ଡିସେମ୍ୱରରେ ଆସିପାରେ କରୋନାର ଦ୍ୱିତୀୟ ଲହରୀ

ଆମେରିକାର ମଡର୍ଣ୍ଣା, ଫାଇଜର ହେଉ କି ଋଷୀୟ ଟିକା ସ୍ଫୁଟନିକ୍ ଭି ଅବା ଅକ୍ସଫୋର୍ଡ କୋଭିସିଲ୍ଡ କି ଭାରତର ସଂପୂର୍ଣ୍ଣ ସ୍ୱଦେଶୀ ଟିକା କୋଭାକ୍ସିନ୍। କରୋନା ବିରୋଧୀ ଲଢ଼େଇରେ ଯୁଦ୍ଧ ଜିତିବାକୁ କବଚ ପ୍ରସ୍ତୁତିରେ ଲାଗିଛି ସାରା ବିଶ୍ୱ। ଏସବୁ ଭିତରେ ପୁଣି ଏକ ନୂଆ ଆଶା ଦେଖାଇଛି ଅକ୍ସଫୋର୍ଡ ୟୁନିଭର୍ସିଟିର କରୋନା ଟିକା।

ଫେଜ୍ ଥ୍ରୀ ଟ୍ରାଏଲ୍‌ର ଅନ୍ତରୀଣ ରିପୋର୍ଟ ଜାରି କରି ଏହାର ନିର୍ମାତା ଦାବି କରିଛନ୍ତି ଯେ, ଏହି ଟିକା ଗୋଟିଏ ପ୍ରକାର ଡୋଜ୍ ପରୀକ୍ଷଣରେ ୯୦ ପ୍ରତିଶତ ଏବଂ ଅନ୍ୟ ଏକ ଡୋଜ୍ ପରୀକ୍ଷଣରେ ୬୨ ପ୍ରତିଶତ ଫଳପ୍ରଦ ହୋଇଛି। ସାମଗ୍ରିକ ଫଳାଫଳକୁ ହିସାବକୁ ନେଲେ ହାରାହାରି ସଫଳତା ୭୦.୪ ପ୍ରତିଶତ ରହିଛି।

ଏହା ଭିତରେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣରୁ ମଡର୍ଣ୍ଣା ୯୪.୫ ପ୍ରତିଶତ, ଫାଇଜର ୯୫ ପ୍ରତିଶତ, ସ୍ପୁଟନିକ୍ ଭି ୯୨ ପ୍ରତିଶତ ସଫଳତା ଦାବି କରି ସାରିଛନ୍ତି। ଏସବୁ ଭିତରେ ଆସନ୍ତା ଡିସେମ୍ବର ୧୧ କିମ୍ବା ୧୨ରେ ଫାଇଜର କରୋନା ଟିକାକୁ ଆମେରିକାରେ ଟିକାକରଣ ପାଇଁ ଅନୁମତି ମିଳିପାରେ ବୋଲି କୁହାଯାଉଛି।

ଏପଟେ ଭାରତର ଦେଶୀ ଟିକା କୋଭାକ୍ସିନ୍ ବି ୯୦ପ୍ରତିଶତରୁ ଅଧିକ ଫଳପ୍ରଦ ହେବା ଆଶାରେ ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆଗେଇ ଚାଲିଛି। ଓଡ଼ିଶାରେ ଆଗାମୀ ଦେଢ଼ମାସ ଭିତରେ କୋଭାକ୍ସିନ୍‌ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ସରିଯିବ।

ଆସନ୍ତା ଜୁନ୍ ସୁଦ୍ଧା ଏହା ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବାର ବହୁ ପୂର୍ବରୁ ସମ୍ମୁଖ ଯୋଦ୍ଧାଙ୍କ ପାଇଁ ଉପଲବ୍ଧ ହୋଇ ପାରିବ ବୋଲି କହିଛନ୍ତି କୋଭାକ୍ସିନ୍ ଓଡ଼ିଶାର ପ୍ରିନ୍ସିପାଲ୍ ଇନ୍ଭେଷ୍ଟିଗେଟର।

ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, କୋଭିଡ୍ ଟିକା ଉପଲବ୍ଧ ହେବା କ୍ଷଣି କେନ୍ଦ୍ରର ଗାଇଡ୍‌ଲାଇନ୍ ଅନୁସାରେ ଟିକାକରଣ ପାଇଁ ରାଜ୍ୟ ସଂପୂର୍ଣ୍ଣ ପ୍ରସ୍ତୁତ ଅଛି।

ଏପଟେ ଟିକାକୁ ନେଇ ଲଗାତର ଭଲ ଖବର ଆସୁଥିଲା ବେଳେ କିଛି ରାଜ୍ୟରେ କରୋନା ମୃତ୍ୟୁହାର ଏବେବି ଉଦ୍‌ବେଗ ଜନକ ସ୍ଥିତିରେ ରହିଛି। ଏପରିକି ସଂକ୍ରମଣ ହାର କମୁଥିଲେ ବି ଓଡ଼ିଶା ସମେତ ବିହାର, କେରଳ, ଆସାମ, ଝାଡ଼ଖଣ୍ଡ, ଗୁଜରାଟ, ହିମାଚଳ ପ୍ରଦେଶ ଭଳି ରାଜ୍ୟରେ ମୃତ୍ୟୁ ସଂଖ୍ୟା ବଢ଼ିବା ଚିନ୍ତା ବଢ଼ାଇଛି।

ବିଶେଷକରି ଓଡ଼ିଶାରେ ସଂକ୍ରମଣ ସଂଖ୍ୟା ହଜାରେ ତଳକୁ ଖସି ଆସିଥିଲେ ବି ଗଲା ଦଶ ଦିନ ଧରି ମୃତ୍ୟୁ ସଂଖ୍ୟା ୧୫ ତଳକୁ ଖସୁନି। ଆଜି ବି ଆକ୍ରାନ୍ତଙ୍କ ସଂଖ୍ୟା ୬୬୮ ଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ୧୭ ରହିଛି।

ଏପଟେ ଗତ ଦୁଇଦିନ ମଧ୍ୟରେ ଦିଲ୍ଲୀ, ଗୁଜରାଟ, ମହାରାଷ୍ଟ୍ର ଓ ଆସାମରେ କରୋନା ସଂକ୍ରମଣ ଉପରମୁହାଁ ହେବାରୁ ଡିସେମ୍ବର ମାସରେ ଦ୍ୱିତୀୟ ଲହରିକୁ ନେଇ ଆଶଙ୍କା ଆହୁରି ବଢିଯାଇଛି। ଏଭଳି ସ୍ଥିତିରେ ରାଜ୍ୟ ସରକାରମାନେ ସ୍ଥିତି ନିୟନ୍ତ୍ରଣ ପାଇଁ କି କି ପଦକ୍ଷେପ ନେଉଛନ୍ତି ସେ ନେଇ ମାମଲାକୁ ନିଜ ଆଡୁ ରିପୋର୍ଟ ତଲବ କରିଛନ୍ତି ସୁପ୍ରିମ୍‌ କୋର୍ଟ।

କୋଭିଡ୍ ପରିଚାଳନା ନେଇ ଏବେଠାରୁ ପ୍ରସ୍ତୁତ ନହେଲେ ଡିସେମ୍ବରରେ ସ୍ଥିତି ବିଗିଡି ଯାଇପାରେ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆସନ୍ତାକାଲି ଦେଶର କରୋନା ସ୍ଥିତି ନେଇ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।

You might also like