ଆନ୍ଧ୍ର ଟ୍ରଲରରୁ ବିରଳ ସାର୍କ ମାଛ ଉଦ୍ଧାର ଘଟଣାରେ ତନାଘନା ଆରମ୍ଭ

ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଏକ ଟ୍ରଲରରୁ ଜବତ ବିରଳ ପ୍ରଜାତିର ସାର୍କ ମାଛକୁ ନେଇ ତନାଘନା ଆରମ୍ଭ ହୋଇଛି। ଏହି ମାଛକୁ ରପ୍ତାନୀ କରିବା ପଛରେ କ’ଣ କାରଣ ରହିଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପାରାଦୀପରେ ଥିବା ତଟରକ୍ଷୀବାହିନୀ DIG ରାଜେଶ ମାକଓ୍ୱାନା କହିଛନ୍ତି।

ଗତକାଲି ଗହୀରମଥା ଅଭୟାରଣ୍ୟରେ ତଟରକ୍ଷୀବାହିନୀ ପକ୍ଷରୁ ପାଟ୍ରୋଲିଂ ବେଳେ ଆନ୍ଧ୍ରପ୍ରଦେଶର ଏକ ଟ୍ରଲରକୁ ଜବତ କରାଯାଇଥିଲା।  ଟ୍ରଲର ତନଖି ବେଳେ ସେଥିରୁ ୧୭୫ଟି ବିରଳ ସାର୍କ ଜାତୀୟ ମାଛ ଜବତ କରାଯାଇଛି।

ଜବତ ମାଛର ଓଜନ ପାଖାପାଖି ୭୦ କୁଇଣ୍ଟାଲ। ଆନ୍ତର୍ଜାତିକ ସ୍ତରରେ ଏହି ପ୍ରଜାତିର ମାଛ ମାରିବା ଉପରେ କଟକଣା ରହିଛି। କୋଷ୍ଟଗାର୍ଡ ପକ୍ଷରୁ ଟ୍ରଲରକୁ ଜବତ କରିବା ପରେ ବନବିଭାଗକୁ ହସ୍ତାନ୍ତର କରାଯାଇଛି।

ସେପଟେ ବେଆଇନ ସାର୍କ ଶିକାର କରିଥିବା ୭ଜଣ ମତ୍ସଜୀବୀଙ୍କ ଜାମିନ ନାମଞ୍ଜୁର ହେବା ପରେ ଜେଲକୁ ପଠାଇ ଦିଆଯାଇଛି।

 

 

You might also like