ଓଟିଭିରୁ ବରିଷ୍ଠ ସାମ୍ବାଦିକ ରମେଶ ରଥଙ୍କ ଇସ୍ତଫା, ଦେଲେ ୩ ମାସର ନୋଟିସ୍

ଭୁବନେଶ୍ୱର: ଓଟିଭିରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ସାମ୍ବାଦିକ ରମେଶ ରଥ। ସାଂପ୍ରତିକ ପରିସ୍ଥିତିରେ ସେ ସାମ୍ନା କରୁଥିବା ସ୍ୱାସ୍ଥ୍ୟଗତ ସମସ୍ୟା ଓ ବ୍ୟକ୍ତିଗତ କାରଣରୁ ସେ ବୃତ୍ତିଗତ କାର୍ଯ୍ୟ ଠିକ୍‌ରେ ସଂପାଦନ କରିପାରିବେ ନାହିଁ ବୋଲି ଦର୍ଶାଇ ଇସ୍ତଫା ଦେଇଛନ୍ତି। କଂପାନୀ କର୍ତ୍ତୃପକ୍ଷଙ୍କୁ ସେ ୩ ମାସର ନୋଟିସ୍ ଦେବା ସହ ନିଜ ଇସ୍ତଫା ପତ୍ର ଇ-ମେଲ୍ ଯୋଗେ ପଠାଇଥିବା ଜଣାପଡ଼ିଛି।

ସେପଟେ ରମେଶ ଜାରି କରିଥିବା ଏକ ପ୍ରେସ୍ ରିଲିଜ୍‌ରେ ଉଲ୍ଲେଖ କରିଛନ୍ତି ଯେ, ଗତ ଅକ୍ଟୋବର ୧୫ ତାରିଖରେ ଭୁବନେଶ୍ୱର ପଟିଆସ୍ଥିତ ନିଜ ବାସଭବନ ନିକଟ ରାସ୍ତା ଉପରୁ କେନ୍ଦୁଝର ପୋଲିସ୍ ତାଙ୍କୁ ବଳପୂର୍ବକ ଉଠାଇ ନେଇଥିଲା। ପୋଲିସ୍ ତାଙ୍କୁ ବିନା କାରଣରେ ଅଟକ ରଖିବା ସହ ଅପମାନିତ କରିଥିଲା। ଏପରିକି ତାଙ୍କର ଦୁଇଟି ମୋବାଇଲ୍ ଫୋନ୍‌କୁ ଛଡ଼ାଇ ନେଇଥିବା ସେ ଜଣାଇଛନ୍ତି।

ଏକ ମର୍ଫ ଭିଡିଓ ମାମଲାରେ ତାଙ୍କୁ ମିଛରେ ଛନ୍ଦା ଯାଉଥିବା ସେ ଜାଣିବାକୁ ପାଇଥିଲେ। ନିଜର ନିର୍ଭୀକ ସାମ୍ବାଦିକତା ପାଇଁ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଟାର୍ଗେଟ୍ କରାଯାଇଥିବା ସେ ଉଲ୍ଲେଖ କରିଛନ୍ତି। ଗତ ୨୦ ବର୍ଷ ଧରି ସେ ଅନେକ ଅନୁସନ୍ଧାନମୂଳକ ରିପୋର୍ଟ କରିଛନ୍ତି। ସ୍ୱଚ୍ଛ ଓ ନିରପେକ୍ଷ ସାମ୍ବାଦିକତା ପାଇଁ ଏହା ତାଙ୍କ ପ୍ରତି ପୁରସ୍କାର ବୋଲି ସେ ନିଜ କ୍ଷୋଭ ଦର୍ଶାଇଛନ୍ତି। ପ୍ରଥମ ଥର ପାଇଁ ପୋଲିସ୍ ତାଙ୍କୁ ଜଣେ ଅପରାଧୀ ଭାବେ ବ୍ୟବହାର କରାଯାଇଥିବା ରମେଶ ରଥ ପ୍ରେସ୍ ରିଲିଜ୍‌ରେ ଦର୍ଶାଇଛନ୍ତି।

You might also like