ଏସବୁ ସ୍ଥାନରେ ଜାରି ହେଲା ୧୪୪ ଧାରା, ୪ରୁ ଅଧିକ ଲୋକଙ୍କୁ ଏକାଠି ହେବା ମନା

ଜଗତସିଂହପୁର: ପ୍ରସିଦ୍ଧ ଝାମୁ ଯାତ୍ରା ଓ ପଣାସଂକ୍ରାନ୍ତିକୁ ଆଖି ଆଗରେ ରଖି ତିର୍ତ୍ତୋଲ ଥାନା ଅନ୍ତର୍ଗତ ଝଙ୍କଡର ମା’ ଶାରଳାଙ୍କ ମନ୍ଦିର ଏବଂ ବାଲିକୁଦା ଥାନା ଅନ୍ତର୍ଗତ  ପରାହାଟ ଭଗବତୀ ମନ୍ଦିରରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ। ବିଶେଷ କରି ସାମାଜିକ ଦୂରତ୍ୱ ବଜାୟ ରଖିବା ଉଦ୍ଦେଶ୍ୟରେ ଏହି ଦୁଇ ପୀଠରେ ୧୪୪ ଧାରା ଲଗାଯାଇଛି।

ଏପ୍ରିଲ ୧୨ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଏହି ଧାରା ବଳବତ୍ତର ରହିବ  ବୋଲି କହିଛି ଜିଲ୍ଲା ପ୍ରଶାସନ। ଏହି ସମୟରେ ଗୋଟିଏ ସ୍ଥାନରେ ୪ ଜଣରୁ ଅଧିକ ଲୋକ ଏକାଠି ନ ହେବା ଲାଗି ନିର୍ଦ୍ଦେଶ ରହିଛି। ଝାମୁ ଯାତ୍ରା ଓ ପଣାସଂକ୍ରାନ୍ତିରେ ଏହି ପୀଠମାନଙ୍କରେ ପ୍ରବଳ ଜନ ସମାଗମ ହେଉଛି।

ରାଜ୍ୟ ତଥା ଜିଲ୍ଳାର ଲୋକମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ସମସ୍ତ ଶ୍ରଦ୍ଧାଳୁ ଓ ଭକ୍ତ ମନ୍ଦିରକୁ ନଆସି ଘରେ ପୂଜା କରିବାକୁ ଜିଲ୍ଳାପାଳ ପରାମର୍ଶ ଦେଇଛନ୍ତି।

କେବଳ ସେତିକି ନୁହେଁ, ଜିଲ୍ଲାର ପାରାଦୀପ ସ୍ଥିତ ରାମଘାଟ ହନୁମାନ ମନ୍ଦିର, ନୂଆବଜାରର ତାରିଣୀ ମନ୍ଦିର, ଷଣ୍ଢକୁଦର କାଳି ମନ୍ଦିର, ନାଉଗାଁ ଥାନା ଗାରୋଇ ସ୍ଥିତ ଜଗନ୍ନାଥ ମନ୍ଦିର ଓ ବିରିଡି ଧାନକୁଦ ଜଗନ୍ନାଥ ମନ୍ଦିରରେ ବି ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ହୋଇଛି।

You might also like