ବିଜୟ ଓ ଦିଲୀପଙ୍କୁ ପରାମର୍ଶ ଦେଲେ ଦାମ

ଭୁବନେଶ୍ୱର : ବିଜେପି ଛାଡ଼ିଥିବା ବରିଷ୍ଠ ନେତା ଦିଲୀପ ରାୟ ଏବଂ ବିଜୟ ମହାପାତ୍ରଙ୍କୁ ବିଜୁ ସମତା କ୍ରାନ୍ତି ଦଳର ମୁଖ୍ୟ ଦାମ ରାଉତଙ୍କ ପରାମର୍ଶ। ରାଜ୍ୟରେ କ୍ଷମତା ପରିବର୍ତ୍ତନ ଅାଣିବା ସହ ଦୁର୍ନୀତି, ଭ୍ରଷ୍ଟାଚାର, କୁଶାସନ ଓ ପରିବାରବାଦରୁ ରାଜ୍ୟବାସୀଙ୍କୁ ରକ୍ଷା କରିବା ଲାଗି ବିଜୟ ଓ ଦିଲୀପ ତାଙ୍କ ଦଳରେ ମିଶିବା ଲାଗି ଅାହ୍ୱାନ ଦେଇଛନ୍ତି। ଏନେଇ ଦାମ କହିଛନ୍ତି ଯେ, ଦୁହେଁ ବିଜେପି ଛାଡ଼ିବା ନେଇ ଚର୍ଚ୍ଚା ହେବା ପରେ ସେ ଦିଲୀପ ଓ ବିଜୟଙ୍କ ସହ କଥା ହୋଇଥିଲେ। ରାଜନୈତିକ ପରିବର୍ତ୍ତନ ଲାଗି ତାଙ୍କ ସହ ମିଶିବାକୁ ପ୍ରସ୍ତାବ ଦେଇଥିଲେ ବୋଲି ଦାମ କହିଛନ୍ତି।

କ୍ଷମତା ଓ ଲୋଭ ପାଇଁ ସ୍ୱାଭିମାନକୁ ଜଳାଞ୍ଜଳି ଦେବା ଉଚିତ ନୁହଁ ବୋଲି ଦାମ କହିଛନ୍ତି। ନବୀନ ନିଜ ସ୍ଥିତି ରଖିବା ଲାଗି ରାତାରାତି ମତ ଅାଉ ନୀତି ବଦଳାଇ ପାରନ୍ତି। କାଲି ଯାହାକୁ ନିନ୍ଦା କରି, ଅପମାନିତ କରି ବିଦା କରିଥିଲେ, ଏବେ ତାଙ୍କୁ ପୁଣି କୋଳେଇବାକୁ ମନ ବଳାଉଛନ୍ତି ବୋଲି ଦାମ କହିଛନ୍ତି.

ତେବେ ବିଜୟ ଓ ଦିଲୀପ କେବେ ବି ସେଭଳି ଭୁଲ୍ କରିବେ ନାହିଁ। ବିଜୟ ବହୁ ଚତୁର ଓ ଅଭିଜ୍ଞ ରାଜନେତା। ୨୦ ବର୍ଷ ତଳର କଥା ମନେ ନ ପକାଇ, ୪୦ ବର୍ଷ ତଳର କଥା ମନେ ପକାଇବା ଉଚିତ ହେବ ବୋଲି ସେ କହିଛନ୍ତି। ତେବେ ଦାମଙ୍କ ଅାହ୍ୱାନ ପ୍ରସଙ୍ଗରେ ବିଜୟ ମହାପାତ୍ର କହିଛନ୍ତି ତାଙ୍କୁ  ସମସ୍ତେ ସ୍ୱାଗତ କରୁଛନ୍ତି ତେବେ ଏନେଇ ଦିଲୀପ ରାୟଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ସେପଟେ ଦିଲୀପ ଓ ବିଜୟ ଦଳ ଛାଡ଼ିବା ନେଇ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଦଳ ବ୍ୟକ୍ତି କୈନ୍ଦ୍ରିକ ନୁହେଁ, ବ୍ୟକ୍ତିତ୍ୱ ଉପରେ ବିଶ୍ୱାସ କରେ। ଯେଉଁ କ୍ଷତି ହେବ କୁହାଯାଉଛି ଠିକ୍ ନୁହେଁ। ଏହା ବିଜେପିର ଲସ୍ ନୁହେଁ, ପ୍ଲସ୍ ହେବ ବୋଲି ବସନ୍ତ କହିଛନ୍ତି।

You might also like