାସୀଙ୍କୁ ପଚରାଉଚରା କରିଛନ୍ତି। ଅନ୍ୟପକ୍ଷରେ ସେଲଟର ହୋମ୍ ଇନଚାର୍ଜ ସୀମାଞ୍ଚଳ ନାୟକଙ୍କୁ ପୁଲିସ ଗିରଫ କରିଛି। ଅନ୍ୟପଟେ ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା ବୋଲି ସେଲଟର୍ ହୋମ୍‌ର ମୁଖ୍ୟ ଫୟଜ ରେହମାନ କହିଛନ୍ତି। ସୀମାଞ୍ଚଳଙ୍କ ପତ୍ନୀ ମଧ୍ୟ ତାଙ୍କ ସ୍ୱାମୀଙ୍କୁ ଫସାଇ ଦିଅାଯାଇଥିବା କହିଛନ୍ତି।

ତେବେ ସେଲଟର ହୋମ୍‌ ଚାଲିଥିବା ନିର୍ଯାତନା ସମ୍ପର୍କରେ ମୁହଁ ଖୋଲିଛନ୍ତି ରୋଷେୟା ପୀତବାସ ଦିଗାଲ। ସେଲଟର୍ ହୋମ୍‌କୁ ଅାସୁଥିବା ବିଦେଶୀମାନେ ଅନ୍ତେବାସୀଙ୍କୁ ଖରାପ ବ୍ୟବହାର କରିଥାନ୍ତି। ସେହିପରି ସେଲଟର ହୋମ୍‌ର ମୁଖ୍ୟ ଫୈଜ ରେହମାନ ଯାହାଙ୍କୁ ଅନ୍ତେବାସୀ ମାନେ ଡାଡି ବୋଲି ଡାକନ୍ତି ସେ ଅାସିଲେ, ବଡ଼ ଝିଅଙ୍କ ସହ ଦୁର୍ବ୍ୟବହାର କରନ୍ତି ବୋଲି ଦିଗଲ ଅଭିଯୋଗ କରିଛନ୍ତି।

ସେ ସୀମାଞ୍ଚଳ ନାୟକକଙ୍କୁ ନିର୍ଦ୍ଦୋଷ ବୋଲି କହିଛନ୍ତି। ତାଙ୍କର ଦୁଇ ବର୍ଷର ରହଣି ଭିତରେ ସୀମାଞ୍ଚଳଙ୍କ ଏଭଳି କାର୍ଯ୍ୟକଳାପ କେବେ ବି ଦେଖିନାହାନ୍ତି , କି ସୀମାଞ୍ଚଳଙ୍କ ବିରୋଧରେ କେବେ ବି ଏଭଳି ଅଭିଯୋଗ ଅାସିନାହିଁ।

You might also like