ମଦ ବିକ, ପୁରସ୍କାର ନିଅ !

ଭୁବନେଶ୍ୱର: ମଦ ବିକ, ପୁରସ୍କାର ନିଅ। ଏକଥା ଆମେ କହୁନୁ, ଏଭଳି କିଛି ସୁପାରିଶ କରିଛି ବିଧାନସଭାର ଅବକାରୀ ସ୍ଥାୟୀ କମିଟି। ଧାର୍ଯ୍ୟ କୋଟାରୁ ଅଧିକ ମଦ ବିକିଲେ ଦୋକାନୀଙ୍କୁ ପୁରସ୍କାର ଦେବାକୁ କମିଟି ସୁପାରିଶ କରିଛି। ଆଉ ଏହା ପଛର ଯୁକ୍ତି ହେଉଛି, ମଦରୁ ଯେମିତି ଅଧିକ ରାଜସ୍ୱ ମିଳିବ ସେଥିଲାଗି ପ୍ରୋତ୍ସାହିତ କରିବା।

ଗତ ଦଶ ବର୍ଷରେ ମଦରୁ ସରକାର ପାଉଥିବା ରାଜସ୍ୱ ପାଖାପାଖି ୫ ଗୁଣ ବଢ଼ିଥିଲେ ବି ଆହୁରି ଅଧିକ ରାଜସ୍ୱ ଲୋଭରେ ଅଧିକ ବିଦେଶୀ ମଦ ଦୋକାନ ଖୋଲିବା ସହ ମଦଦୋକାନୀଙ୍କୁ ପୁରସ୍କାର ପରି ଅଦ୍ଭୁତ ପ୍ରସ୍ତାବ ଦେଇଛି କମିଟି। ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି।

ଏପ୍ରିଲ ୨୯ ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ୍ ଦିନ ଭଦ୍ରକର ତିହିଡ଼ି ଓ ଚାନ୍ଦବାଲିରେ ହେଲା ମଦମୃତ୍ୟୁର ବିଭୀଷିକା। ବିଷାକ୍ତ ମଦ ପିଇ ଲିଭିଗଲା ୧୨ରୁ ଅଧିକ ଲୋକଙ୍କ ଜୀବନ ଦୀପ। ରାଜନୈତିକର ବୟାନ ବାଜି ହେଲା। ପରସ୍ପର ମୁଣ୍ଡରେ ଦୋଷ ଲଦିଲେ ନେତା। ହେଲେ ମଦ ମୃତ୍ୟୁର ସୌଦାଗରକୁ କିନ୍ତୁ ଏଯାଏ ଠାବ କରାଯାଇ ପାରିଲାନି।

କେବଳେ ଏଇ ଗୋଟିଏ ଘଟଣା ନୁହେଁ, ଅତୀତରେ ମଦମୃତ୍ୟୁର ଏମିତି ଅନେକ ବିଭୀଷିକା ରାଜ୍ୟ ରାଜନୀତିରେ ହଇଚଇ ଆଣିଛି। ହେଲେ ମଦରୁ ଆସୁଥିବା ରାଜସ୍ୱର ଲୋଭ କିନ୍ତୁ ସରକାରଙ୍କୁ ଯେମିତି ଅନ୍ଧ କରି ଦେଇଛି। ଏହାର ତାଜା ଉଦାହରଣ ହେଉଛି ବିଧାନସଭା ଷ୍ଟାଣ୍ଡିଂ କମିଟି କରିଥିବା ଏଭଳି ସୁପାରିଶ।

୧୨ଟି ସୁପାରିଶ ମଧ୍ୟରୁ ୪ ନମ୍ବର୍ ସୁପାରିଶରେ କୁହାଯାଇଛି ଯେ, ଯେଉଁ ମଦ ଦୋକାନୀ ମିନିମମ୍ ଗ୍ୟାରେଣ୍ଟି କୋଟା ବା ଧାର୍ଯ୍ୟ କୋଟା କିମ୍ବା ତାଠାରୁ ଅଧିକ ମଦ ବିକ୍ରି କରୁଛନ୍ତି ସେହି ଦୋକାନୀକୁ ପୁରସ୍କୃତ କରିବାକୁ କମିଟି ସୁପାରିଶ କରିଛି

କେବଳ ସେତିକି ନୁହେଁ,ଅଧିକ ରାଜସ୍ୱ ଆଦାୟ ତଥା ବିଷାକ୍ତ ମଦର ବେଆଇନ କାରବାରକୁ ରୋକିବା ପାଇଁ କମିଟି ଅଧିକ ବିଦେଶୀ ମଦ ଦୋକାନ ଖୋଲିବାକୁ ବି ପ୍ରସ୍ତାବ ଦେଇଛି। ତେବେ ଏପରି ପ୍ରସ୍ତାବକୁ ନେଇ ସରକାରଙ୍କୁ କାଠଗଡ଼ାରେ ଠିଆ କରିଛନ୍ତି ବିରୋଧୀ। ଏମିତିକି ଖୋଦ୍ ଅବକାରୀ ଷ୍ଟାଣ୍ଡିଂ କମିଟିରେ ସଦସ୍ୟ ଥିବା ପୂର୍ବତନ ଅବକାରୀ ମନ୍ତ୍ରୀ ତଥା କଂଗ୍ରେସ ବିଧାୟକ ସୁରେଶ ରାଉତ କହିଛନ୍ତି ଏମିତି ପ୍ରସ୍ତାବ କମିଟି ଦେଇନି।

ଏବେ ବିଦେଶୀ ଅଫସପ୍ ଓ ଅନସପ୍‌କୁ ମିଶାଇ ରାଜ୍ୟରେ ଅଛି ୧୬୭୫ ମଦ ଦୋକାନ ରହିଛି। ଏହାବାଦ୍ ୯୫ ବିୟର ପାର୍ଲର, ୩୪ଟି ମିଲିଟାରୀ କ୍ୟାଣ୍ଟିନ୍‌ ଓ ୧୮ଟି କ୍ଲବ୍ ବି ମଦ କାରବାର ପାଇଁ ଲାଇସେନ୍ସ ପାଇଛନ୍ତି। ଆଉ ଗତ ୧୦ ବର୍ଷର ମଦରୁ ଆସୁଥିବା ରାଜସ୍ୱର ହିସାବ ଅନୁସାରେ ୨୦୦୯-୧୦ରେ ଅବକାରୀ ରାଜସ୍ୱ ଥିଲା ୮୪୮ କୋଟି ଟଙ୍କା। ଏବେ ଏହା ବଢ଼ି ୩୯୨୫ କୋଟିରେ ପହଁଞ୍ଚିଲାଣି। ଚଳିତ ବର୍ଷ ମଦରୁ ୪୬୦୦ କୋଟି ଆଦାୟ ପାଇଁ ଲକ୍ଷ୍ୟ ରହିଛି।

ରାଜସ୍ୱ ବଢ଼ିଥିଲେ ବି ସରକାରଙ୍କ କିନ୍ତୁ ଲୋଭ କମିନି। ତେବେ ପୂର୍ବତନ ଅବକାରୀ ମନ୍ତ୍ରୀ ଶଶିବେହେରା କହିଛନ୍ତି, ଷ୍ଟାଣ୍ଡିଂ କମିଟିର ସବୁ ପ୍ରସ୍ତାବ ଗ୍ରହଣ ହୁଏନି।

ମଦରୁ ରାଜସ୍ୱ ଅଧିକ ଆସୁଥିଲେ ବି ବେଆଇନ କାରବାର ରୋକିବା ପାଇଁ ଆବଶ୍ୟକ ସଂଖ୍ୟାରେ କର୍ମଚାରୀ ନାହାଁନ୍ତି। ଅବକାରୀ କନଷ୍ଟେବଳକୁ ମିଶାଇ ମୋଟ ୪୦୮ ପଦବୀ ଏବେସୁଦ୍ଧା ଖାଲି ପଡ଼ିଥିବା ବେଳେ ମଦ ଦୋକାନୀଙ୍କୁ ପୁରସ୍କାର ପ୍ରସ୍ତାବ ନୂଆ ବିବାଦ ଠିଆ କରିଛି।

 

You might also like