ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ବୁଥ୍‌ ଅଭିମୁଖେ ପୋଲିଂ ପାର୍ଟି

ମତଦାନ ପାଇଁ ମାଓ ଉପଦ୍ରୁତ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର :  ଆସନ୍ତା ୧୧ତାରିଖରେ ଅନୁଷ୍ଠିତ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ୪ ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ। ନିର୍ବାଚନକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ବିଶେଷକରି ମାଓପ୍ରବଣ ଅଞ୍ଚଳ ଭାବେ ଜଣାଶୁଣା ମାଲକାନଗିରି, କୋରାପୁଟ,ରାୟଗଡ଼ା ଭଳି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହେବାକୁ ଥିବାରୁ ସୁରକ୍ଷାକୁ କଡ଼ା କଡ଼ି କରାଯାଇଛି। ଏସବୁ ଅଞ୍ଚଳରେ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ସାରିବା ପୁଲିସ ପାଇଁ ଏକ ବଡ଼ ଚାଲେଞ୍ଜ ବୋଲି ପୁଲିସ ଡିଜି ଇନ୍‌ଚାର୍ଜ ବିଜୟ ଶର୍ମା କହିଛନ୍ତି। ରାଜ୍ୟ ସଶସ୍ତ୍ର ବାହିନୀ ଓ କେନ୍ଦ୍ରୀୟ ପାରା ମିଲିଟାରୀ ଫୋର୍ସଙ୍କୁ ଶାନ୍ତି ଶୃଙ୍ଖଳା ପାଇଁ ନିୟୋଜିତ କରାଯାଉଛି।

ମାଓବାଦୀଙ୍କ କୌଣସି ଧମକକୁ ଖାତିର ନକରି ମୁକ୍ତ , ଅବାଧ ନିର୍ବାଚନ ସହ ସ୍ଥାନୀୟ ବାସିନ୍ଦା ନିର୍ଭୟରେ ଭୋଟ ଦେବାକୁ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଉଥିବା ସେ କହିଛନ୍ତି। ମିଳିଥିବା ସୁଚନା ଅନୁସାରେ, ଉକ୍ତ ଅଂଚଳରେ ୩୧ କମ୍ପାନୀ ପାରାମିଲିଟାରୀ ଫୋର୍ସ, ୧୨ କମ୍ପାନୀ ରାଜ୍ୟ ସଶସ୍ତ୍ର ବାହାନୀ  ଓ ଅନ୍ୟ  ପୁଲିସ ଫୋର୍ସ ନିୟୋଜିତ ହେବେ।

ଏହାସହ ବିଏସ୍ଏଫ୍ ପକ୍ଷରୁ ମଧ୍ୟ ଫୋର୍ସ ମୁତୟନ କରାଯାଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମୋଟ ୭ ହଜାର୨୩୩ ବୁଥ୍ ରହିଛି, ସେଥିମଧ୍ୟରୁ ସ୍ପର୍ଶକାତର ବୁଥ୍‌ ମୋଟ ୧୪ଶହ୧୭ଟି ରହିଛି। ଲେସ୍‌ କନେକ୍ଟିଭିଟି ବୁଥ୍‌  ୭୮୨ଟି ଓ ସାଧାରଣ ବୁଥ୍ ୫ହଜାର ୩୪ଟି ରହିଛି।

You might also like