ମାଛ-ମଟନ ଜବତ କରି ବାହାରେ ଢାଳିଲେ

ରାଉରକେଲା : ସଟଡାଉନ ନିୟମ ଭାଙ୍ଗି ବେପାର କରୁଥିବା ସମୟରେ ବ୍ୟବସାୟୀଙ୍କଠାରୁ ମାଛ ଓ ମଟନ ଜବତ ହୋଇଛି। ରାଉରକେଲା ମ୍ୟୁନିସପାଲ କର୍ପୋରେସନ ଓ ପୁଲିସର ମିଳିତ ଚଢ଼ଉ ବେଳେ ଡେଲି ମାର୍କେଟରୁ ପ୍ରାୟ ୬୦ କିଲୋ ମାଛ ଜବତ ହୋଇଥିବା ବେଳେ ଭାଟା ରୋଡ଼ରୁ ପ୍ରାୟ ୪୦ କିଲୋ ମଟନ ଜବତ କରାଯାଇଛି। ଜବତ ପରେ ମାଛ ଓ ମଟନକୁ ବାହାରେ ଢଳାଯାଇଛି। ସକାଳୁ ସକାଳୁ ପ୍ଲାଣ୍ଟ ସାଇଡ ପୁଲିସ ଓ ଆରଏମସିର ଟିମ ଚଢ଼ଉ କରିଥିଲେ। ରାଉରକେଲାରେ ସପ୍ତାହାନ୍ତ ସଟଡାଉନର ଫାଇଦା ନେଇ ବେଆଇନ ଭାବେ ମାଛ ଓ ମଟନ ବିକ୍ରୀ କରାଯାଉଥିଲା।

ରାଜ୍ୟରେ ଦୈନିକ ବଢିଚାଲିଥିବା କରୋନା ସଂକ୍ରମଣ ରୋକିବା ନେଇ ପ୍ରତି ସପ୍ତାହର ଶନି ଓ ରବିବାର ସଟଡାଉନ୍‌ କରାଯାଇଛି। ଏହି ଦୁଇ ଦିନ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି। ତେବେ ଗତ ୫ ତାରିଖରୁ ଚାଲିଥିବା ଲକଡାଉନ୍‌ ୧୯ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।

ଲୋକଙ୍କ ଆତଯାତ ବନ୍ଦକରିବା ଓ ଭିଡ଼ ନିୟନ୍ତ୍ରଣ କରି ସଂକ୍ରମଣ ଉପରେ ରୋକ ଲଗାଇବା ପାଇଁ ରାଜ୍ୟ ସରକାର ଲକଡାଉନ ଘୋଷଣା କରିଛନ୍ତି। ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ପନିପରିବା, ଫଳ, କ୍ଷୀର ଓ ଗ୍ରୋସରୀ ସାମଗ୍ରୀ କିଣିବାକୁ ଅନୁମତି ରହିଛି। ସେହିପରି ଦିନ ୧୨ଟା ପରେ ବାହାରେ ବୁଲିବା ଉପରେ ସଂପୂର୍ଣ୍ଣ ରୋକ୍ ଲଗାଯାଇଛି। ତେବେ ପରିବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସାରା ରାଜ୍ୟରେ ସପ୍ତାହାନ୍ତ ସଟଡାଉନ୍‌ ଜାରି ରହିବ।

ତେବେ ରାଜ୍ୟରେ କ୍ରମାଗତ ଭାବରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଲକଡାଉନ୍ ଅବଧି ବଢିବା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାଜ୍ୟରେ  ଆଜି ଗୋଟିଏ ଦିନରେ ଆକ୍ଟିଭ୍‌ କେଶ୍ ସଂଖ୍ୟା ୧ ଲକ୍ଷ ପାର୍ କରିବା ପରେ ଏହି ଆଶଙ୍କା ବଢ଼ିଯାଇଛି। ତାଛଡ଼ା କେବଳ ମାଲକାନଗିରିକୁ ଛାଡ଼ି ରାଜ୍ୟର ଅନ୍ୟ ୨୯ଟି ଜିଲ୍ଲାରେ ଏବେ ପଜିଟିଭିଟି ରେଟ୍ ୧୦ ପ୍ରତିଶତ ଉପରେ ରହିଛି। ଗତକାଲି ICMR ଡିଜି ୧୦ ପ୍ରତିଶତରୁ ଅଧିକ ପଜିଟିଭିଟି ରେଟ୍ ଥିବା ଜିଲ୍ଲାରେ ଲକଡାଉନ୍‌ ପାଇଁ ପରାମର୍ଶ ଦେଇଥିଲେ। ଏହି ଦୃଷ୍ଟିରୁ ଓଡ଼ିଶାରେ ବି ଅଧିକ ସମୟ ଲାଗି ଲକଡାଉନର ଆବଶ୍ୟକ ରହୁଛି ବୋଲି କୁହାଯାଉଛି। ସେପଟେ ଲୋକେ ଅମାନିଆ ହେଉଥିବାରୁ ଲକଡାଉନ୍‌ ସମୟରେ ମର୍ଣ୍ଣିଂ ଓ ଇଭିନିଂ ଓ୍ୱାକ୍ ଓ ସାଇକ୍ଲିଂ ମନା ବୋଲି ପୂର୍ବରୁ କହିସାରିଛନ୍ତି ଟୁଇନ ସିଟି ପୁଲିସ୍ କମିଶନର।

ବର୍ତ୍ତମାନ ରାଜ୍ୟରେ କୋରନା ସଂକ୍ରମଣ ଫ୍ଲାଟ ସ୍ଥିତିରେ ଥିବା ଜଣାଯାଇଛି। ପୂର୍ବରୁ ଦୈନିକ ସଂକ୍ରମଣ ୧୨ ହଜାର ଥିବାବେଳେ ଏବେ ୧୦ହଜାର ଟ୍ରେଣ୍ଡ ଚାଲିଛି। ଏହା କହିଛନ୍ତି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ। ତେବେ ସମସ୍ତେ କୋଭିଡ ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ସେହିପରି ଗାଁରେ ସଂକ୍ରମଣ ବଢୁଥିବା ନେଇ ସେ କହିବା ସହିତ ଗାଁ ଲୋକମାନେ ସହରକୁ ଯିବା ଆସିବା, କୋଭିଡ ଗାଇଡଲାଇନ ନ ମାନି ଛୋଟ ଛୋଟ ମେଳା ମହୋତ୍ସବ କରୁଥିବା ସେ କହିଛନ୍ତି। ଯଦି ୧୯ ତାରିଖ ଭିତରେ ପରିସ୍ଥିତି ନିୟନ୍ତ୍ରଣକୁ ନ ଆସେ ତେବେ ସରକାର ଲକଡାଉନ ପାଇଁ ପୁଣି ବାଧ୍ୟ ହେବେ ବୋଲି ଗଣମାଧ୍ୟମକୁ କହିଛନ୍ତି।

You might also like