ପୁରୀ SCS କଲେଜରେ ୩୭ ପ୍ରମାଣପତ୍ରରୁ ୧୯ ନକଲି

ପୁରୀ: ଧରାପଡ଼ିଲା ଦିବ୍ୟାଙ୍ଗ ସାର୍ଟିଫିକେଟ ଦେଇ ଭଲ କଲେଜରେ ନାଁ ଲେଖାଇବାର କାରସାଦି। ଏଭିଳି ସାଙ୍ଘାତିକ ଅଭିଯୋଗ ଅାସିଛି ପୁରୀ SCS କଲେଜ୍‌ରୁ। ଦିବ୍ୟାଙ୍ଗ ପ୍ରମାଣପତ୍ରରେ ଦିବ୍ୟାଙ୍ଗର ମାତ୍ରା ସୂଚାଇବା ଲାଗି ଉଦ୍ଦିଷ୍ଟ ସ୍ଥାନରେ ଲେଖାଯାଇଛି କେବଳ ଇଅର ବା କାନ। ଏଥିରୁ ସ୍ପଷ୍ଟ, କୌଣସି ଡାକ୍ତର ପ୍ରମାଣପତ୍ର ଦେଇନାହାନ୍ତି। ତେବେ ପ୍ରଶ୍ନ ଉଠୁଛି, ପ୍ରମାଣପତ୍ରକୁ ଦେଖୁ ଦେଖୁ ଏହା ନକଲି ବୋଲି ଯେ କେହି ଜାଣିପାରିବେ। ହେଲେ ଅାଶ୍ଚର୍ଯ୍ୟର କଥା, ଅାଡ୍‌ମିଶନ ଦାୟିତ୍ୱରେ ଥିବା ଏସ୍‌ସିଏସ କଲେଜ ଅଧିକାରୀ ଏହା ଜାଣିପାରିଲେ ନାହିଁ କେମିତି ? ଚଳିତ ବର୍ଷ ଦିବ୍ୟାଙ୍ଗ କୋଟାରେ ଅାଡମିଶନ କରିଥିବା ୩୭ ଜଣଙ୍କ ପ୍ରମାଣପତ୍ର କଲେଜ କର୍ତ୍ତୃପକ୍ଷ ଯାଞ୍ଚ ପାଇଁ ପଠାଇଥିଲେ। ସେଥିରୁ ୧୯ଟି ନକଲି ଥିବା ଜଣାପଡିଛି।

କେବଳ ଏବର୍ଷ ନୁହେଁ, ପ୍ରତିବର୍ଷ ଏମିତି ଜାଲ ପ୍ରମାଣପତ୍ର ଦେଇ ଅନେକ ପିଲା କଲେଜରେ ଅାଡମିଶନ କରୁଥିବା ଅଭିଯୋଗ ହୋଇଛି। ଗତବର୍ଷ ଇଣ୍ଟିଗ୍ରେଟେଡ୍ ବିଏଡ୍‌ର ମଧ୍ୟ SCSରେ ବ୍ୟାପକ ଜାଲିଅାତିର ଅଭିଯୋଗ ଅସିଥିଲା। ଅନ୍ୟପକ୍ଷରେ ସାର୍ଟିଫିକେଟ୍ ଯାଞ୍ଚ ରିପୋର୍ଟ ଅାସିବା ପରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଅାଯିବ ବୋଲି କଲେଜ ଅଧ୍ୟକ୍ଷ କହିଛନ୍ତି।

ଭିନ୍ନକ୍ଷମ ସାର୍ଟିଫିକେଟ୍ ଦେଇ ସାଧାରଣ ପିଲା ଅାଡ୍‌ମିଶନ କରିବା ଦ୍ୱାରା ପ୍ରକୃତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଅାଡମିଶନ ପାଇବାରୁ ବଞ୍ଚିତ ହୋଇଛନ୍ତି। ତେବେ କେବଳ SCS କଲେଜରେ ଏହି ଜାଲିଅାତି ହୋଇଛି ନା ଅନ୍ୟାନ୍ୟ କଲେଜରେ ବି ସମାନ କାରସାଦି ଚାଲିଛି, ତାର ଯାଞ୍ଚ ହେବା ଜରୁରୀ ହୋଇପଡ଼ିଛି।

You might also like