ନୂଆ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର; ଅସିତଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର: ୧୯୮୬ ବ୍ୟାଚ୍‌ର ବରିଷ୍ଠ ଆଇଏଏସ୍ ସୁରେଶ ଚନ୍ଦ୍ର ମହାପାତ୍ର ହେବେ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ। ଡିସେମ୍ବର ୩୧ରେ ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ କାର୍ଯ୍ୟକାଳ ଶେଷ ହେଉଛି। ତାଙ୍କ ଅବସର ପରେ ସୁରେଶ ମୁଖ୍ୟ ଶାସନ ସଚିବ ହେବେ ।

ମୁଖ୍ୟ ସଚିବ ସହ ମୁଖ୍ୟ ଉନ୍ନୟନ କମିଶନର ଭାବେ ମଧ୍ୟ ନିଯୁକ୍ତ ହୋଇଛନ୍ତି ସୁରେଶ ମହାପାତ୍ର।  ସେହିପରି ଅବସର ନେବା ପରେ ଅସିତ ତ୍ରିପାଠୀଙ୍କୁ ନୂଆ ଦାୟିତ୍ୱ ମିଳିଛି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ଅସିତ୍ ତ୍ରିପାଠୀଙ୍କୁ ନିଯୁକ୍ତ କରାଯାଇଛି। ଏଥିସହ ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଭାବେ ମଧ୍ୟ ନିଯୁକ୍ତ ହୋଇଛନ୍ତି। ଏଥିସହ ଆଞ୍ଚଳିକ ବିକାଶ, ପର୍ଯ୍ୟଟନ, କୃଷିଭିତ୍ତିକ ବ୍ୟବସାୟ, ଶିଳ୍ପର ମଧ୍ୟ ପରାମର୍ଶଦାତା ଦାୟିତ୍ୱ ତୁଲାଇବେ ଅସିତ।

ସେହିପରି ୧୯୮୯ ବ୍ୟାଚର ଆଇଏଏସ୍ ଅଫିସର ପ୍ରଦୀପ କୁମାର ଜେନାଙ୍କୁ ଉନ୍ନୟନ କମିଶନର୍ ଭାବେ ନିଯୁକ୍ତି ଦିଆଯାଇଛି। ପ୍ରଦୀପ ବର୍ତ୍ତମାନ ଏସ୍ଆରସି ସହ ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ କାମ କରୁଛନ୍ତି।

ଗତଥର ମୁଖ୍ୟ ଶାସନ ସଚିବ ନିଯୁକ୍ତି ବେଳେ ୧୯୮୬ ବ୍ୟାଚ୍‌ର ବରିଷ୍ଠ ଆଇଏଏସ୍ ଅସିତ ତ୍ରିପାଠୀ ଓ ସୁରେଶ ମହାପାତ୍ରଙ୍କୁ ନେଇ ଚର୍ଚ୍ଚା ହୋଇଥିଲା। ତେବେ ବରିଷ୍ଠତା ଭିତ୍ତିରେ ଅସିତ୍‌ଙ୍କୁ ସିଏସ୍ ଚେୟାର ମିଳିଥିଲା। ସେହି ଦୃଷ୍ଟିରୁ ପରବର୍ତ୍ତୀ ମୁଖ୍ୟଶାସନ ସଚିବ ଭାବେ ସୁରେଶ ମହାପାତ୍ର ନିଯୁକ୍ତ ହେବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଆଜି ସେ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ସେ ୧୩ ମାସ ପାଇଁ ଦାୟିତ୍ୱରେ ରହିବେ।

  • ସଂକ୍ଷେପରେ ସୁରେଶ
  • ସୁରେଶ ଚନ୍ଦ୍ର ମହାପାତ୍ର ୧୯୮୬ ବ୍ୟାଚ୍‌ର ଆଇଏଏସ୍ ଅଧିକାରୀ
  • ମୁଖ୍ୟ ଉନ୍ନୟନ କମିଶନର ଭାବେ କାର୍ଯ୍ୟ କରିଛନ୍ତି।
  • ବହୁ ସମୟ ଧରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ତୁଲାଇଛନ୍ତି।
  • ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଦାୟିତ୍ୱ ନେଇଛନ୍ତି।
  • ସ୍ପେସାଲ ରିଲିଫ୍ କମିଶନର ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି।
  • ବରିଷ୍ଠ IAS ସୁରେଶ ମହାପାତ୍ର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାର ଜିଲ୍ଲାପାଳ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସହ ଜଳସଂପଦ, ଶକ୍ତି, ଜଙ୍ଗଲ ଓ ପରିବେଶ ଭଳି ବିଭାଗର ସିବ ଭାବେ ବେଶ୍ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି।

ସୂଚନା ଥାଉକି, ଉନ୍ନୟନ କମିଶନର ଭାବେ ଦାୟିତ୍ୱରେ ଥିବା ଅସିତ୍ ତ୍ରିପାଠୀ ୨୦୧୯ ଅଗଷ୍ଟ ୧୯ ତାରିଖରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ସମ୍ଭାଳିଥିଲେ। ମୁଖ୍ୟ ଶାସନ ସଚିବ ଥିବା ଆଦିତ୍ୟ ପ୍ରସାଦ ପାଢ଼ି ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବାପରେ ଅସିତଙ୍କୁ ମୁଖ୍ୟ ଶାସନ ସଚିବ ପଦବି ମିଳିଥିଲା। ଏହା ପୂର୍ବରୁ ୧୯ ୮୬ ବ୍ୟାଚ୍‌ର ଆଇଏଏସ୍ ଅସିତ୍ ତ୍ରିପାଠୀଙ୍କୁ ଆର୍. ବାଲ୍‌କ୍ରିଷ୍ଣନ୍‌ଙ୍କ ପରେ ଉନ୍ନୟନ କମିଶନର ଭାବେ ନିଯୁକ୍ତି ଦେଇଥିଲେ ରାଜ୍ୟ ସରକାର।

 

You might also like