ଗାଁକୁ ଫେରି ପୁରୁଣା ଦିନର ସ୍ମୃତି ସାଉଁଟିଲେ ବୈଜ୍ଞାନିକ ଡଃ କୈଳାସ ଚନ୍ଦ୍ର ସାହୁ

ଗଞ୍ଜାମ: ବିଜ୍ଞାନ ଦ୍ୱାରା ଆକାଶଗଙ୍ଗାରେ ଥିବା ତାରାର ଓଜନ ମାପିବା ସମ୍ଭବ। ଏଭଳି ସିଦ୍ଧାନ୍ତ ଦେଇଥିଲେ ନାସାର ବିଖ୍ୟାତ ବୈଜ୍ଞାନିକ ଡଃ କୈଳାସ ଚନ୍ଦ୍ର ସାହୁ। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ବେଲଗାଁରୁ ଆମେରିକାର ମହାକାଶ ଗବେଷଣା କେନ୍ଦ୍ର ନାସା ଯାଏ ତାଙ୍କ ଯାତ୍ରା ଥିଲା ଅଦ୍ଭୂତପୂର୍ବ। ରାତି ଅନ୍ଧାରରେ ଯେଉଁ ତାରାକୁ ଦେଖୁଥିଲେ ତାହା ଉପରେ ଗବେଷଣା କରି ଆଜି ବନିଯାଇଛନ୍ତି ବିଖ୍ୟାତ ବୈଜ୍ଞାନିକ।

ସେତେବେଳ ସମୟରେ ଲଣ୍ଠନର ମିଞ୍ଜିମିଞ୍ଜି ଆଲୁଅରେ ପାଠ ପଢ଼ୁଥିବା କୈଳାସ ସାହୁ ଏବେ ବିଖ୍ୟାତ ବୈଜ୍ଞାନିକ।  ତାରାର ଓଜନ ମାପି ବିଶ୍ୱ ବିଜ୍ଞାନରେ ସେ ଚହଳ ସୃଷ୍ଟି କରିଥିଲେ।  ଅନ୍ଧାର ରାତିରେ ଘର ଦୁଆରେ ବସି ଆକାଶକୁ ଚାହୁଁଥିବା ବେଳେ ତାରା ଗୁଡିକର ସ୍ଥିତି ତାଙ୍କୁ ଆକର୍ଷିତ କରୁଥିଲା। ଏହା ପରଠୁ ସେ ଯେଭଳି ତାରାର ପ୍ରେମରେ ପଡ଼ି ଯାଇଥିଲେ। ତାରାକୁ ଦେଖୁ ଦେଖୁ ୨୦୧୭ ଜୁନ୍ ମାସରେ ନିଜ ଗବେଷଣା ଫଳରେ ତାରାର ଓଜନ ମାପିବା ସମ୍ଭବ ବୋଲି ସେ ସିଦ୍ଧାନ୍ତରେ ପହଞ୍ଚି ଯାଇଥିଲେ।

୧୯୭୭ରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପାଠ ପଢ଼ା ସାରିବା ପରେ ସେ ଅଧିକ ଗବେଷଣା ପାଇଁ ହାଇଦ୍ରାବାଦ ଓ ପରେ ସ୍ପେନ୍‌ ଚାଲି ଯାଇଥିଲେ। ଏହାପରେ ଆମେରିକାର ନାସାରେ ବୈଜ୍ଞାନିକ ଭାବେ ଯୋଗ ଦେଇଥିଲେ। ଏବେ ସେ ଗାଁକୁ ଫେରିଥିବା ବେଳେ ପୁରୁଣା ଦିନର ସ୍ମୃତି ସାଉଁଟିଛନ୍ତି। ସେ ପଢିଥିବା ଗାଁ ସ୍କୁଲ ଗଣେଶ ବିଦ୍ୟାପୀଠରେ ପିଲାଙ୍କୁ ଭେଟି ବିଭିନ୍ନ ବିଜ୍ଞାନ ଶିକ୍ଷା ବି ଦେଇଛନ୍ତି। ଏହି ଅବସରରେ ନିଜ ଜୀବନର ସ୍ମୃତି, ବିଜ୍ଞାନ ସମ୍ବନ୍ଧୀୟ ଗବେଷଣା ବାବଦରେ ପିଲାଙ୍କୁ ପ୍ରୋଜେକ୍ଟର ସହାୟତାରେ ବି ଦେଖାଇଥିଲେ ବୈଜ୍ଞାନିକ କୈଳାସ ସାହୁ। ଅନ୍ୟପଟେ ତାଙ୍କୁ ଗାଁରେ ପାଇ ତାଙ୍କ ସହପାଠୀ ବି ବେଶ୍‌ ଖୁସି।

କୈଳାସ ୨୦୧୭ ମସିହାରେ ସାରା ବିଶ୍ୱକୁ ଯେଉଁ ନୂଆ ସିଦ୍ଧାନ୍ତର ଉପହାର ଦେଇଥିଲେ। ଯାହାକୁ ନେଇ ତାଙ୍କ ଜନ୍ମ ମାଟି ଗର୍ବିତ।

You might also like