କେନ୍ଦ୍ରାପଡ଼ା: ଆଜି ପବିତ୍ର ସ୍ନାନ ପୂର୍ଣ୍ଣମୀ। ୧୦୮ ଗରା ଜଳରେ ସ୍ନାନ କରିବେ ଶ୍ରୀଜୀଉ। ରଥଯାତ୍ରା ପରମ୍ପରାର ଏହା ଏକ ପର୍ବ। ହେଲେ ଆଜି ପରି ପବିତ୍ର ଦିନରେ କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିର ନିକଟରେ ଲାଗିଛି ୧୪୪ ଧାରା। ଜିଲ୍ଲା ପ୍ରଶାସନ ପକ୍ଷରୁ ଧାରା ୧୪୪ ଜାରି କରାଯାଇଛି ।

ମନ୍ଦିର ଚତୁଃପାର୍ଶ୍ୱ, ରଥଦାଣ୍ଡ ସମେତ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି । ସ୍ନାନ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଗତକାଲି ସଂଧ୍ୟା ୬ଟାରୁ ଆରମ୍ଭ ହୋଇଥିବା ଏହି ଧାରା ୧୪୪ ଶୁକ୍ରବାର ସକାଳ ୭ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ସମୟ ମଧ୍ୟରେ ଶ୍ରୀଜୀଉଙ୍କ ନୀତିକାନ୍ତି ମନ୍ଦିର ପରିସର ମଧ୍ୟରେ କରାଯିବ।

ଅନ୍ୟପକ୍ଷେ ବଳଦେବଜୀଉଙ୍କ ନୀତିକାନ୍ତି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମାପନ କରିବାକୁ ସ୍ଥିର ହୋଇଛି। ଏହି ସମୟ ମଧ୍ୟରେ ମନ୍ଦିର ଠାରୁ ୧ କିଲୋମିଟର ପର୍ଯ୍ୟନ୍ତ କୌଣସି ପ୍ରକାର ଭିଡ଼ ଅଥବା କୋଳାହଳ କରିବାକୁ କାହାକୁ ସୁଯୋଗ ଦିଆଯିବ ନାହିଁ। ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଥାଉ କି, କୋଭିଡ କଟକଣାକୁ ଭିତରେ ପୁରୀରେ ରଥଯାତ୍ରା ସମ୍ପନ୍ନ କରାଯିବ। ଆଜି ସ୍ନାନଯାତ୍ରା ମଧ୍ୟ କୋଭିଡ କଟକଣା ମଧ୍ୟରେ କରାଯାଉଛି।  କଟକଣା ଯୋଗୁଁ ଭକ୍ତଶୂନ୍ୟ ସ୍ନାନପୂର୍ଣ୍ଣିମା ଅନୁଷ୍ଠିତ ହେଉଛି।  ଶ୍ରୀକ୍ଷେତ୍ରରେ ଗତକାଲି ଜି ରାତି ୧୦ଟାରୁ ଲାଗୁ ହୋଇଯାଇଛି ୧୪୪ ଧାରା । ଏହା  ୨୫ ତାରିଖ ଯାଏଁ ବଳବତ୍ତର ରହିବ । ସ୍ନାନଯାତ୍ରା ପାଇଁ ମୁତୟନ ହେବେ ୩୫ ପ୍ଲାଟୁନ୍ ଫୋର୍ସ । ଏଥିସହ ୫ଜଣ ଅତିରିକ୍ତ ଏସପି, ୨୩ଜଣ ଡିଏସପି, ୪୧ଜଣ ଇନିସ୍ପେକ୍କରଙ୍କ ସହ ନିୟୋଜିତ ହେବେ ୫୩୦ ହୋମଗାର୍ଡ ।

ଶ୍ରୀକ୍ଷେତ୍ର ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।  ଏ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତେବେ ସରକାରଙ୍କ ନିଷ୍ପତିରେ ହସ୍ତକ୍ଷେପ କରିବାକୁ ମନା କରି ଦେଇଥିଲେ ହାଇକୋର୍ଟ ।  କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଯାହା ବି ନିଷ୍ପତି ନେଇଛନ୍ତି ସେଥିରେ ହାଇକୋର୍ଟ ହସ୍ତକ୍ଷେପ କରିବେନି ବୋଲି ସିଧାସଳଖ ମନା କରିଦେଇଥିଲେ । କେନ୍ଦ୍ରାପଡ଼ା ଓ ଭଟଲୀରେ ରଥଯାତ୍ରା ପାଇଁ ହାଇକୋର୍ଟରେ ମାମଲା ହୋଇଥିଲା । କେନ୍ଦ୍ରାପଡ଼ା ପାଇଁ ୪ଟି ଓ ଭଟଲୀ ପାଇଁ ଗୋଟିଏ ମାମଲା ହୋଇଥିଲା ।

Other Stories