SDG ରିପୋର୍ଟ ଖୋଲିଲା ସରକାରଙ୍କ ପୋଲ, ୧୬ରୁ ଖସି ୨୧ରେ ପହଞ୍ଚିଲା ଓଡ଼ିଶା

ଭୁବନେଶ୍ୱର: ଏସଡିଜି ରିପୋର୍ଟକୁ ନେଇ ଓଡ଼ିଶା ସରକାରଙ୍କୁ ଟାର୍ଗେଟ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ । କହିଲେ ଓଡ଼ିଶାର ସ୍ଥିତି ଭଲ ନାହିଁ, ସରକାର ଏଥିପ୍ରତି ଗୁରୁତ୍ୱ ଦେବା ଉଚିତ୍ । ଏସଡିଜି ରିପୋର୍ଟ ଖୋଲିଦେଲା ସରକାରଙ୍କ ପୋଲ । ରିପୋର୍ଟ ବାଖାଣୁଛି ସରକାରଙ୍କ ବିଫଳତା । ରାଜ୍ୟରେ ଦିନକୁ ଦିନ ହିଂସା ବଢ଼ୁଛି ଆଉ ତାଲିକାରେ ରାଜ୍ୟର ମାନ କମୁଛି ।

ଏସଡିଜି ଇଣ୍ଡିଆ ରାଙ୍କିଂରେ ଓଡିଶାର ସ୍ଥାନ ତଳକୁ ଖସୁଥିବାରୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ରାଜ୍ୟରେ ଅପରାଧ ବଢ଼ୁଛି, ଦେଶରେ ତଳଆଡୁ ପଂଚମ ସ୍ଥାନରେ ରହିଛି ଓଡିଶା । ରାଜ୍ୟର ନିମ୍ନ ପ୍ରଦର୍ଶନ ରାଜ୍ୟବାସୀଙ୍କ ପାଇଁ ଦୁଃଖର ବିଷୟ ବୋଲି ସେ ଅଭିଯୋଗ କରିଛନ୍ତି ।

୨୦୧୯ରେ ଏସଡିଜି ଇଣ୍ଡିଆ ରାଙ୍କିଂରେ ୧୬ ତମ ସ୍ଥାନରେ ଥିବା ବେଳେ ଏବେ ଓଡିଶା ୨୧ତମ ସ୍ଥାନକୁ ଖସି ଆସିଛି । ଖାଲି ସେତିକି ନୁହେଁ ରାଜ୍ୟରେ ମନରେଗାରେ ନିଯୁକ୍ତି କମିଛି, ଏହାସହ ନାରୀ ନିର୍ଯାତନା ଖୁବ ବଢ଼ିଛି । ବେକାରୀ ସମସ୍ୟା ବଢ଼ିଛି, ରାଜ୍ୟରେ ଇଣ୍ଟରନେଟ ୟୁଜର୍ସଙ୍କ ସଂଖ୍ୟା ମଧ୍ୟ କମିଛି ।

ଅନ୍ୟପଟେ ରାଜ୍ୟରେ ଅପରାଧ ମଧ୍ୟ ବଢ଼ିଛି । ହତ୍ୟାଠାରୁ ଆରମ୍ଭ କରି ଶିଶୁ ବିରୋଧୀ ଅପରାଧ, ମାନବ ଚାଲାଣ ଆଦି ରାଜ୍ୟରେ ବଢ଼ିଥିବା ଅପରାଜିତା ଷଡଙ୍ଗୀ ଅଭିଯୋଗ କରିଛନ୍ତି ।

ସେପଟେ ଏସଡିଜି ରିପୋର୍ଟକୁ ନେଇ ରାଜନୀତିକରଣ କରାଯିବା ଅନୁଚିତ ବୋଲି ବିଜେଡି ସାଂସଦ ଅମର ପଟ୍ଟନାୟକ କହିଛନ୍ତି  ।SDG ରିପୋର୍ଟ ପ୍ରସ୍ତୁତରେ ଗଡ଼ବଡ଼ ଥିବା ଅନୁମାନ କରାଯାଉଛି । ରିପୋର୍ଟକୁ ନେଇ ପ୍ରଶ୍ନ ଉଠାଇବା ସହ ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ କରିଛନ୍ତି ଅମର । ଉପର ଠାଉରିଆ ଭାବେ ତଥ୍ୟ ପଢ଼ି ରାଜନୀତି କରିବା ଦୁଃଖର କଥା । SDG ରିପୋର୍ଟକୁ ଠିକ୍ ଭାବେ ପଢ଼ାଗଲେ ଉଦ୍ଦେଶ୍ୟ ସାଧିତ ହେବ ବୋଲି ଅମର କହିଛନ୍ତି ।

You might also like