ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡ଼ିଶା ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଗସ୍ତ ଅବସରରେ ଭୁବନେଶ୍ୱର IIT କ୍ୟାମ୍ପସ୍‌ର ଶୁଭ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ। ଏହାସହ ସ୍ଥାନୀୟ ଗୋଶାଳା ପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦି।

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ପୁଲିସ୍‌ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆଜି କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଉଭୟ ଆଇଆଇଟି ଭୁବନେଶ୍ୱର ଓ ସଭାସ୍ଥଳକୁ ଯାଇ ସୁରକ୍ଷାର ଅନୁଧ୍ୟାନ କରିଛନ୍ତି। ହେଲିପ୍ୟାଡ୍‌ ସହ ସଭାସ୍ଥଳ, ଟ୍ରାଫିକ୍‌ ଓ ସିକ୍ୟୁରିଟି ବ୍ୟବସ୍ଥାର ସେ ଯାଞ୍ଚ କରିଛନ୍ତି।

ନିଜେ କେନ୍ଦ୍ରାଞ୍ଚଳ ଆଇଜି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ। ତାଙ୍କୁ ୪ଜଣ ଏସ୍‌ପି ସହାୟତା କରିବେ।  ୩୦ଜଣ ଡିଏସ୍‌ପି ଓ ଆସିଷ୍ଟାଣ୍ଟ୍‌ କମାଣ୍ଡାଣ୍ଟ୍‌, ୫୦ଜଣ ଇନ୍‌ସ୍‌ପେକ୍ଟର ଓ ୧୦୦ଜଣ ଅଫିସର ସୁରକ୍ଷାର ତଦାରଖ କରିବେ। ପୂରା ପୁଲିସ୍‌ ବ୍ୟବସ୍ଥାରେ ୪୫ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ ବୋଲି କେନ୍ଦ୍ରାଞ୍ଚଳ ଆଇଜି ସୂଚନା ଦେଇଛନ୍ତି।

ଆସନ୍ତାକାଲି  ଦିନ ୧ଟା୫ରେ ପ୍ରଧାନମନ୍ତ୍ରୀ ମୋଦି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ହେଲିକପ୍ଟର ଯୋଗେ ଆଇଆଇଟି ଭୁବନେଶ୍ୱରରେ ପହଞ୍ଚିବେ। ଦିନ ୧ଟା ୪୦ରୁ ୨ଟା ୨୦ ମଧ୍ୟରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ। ଅପରାହ୍ନ ପ୍ରାୟ ୨ଟା ୩୦ରେ ପ୍ରଧାନମନ୍ତ୍ରୀ ସାଧାରଣ ସଭାରେ ଉଦ୍‌ବୋଧନ ଦେବେ। ସେଠାରୁ ଫେରି ଅପରାହ୍ନ ୪ଟାରେ ମୋଦି ଦିଲ୍ଲୀ ଫେରିଯିବେ।

ସେପଟେ ଆସନ୍ତା ୧୬ରେ ବି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୧୬ରେ ତାଙ୍କର ପଶ୍ଚିମ ଓଡ଼ିଶାରେ କାର୍ଯ୍ୟକ୍ରମ ରହିଛି। ସେଠାରେ ସେ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।  ଏନେଇ ବିଜେପିର ଓଡ଼ିଶା ପ୍ରଭାରୀ ଅରୁଣ ସିଂ ସୂଚନା ଦେଇଛନ୍ତି। ସେହିପରି ଆସନ୍ତା ଜାନୁଆରୀ ୫ରେ ପ୍ରଧାନମନ୍ତ୍ରୀଙ୍କ ବାରିପଦା ଗସ୍ତ କାର୍ଯ୍ୟକ୍ରମ ରହିଛି।

You might also like