ଗର୍ଭବତୀ ସ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲେ, ପିଟିଲେ ସୁରକ୍ଷାକର୍ମୀ
ଭୁବନେଶ୍ୱର: କ୍ୱାରେଣ୍ଟିନ୍ ସେଣ୍ଟରରେ ଯୁବକଙ୍କୁ ମାଡ଼ ଅଭିଯୋଗ। ଗର୍ଭବତୀ ସ୍ତ୍ରୀଙ୍କୁ ଭେଟିବାକୁ ଯାଇ ଆକ୍ରମଣର ଶିକାର ହେଲେ ଯୁବକ । ଏପରି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ତୋଡଙ୍ଗା ପଞ୍ଚାୟତ କ୍ୱାରେଣ୍ଟିନ୍ ସେଣ୍ଟରରୁ।
ଅଭିଯୋଗରୁ ଜଣାଯାଇଛି, ଉଭୟେ ସ୍ୱାମୀ-ସ୍ତ୍ରୀ କିଛି ଦିନ ତଳେ ଦିଲ୍ଲୀରୁ ଗାଁକୁ ଫେରିଥିଲେ। ତେଣୁ ଘରକୁ ନ ଯାଇ ଉଭୟ କ୍ୱାରେଣ୍ଟିନ୍ ସେଣ୍ଟରରେ ଥିଲେ। ଗତ ରାତିରେ ସ୍ତ୍ରୀଙ୍କ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ସେ ସ୍ୱାମୀଙ୍କୁ ଫୋନ୍ କରିଥିଲେ । ମାତ୍ର ପତ୍ନୀଙ୍କୁ ଭେଟିବାକୁ ଯିବା ବେଳେ ସୁରକ୍ଷାକର୍ମୀ ତାଙ୍କୁ ବିରୋଧ କରିବା ସହ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସେତିକି ନୁହେଁ ତାଙ୍କ ଗର୍ଭବତୀ ସ୍ତ୍ରୀଙ୍କୁ ମଧ୍ୟ ସୁରକ୍ଷା କର୍ମୀ ଠେଲାପେଲା କରିଥିବା ଯୁବକ ଅଭିଯୋଗ କରିଛନ୍ତି।
ଏ ନେଇ ବିଡିଓ କହିଛନ୍ତି ସ୍ୱାମୀ-ସ୍ତ୍ରୀଙ୍କୁ ଦିନ ବେଳା କଥା ହେବା ପାଇଁ ସୁଯୋଗ ଦିଆଯାଇଥିଲା। ମାତ୍ର ଯୁବକ ଜଣଙ୍କ ରାତିରେ ମହିଳା ରହୁଥିବା ରୁମକୁ ଯିବାରୁ ଅନ୍ୟ ମହିଳା ଅନ୍ତେବାସୀମାନେ ବିରୋଧ କରିଥିଲେ। ଫଳରେ ସୁରକ୍ଷାକର୍ମୀମାନେ ତାଙ୍କୁ ବିରୋଧ କରିଥିଲେ ବୋଲି ବିଡିଓ କହିଛନ୍ତି।