‘ମଧ୍ୟାହ୍ନ ଭୋଜନ ପରେ ସ୍ନାକ୍ସରେ ମୋତେ ବିଷ ଦିଆଯାଇଥିଲା’

ଭୁବନେଶ୍ୱର: ‘୧୯୭୧ ମସିହାରେ ପ୍ରଫେସର ବିକ୍ରମ ସରାଭାଇଙ୍କ ସନ୍ଦେହଜନକ ମୃତ୍ୟୁ ବିଷୟରେ ଶୁଣିଥିଲୁ। ୧୯୯୯ରେ VSSCର ନିର୍ଦ୍ଦେଶକ ଡଃ ଏସ୍‌ ଶ୍ରୀନିବାସନ୍‌ଙ୍କ ହଠାତ୍‌ ମୃତ୍ୟୁ ବିଷୟରେ ମଧ୍ୟ ଶୁଣିବାକୁ ପାଇଲୁ। ସମାନ ଘଟଣାର ପୁନରାବୃତ୍ତି ହୋଇଥିଲା ୧୯୯୪ରେ ଶ୍ରୀ ନାମ୍ବିନାରାୟଣନ୍‌ଙ୍କ ସହ। ହେଲେ କେବେ ଭାବିନଥିଲି ମୋ ସହ ଏଭଳି ରହସ୍ୟମୟ ଘଟଣା ଘଟିବ ବୋଲି…’ ଲଙ୍ଗ୍‌ କେପ୍ଟ ସିକ୍ରେଟ ଶିରୋନାମାରେ ଏମିତି ଭାବପ୍ରବଣ ଚିଠି ଲେଖି ଫେସ୍‌ବୁକ୍‌ରେ ସେୟାର କରିଛନ୍ତି ଇସ୍ରୋ ବୈଜ୍ଞାନିକ ତପନ ମିଶ୍ର।

ସେ ଚିଠିରେ ଉଲ୍ଲେଖ କରିଛନ୍ତି, ୨୦୧୭ ମେ’ ୨୩ରେ ମାରାତ୍ମକ Arsenic Trioxide ମୋତେ ଦିଆଯାଇଥିଲା। ମଧ୍ୟାହ୍ନ ଭୋଜନ ପରେ ସ୍ନାକ୍ସରେ ଦୋସା ଓ ଚଟଣିରେ ବିଷ ମିଶାଇ ମୋତେ ଖାଇବାକୁ ଦିଆଯାଇଥିଲା। ଏହା ପରେ ପରେ ମୁଁ ଅସୁସ୍ଥ ଅନୁଭବ କରିଥିଲି। ଶ୍ୱାସକ୍ରିୟା ଜନିତ ସମସ୍ୟା ଭୋଗିଥିଲି। ଏହାସହ ଚର୍ମ ରୋଗ ମଧ୍ୟ ଦେଖା ଦେଇଥିଲା ଓ ଫଙ୍ଗାଲ ଇନ୍‌ଫେକସନ ହୋଇଥିଲା। ଏହାପରେ ଦୁଇ ବର୍ଷରୁ ଅଧିକ ଦିନ ଧରି TMH ମୁମ୍ବାଇ ଓ ଦିଲ୍ଲୀ ଏମ୍ସରେ ଚିକିତ୍ସା କରାଇଥିଲି ବୋଲି କହିଛନ୍ତି ଇସ୍ରୋ ବୈଜ୍ଞାନିକ ତପନ ମିଶ୍ର ।

ଭାରତୀୟ ମହାକାଶ ଗବେଷଣା ସଂସ୍ଥାର(ଇସ୍ରୋ) ଓଡ଼ିଆ ବୈଜ୍ଞାନିକ ତପନ ମିଶ୍ରଙ୍କୁ ବିଷ ଦେଇ ମାରିଦେବାକୁ ଷଡ଼ଯନ୍ତ୍ର ହୋଇଥିବା ଅଭିଯୋଗ ହୋଇଛି। ପଦୋନ୍ନତି ପାଇଁ ସାକ୍ଷାତକାର ପୂର୍ବରୁ ତାଙ୍କୁ ଖାଦ୍ୟରେ ବିଷ ଦେଇ ମାରି ଦେବାକୁ ଷଡ଼ଯନ୍ତ୍ର କରାଯାଇଥିଲା ବୋଲି ଅଭିଯୋଗ ହୋଇଛି। ବୈଜ୍ଞାନିକ ତପନ ମିଶ୍ର ଏନେଇ ନିଜ ଫେସବୁକ୍ ପେଜ୍‌ରେ ଲଙ୍ଗ କେପ୍ଟ ସିକ୍ରେଟ ଶିରୋନାମା ରଖି ପୂରା ଘଟଣା ସମ୍ପର୍କରେ ବର୍ଣ୍ଣନା କରିଛନ୍ତି।

ବେଙ୍ଗାଲୁରୁ ସ୍ଥିତ ଇସ୍ରୋ ମୁଖ୍ୟାଳୟରେ ପଦୋନ୍ନତି ସାକ୍ଷାତକାର ବେଳେ ଏହି ଘଟଣା ଘଟିଥିଲା ବୋଲି ସେ କହିଛନ୍ତି। ଫେସ୍‌ବୁକ୍‌ରେ ପୋଷ୍ଟ୍‌ ଶେଆର କରି ତପନ ମିଶ୍ର ତାଙ୍କର ଜଣେ ବନ୍ଧୁଙ୍କୁ ଧନ୍ୟବାଦ ଜଣାଇଛନ୍ତି, ଯିଏକି ୨୦୧୭ ଜୁନ୍‌ ୫ରେ ତାଙ୍କୁ ଏସମ୍ପର୍କରେ ସତର୍କ କରାଇଥିଲେ। ତାଙ୍କୁ ବିଷ ଦିଆଯାଇପାରେ ବୋଲି ତପନଙ୍କ ଏହି ବନ୍ଧୁ ଜଣକ ତାଙ୍କୁ ସତର୍କ କରାଇଥିଲେ।

ମୁଁ ଭାବୁଛି, ସେ(ବନ୍ଧୁ) ମୋ ଖାଦ୍ୟରେ ବିଷ ମିଶା ଯାଇଥିବା ଦେଖିବାକୁ ପାଇଥିଲେ। ଜୁନ୍‌ ୭ରେ ଗୃହ ମନ୍ତ୍ରାଳୟର ସୁରକ୍ଷା ଏଜେନ୍ସି ଅଧିକାରୀମାନେ ମୋତେ Arsenic ବିଷ ସମ୍ପର୍କରେ ସତର୍କ କରାଇଥିଲେ। ତାଙ୍କ ଶରୀରକୁ Arsenic Trioxide ଯାଇଥିବାରୁ ଏହାର ଚିକିତ୍ସା କରାଇବାକୁ ସେମାନେ କହିଥିଲେ। ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି, କାହିଁକି ନା ସେମାନଙ୍କର ସୂଚନାଚିକତ୍ସା କ୍ଷେତ୍ରରେ ଡାକ୍ତରଙ୍କୁ ସାହାଯ୍ୟ କରିଥିଲା। ମୁଁ ନିଶ୍ଚିତ ଯେ, ଯଦି ସେମାନେ ଏଥିରେ ହସ୍ତକ୍ଷେପ ନ କରି ଥାନ୍ତେ, ତା’ହେଲେ ଦୁଇରୁ ତିନି ସପ୍ତାହ ମଧ୍ୟରେ ଶରୀରର ଏକାଧିକ ଅଙ୍ଗ ଅକାମି ହୋଇଯିବା ସହ ସହ ମୋର ମୃତ୍ୟୁ ଘଟିଥାନ୍ତା।’

ଏମ୍ସରେ ଚିକିତ୍ସା ହୋଇଥିଲେ ବୋଲି ତାହାର ପ୍ରମାଣ ସ୍ୱରୁପ ମେଡିକାଲ ରିପୋର୍ଟ ମଧ୍ୟ ଫେସବୁକରେ ପୋଷ୍ଟ କରିଛନ୍ତି ତପନ। Synthetic-aperture radar ଭଳି ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ପ୍ରକଳ୍ପରେ କାମ କରୁଥିବା ଜଣେ ବୈଜ୍ଞାନିକଙ୍କୁ କିପରି ରାସ୍ତାରୁ ହଟାଇବାକୁ ଷଡ଼ଯନ୍ତ୍ର ହୋଇଥିଲା, ତାହା ଉଲ୍ଲେଖ କରିଛନ୍ତି ତପନ। ତପନ ମିଶ୍ର ଏବେ ଇସ୍ରୋରେ ବରିଷ୍ଠ ପରାମର୍ଶଦାତା ଭାବେ କାର୍ଯ୍ୟରତ ଓ ଚଳିତ ମାସ ଶେଷରେ ସେ ଅବସର ନେବେ। ଏହା ପୂର୍ବରୁ ସେ ଇସ୍ରୋର ଅହମ୍ମଦାବାଦରେ ଥିବା ସ୍ପେଶ ଆପ୍ଲିକେସନ ସେଣ୍ଟରରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ ତୁଲାଇଛନ୍ତି।

ଘଟଣା ଘଟିବାର ଦୀର୍ଘ ୪ ବର୍ଷ ପରେ ସୋସିଆଲ୍‌ ମିଡିଆରେ ତପନ ମିଶ୍ର ଆଣିଥିବା ଏଭଳି ସାଂଘାତିକ ଅଭିଯୋଗକୁ ନେଇ ଅନେକ ପ୍ରଶ୍ନ ଉଠିବା ସହ ବୈଜ୍ଞାନିକମାନଙ୍କ ସୁରକ୍ଷାକୁ ନେଇ ମଧ୍ୟ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାସହ ଘଟଣାର ତଦନ୍ତ କେନ୍ଦ୍ର ସରକାର କରନ୍ତୁ ବୋଲି ତପନ ମିଶ୍ର ଦାବି କରିଛନ୍ତି।

You might also like