କପି ରୋକିବାକୁ ପରୀକ୍ଷା କେନ୍ଦ୍ରରେ ୧୪୪ ଧାରା ଜାରି

କାମାକ୍ଷାନଗର: ମହଙ୍ଗା ପଡିଲା ମାଟ୍ରିକ୍‌ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କୁ ଖୁଲମ୍‌ଖୁଲା କପି ଯୋଗାଇ ଦେବା। କପି ରୋକିବା ପାଇଁ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବିରିବୁଲେଇ ଜନତା ସରକାରୀ ହାଇସ୍କୁଲରେ ୧୪୪ ଧାରା ଜାରି ହୋଇଛି। ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଖୁଲମଖୁଲା କପି ଦିଆଯାଉଥିବା ଜଣାପଡ଼ିବା ପରେ ପ୍ରଶାସନ ପକ୍ଷରୁ ଏଭଳି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏନେଇ କଙ୍କଡ଼ାହାଡ଼ ବିଇଓ ହରିହର ଦେହୁରୀ ସୂଚନା ଦେଇଛନ୍ତି। ପୁଲିସ୍‌ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପରୀକ୍ଷା କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ସୂଚନାଥାଉ କି, ଶନିବାର ଦିନ ଇଂରାଜୀ ପରୀକ୍ଷା ବେଳେ ଅଭିଭାବକମାନେ ଖୁଲମ୍‌ଖୁଲା ସ୍କୁଲ କାନ୍ଥ ଡେଇଁ ପରୀକ୍ଷାର୍ଥୀଙ୍କୁ କପି ଯୋଗାଇ ଦେଇଥିଲେ। କେବଳ କଙ୍କଡ଼ାହାଡ଼ ନୁହେଁ ଜିଲ୍ଲାର ୮୩ଟି ପରୀକ୍ଷା କେନ୍ଦ୍ରରେ କଡାକଡ଼ି ଭାବେ ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି।

ଆଜି ତୃତୀୟ ଭାଷା ପରୀକ୍ଷା ଥିବାବେଳେ ଏହାକୁ ଆଖି ଆଗରେ ରଖି ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେପଟେ କଟକ ଜିଲ୍ଲାର ୫ଟି ପରୀକ୍ଷା କେନ୍ଦ୍ରରେ ଅତିରିକ୍ତ ଫୋର୍ସ ମୁତୟନ କରିବାକୁ ମାଧ୍ୟମିକ ଶିକ୍ଷା ପରିଷଦର ସମ୍ପାଦକ କଟକ ଡିସିପି ଓ ଗ୍ରାମାଞ୍ଚଳ ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି।

You might also like