ପୁରୀରେ ଏୟାରପୋର୍ଟ ପାଇଁ ଦାବି, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ
ପୁରୀ: ଆଧ୍ୟାତ୍ମିକ ଓ ପର୍ଯ୍ୟଟନ କ୍ଷେତ୍ର ପୁରୀରେ ଏୟାରପୋର୍ଟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖି ଜଣାଇଛନ୍ତି। ନୂଆବର୍ଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଭିନନ୍ଦନ ଜଣାଇବା ସହ ମହାପ୍ରଭୁ ଜଗନ୍ନାଥଙ୍କ ନାଁରେ ପୁରୀରେ ଏକ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଚିଠି ଲେଖି ଦାବି କରିଛନ୍ତି।
ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ସୁବିଧା ପାଇଁ ଏୟାରପୋର୍ଟ ଜରୁରୀ ଥିବା ଦାବି କରିଛନ୍ତି ନବୀନ। ପୁରୀ ଏବଂ ଏହାର ଆଖପାଖ ପର୍ଯ୍ୟଟନ କ୍ଷେତ୍ର ଯେପରିକି କୋଣାର୍କ, ରାମଚଣ୍ଡୀ ଓ ଚନ୍ଦ୍ରଭାଗା ପର୍ଯ୍ୟଟନସ୍ଥଳୀ ଦୃଷ୍ଟିରୁ ଏୟାରପୋର୍ଟର ଆବଶ୍ୟକତା ରହିଛି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ।
ଏହାସହ ରାଜ୍ୟ ସରକାର ଏୟାରପୋର୍ଟ ପାଇଁ ଜମି ଚିହ୍ନଟ କରିଥିବା ବି ଜଣାଇଛନ୍ତି ନବୀନ। ଏପରିକି ଏୟାରପୋର୍ଟ ପାଇଁ ରାଜ୍ୟ ସମସ୍ତ ପ୍ରକାର ସହଯୋଗ କରିବ ବୋଲି ବି ମୁଖ୍ୟମନ୍ତ୍ରୀ କହିଛନ୍ତି।
ନୂଆବର୍ଷରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହାପ୍ରଭୁଙ୍କ କୃପାରୁ ୨୦୨୧ ସୁଖ, ସମୃଦ୍ଧି ଓ ପ୍ରଗତିର ବର୍ଷ ହେଉ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି।
ନୂତନ ବର୍ଷରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁଙ୍କ କୃପାରୁ ବର୍ଷ ୨୦୨୧ ସମସ୍ତଙ୍କ ପାଇଁ ସୁଖ, ସମୃଦ୍ଧି ଓ ପ୍ରଗତିର ବର୍ଷ ହେଉ।
Wish all of you a very #HappyNewYear and wish everyone’s lives are filled with hope, peace and prosperity in the new year of 2021.#JaiJagannatha pic.twitter.com/AeoTp3Zncv— Naveen Patnaik (@Naveen_Odisha) January 1, 2021
ସେହିପରି ଦେଶବାସୀଙ୍କୁ ନବବର୍ଷର ଅନେକ ଅନେକ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ୍ କରି ଲେଖିଛନ୍ତି, ସମସ୍ତଙ୍କୁ ନୂଆବର୍ଷର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ନୂଆ ବର୍ଷ ଏକ ନୂଆ ଆରମ୍ଭ କରିବାର ସୁଯୋଗ ହୋଇଥାଏ ଏବଂ ବ୍ୟକ୍ତିଗତ ଓ ସାମୁହିକ ବିକାଶର ସଂକଳ୍ପକୁ ଶକ୍ତି ଦେଇଥାଏ।