ଆଇପିଏସ୍‌ ସମ୍ମିଳନୀରେ ପ୍ରସ୍ତୁତ ହେଲା ଷ୍ଟ୍ରାଟେଜି

ନିର୍ବାଚନ ପରିଚାଳନା ଓ ମାଓ ଦମନ ମୂଳଲକ୍ଷ୍ୟ  

ଭୁବନେଶ୍ୱର: ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ଆଇପିଏସ୍ ସମ୍ମିଳନୀର ପ୍ରଥମ ଦିନରେ ଫୋକସ୍‌ରେ ଥିଲା ସାଧାରଣ ନିର୍ବାଚନ ପରିଚାଳନା ଓ ମାଓ ଦମନ ରଣନୀତି। ତା’ସହ ଆଇନଶୃଙ୍ଖଳା ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେଇଥିଲେ ପୁଲିସ୍ ଡିଜି। ୩ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ସାଇବର୍ କ୍ରାଇମ୍ ଓ ସୋସିଆଲ୍ ମିଡିଆ ମନିଟରିଂ ଉପରେ ବି ଆଲୋଚନା ହେବ।

ମୁଣ୍ଡ ଉପରେ ୧୯ ନିର୍ବାଚନ ଥିବାରୁ ଏହା କେମିତି ସୁରୁଖୁରୁ ପରିଳାଚନା ହେବ, ତାହା ଏବେ ପୁଲିସ୍ ପାଇଁ ବଡ଼ ଚ୍ୟାଲେଞ୍ଜ୍ ହୋଇଛି। ନିର୍ବାଚନ ସମୟରେ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ ଭାବେ କାର୍ଯ୍ୟ କରିବାକୁ ପୁଲିସ୍ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା।

ଆଜିଠାରୁ ଆରମ୍ଭ ହୋଇଥିବା ବାର୍ଷିକ ଆଇପିଏସ୍ ସମ୍ମିଳନୀରେ ମାଓ ଦମନ ରଣନୀତି ପ୍ରସ୍ତୁତ ହୋଇଥିଲା। ଗୁଇନ୍ଦା ସୂଚନା ଆଦାନ ପ୍ରଦାନ, ପଡ଼ୋଶୀ ରାଜ୍ୟ ସହ ସମନ୍ୱୟ ରଖି ଅପରେସନ୍ ଓ ଫୋର୍ସ ମୁତୟନ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। ଏଥିସହ ଗୁଣାତ୍ମକ ତଦନ୍ତ  ଏବଂ ଦଣ୍ଡବିଧାନ ହାର ବଢ଼ାଇବା ପାଇଁ ଫୋରେନ୍‌ସିକ୍ ତଦନ୍ତର ଅଧିକ ବ୍ୟବହାର ପାଇଁ ପରାମର୍ଶ ଦିଆଯାଇଛି।

ସମ୍ମିଳନୀର ପ୍ରଥମ ଦିନରେ ଆଇନଶୃଙ୍ଖଳା, ଗଣବିକ୍ଷୋଭ ଓ ଆନ୍ଦୋଳନ ବେଳେ ଫୋର୍ସର ସଠିକ୍ ପରିଚାଳନା ଏବଂ ରାଜ୍ୟର ଅପରାଧ ସ୍ଥିତି ପ୍ରସଙ୍ଗରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି। ସେହିପରି ଆଗକୁ ସାଇବର୍ କ୍ରାଇମ୍, ସୋସିଆଲ୍ ମିଡିଆ ମନିଟରିଂ ସେଲ୍ ,ସଡ଼କ ସୁରକ୍ଷା ଉପରେ ଆଲୋଚନା ହେବ। ଏହାଛଡ଼ା ପୁଲିସ୍ ବିଭାଗର ସମସ୍ୟା, ନୂଆ ଚ୍ୟାଲୋଞ୍ଜ ଏବଂ ତାର ସମାଧାନ ଦିଗରେ ରଣନୀତି ପ୍ରସ୍ତୁତ ହେବ।  ଭୁବନେଶ୍ୱର ହକି ଓ୍ୱାର୍ଲଡ କପ୍ ସମୟରେ ସଫଳ ସୁରକ୍ଷା ବନ୍ଦୋବସ୍ତ ସଂପର୍କରେ ପୁଲିସ୍ କମିଶନର ସୂଚନା ଦେଇଥିଲେ।

ପୁଲିସ୍ ଡିଜି ଯୁବ ଆଇପିଏସ୍‌ ଅଧିକାରୀଙ୍କୁ ପ୍ରଶଂସା କରିବା ସହ ଭଲ କାମ କଲେ ବଡ଼ ଦାୟିତ୍ୱ ମିଳିବ ବୋଲି କହିଥିଲେ। ତିନିଦିନ ଧରି ଚାଲିବାକୁ ଥିବା ଏହି ବୈଠକର ଅନ୍ତିମ ଦିନରେ ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

You might also like