ଦୀର୍ଘ ୯ ମାସ ପରେ ପିଲାଙ୍କ ପାଇଁ ଫିଟିଲା ବିଦ୍ୟାଳୟ ଫାଟକ; ସ୍ଥିତି ପରଖିଲେ ମନ୍ତ୍ରୀ

ଭୁବନେଶ୍ୱର: ଦୀର୍ଘ ୯ ମାସର ବ୍ୟବଧାନ ପରେ ପିଲାଙ୍କ ପାଇଁ ଆଜିଠୁ ଫିଟିଛି ବିଦ୍ୟାଳୟ ଫାଟକ। ଅଦୃଶ୍ୟ ଭୂତାଣୁର ଭୟାବହତାରେ ସୁଧାର ପରେ ଚଳଚଞ୍ଚଳ ହୋଇଛି ସ୍କୁଲ୍ କ୍ୟାମ୍ପସ। କୋଭିଡ୍ କଟକଣା ଭିତରେ ପାଠପଢ଼ା ଆରମ୍ଭ କରିଛନ୍ତି ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ। ତେବେ ଆଜି ପ୍ରଥମ ଦିନରେ ଅବଶ୍ୟ ଉପସ୍ଥାନ ବହୁତ କମ୍ ଥିଲା। ତଥାପି ସ୍କୁଲ ଆସିଥିବା ପିଲାଙ୍କ ମୁହଁରେ ବାରି ହେଉଥିଲା ଆନନ୍ଦ।

ଦିନେ କରୋନାର କରାଳ ଛାୟା ସମୟରେ କୋଭିଡ୍ ଯୋଦ୍ଧାଙ୍କ ପାଇଁ ବାଜିଥିଲା ଘଣ୍ଟ, ଘଣ୍ଟା, ତାଳି, ଥାଳି। ଥରେ ମନେପକାନ୍ତୁ ୯ ମାସ ତଳର ସେହି ଉଦବେଗଜନକ ଦୃଶ୍ୟକୁ। ହେଲେ ଆଜି କିନ୍ତୁ ବଦଳିଯାଇଛି ସମୟ। ସେହି ଅଦୃଶ୍ୟ ଭୂତାଣୁ ଆୟତ୍ତ ପରେ ନୂଆ ଆଶା ଆଉ ସମ୍ଭାବନା ନେଇ ପିଲାଙ୍କ ସ୍କୁଲ୍‌ରେ ଏବେ ବାଜିଛି ଘଣ୍ଟି। ତାଳି ମାରି ପିଲାଙ୍କୁ ସ୍ୱାଗତ କରାଯାଉଛି, ପେନ୍ ଖଣ୍ଡେ ଖଣ୍ଡେ ଦେଇ ମନୋବଳକୁ ଦୃଢ଼ କରାଯାଉଛି। କାରଣ ଆଜିଠୁ ଖୋଲିଛି ସ୍କୁଲ୍। ଆଜି ଘରୋଇ ସ୍କୁଲଗୁଡ଼ିକ ସକାଳୁ ଖୋଲିଥିବାବେଳେ ସରକାରୀ ସ୍କୁଲଗୁଡ଼ିକ ଦିନ ୧୦ଟାରେ ଖୋଲିଥିଲା।

 

ଉପାନ୍ତରୁ ଉପକୂଳ, ଗାଁରୁ ସହର, ଚଳଚଞ୍ଚଳ ହୋଇଉଠିଛି ସ୍କୁଲ୍ କ୍ୟାମ୍ପସ୍। ସ୍କୁଲ ପ୍ରବେଶ ପୂର୍ବରୁ ଅଭିଭାବକଙ୍କ ଅନୁମତି ପତ୍ର ଯାଞ୍ଚ ସହ ଥର୍ମାଲ୍ ସ୍କ୍ରିନିଂ ଓ ସାନିଟାଇଜର ବ୍ୟବହାରକୁ ଗୁୁରୁତ୍ୱ ଦିଆଯାଇଛି। ଏସବୁ ଭିତରେ ଆଜି ଦୀର୍ଘ ଦିନ ପରେ ସ୍କୁଲ ବାରଣ୍ଡା ମାଡ଼ି ଖୁସି ପ୍ରକାଶ କରିଛନ୍ତି ୧୦ମ ଓ ଦ୍ୱାଦଶ ଛାତ୍ରଛାତ୍ରୀ।

ଏନେଇ ଆମେ ଛାତ୍ରଛାତ୍ରୀଙ୍କ ପ୍ରତିକ୍ରିୟା ବି ନେଇଥିଲୁ। ପୁରୀର ଜଣେ ଛାତ୍ରୀ ନିଗାର ପରୱିନ୍ ସ୍କୁଲ୍‌ ଆସି ଖୁବ୍ ଖୁସିଥିବା ବେଳେ ପରୀକ୍ଷା ପାଇଁ ଉତ୍ସାହିତ ଥିବା କହିଛନ୍ତି। ସେହିପରି ସ୍କୁଲ୍ ଆସି ଖୁସି ଥିଲେ ବି କରୋନା ପାଇଁ ସାମାନ୍ୟ ଭୟ ବି ରହିଥିବା ଭୁବେଶ୍ୱରର ଜଣେ ଛାତ୍ର କହିଛନ୍ତି। ଅନ୍ୟପଟେ ସ୍କୁଲ୍‌ ନ ଆସିବି ପିଲାମାନଙ୍କୁ ଯାଇ ଡୋର୍‌ ଟୁ ଡୋର୍ ଶିକ୍ଷା ଦେଉଥିଲେ ଶିକ୍ଷକ। ଏବେ ସ୍କୁଲ୍ ଆସିବା ପରେ ଶିକ୍ଷା ଆହୁରି ଭଲ ହେବ ବୋଲି କେନ୍ଦ୍ରାପଡ଼ା ବଳଦେବ ହାଇସ୍କୁଲର ପ୍ରଧାନ ଶିକ୍ଷକ ନୃସିଂହ ଚରଣ ତ୍ରିପାଠୀ କହିଛନ୍ତି।

ସ୍କୁଲ୍ ଗାଇଡ୍‌ଲାଇନ୍‌

କରୋନା ଗାଇଡ୍‌ଲାଇନ୍‌ ମାନିର ରାଜ୍ୟରେ ସ୍କୁଲ୍ ଖୋଲିଛି। ସ୍କୁଲ୍ ଖୋଲିବା ପରେ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଶିକ୍ଷକ ଓ ସହକର୍ମୀ ସମସ୍ତେ କରୋନା ନିୟମ ମାନିବେ ବୋଲି ଗାଇଡ୍‌ଲାଇନ୍‌ରେ କୁହାଯାଇଛି।

  • ଜାରି ହୋଇଥିବା କରୋନା ଗାଇଡଲାଇନ ଅନୁଯାୟୀ କ୍ଳାସରୁମରେ ୨୦ରୁ ୨୫ଜଣ ଛାତ୍ରଛାତ୍ରୀଙ୍କୁ ବସିବାକୁ ଅନୁମତି ଦିଆଯାଇଛି। ତେବେ ଆଜି ପ୍ରଥମ ଦିନରେ ଉପସ୍ଥାନ ସଂଖ୍ୟା କିନ୍ତୁ ବହୁତ କମ୍ ରହିଥିଲା।
  • ଯେଉଁମାନଙ୍କର କୋଭିଡ୍ ଲକ୍ଷଣ ପରିଲକ୍ଷିତ ହେବ ସେମାନଙ୍କୁ ପ୍ରତି ସ୍କୁଲ୍‌ରେ କରାଯାଇଥିବା ଆଇସୋଲେସନ୍ ରୁମ୍‌ରେ ରଖି କର୍ତ୍ତୃପକ୍ଷ ମେଡିକାଲ ଟିମ୍‌କୁ ସୂଚନା ଦେବାକୁ ଗାଇଡ୍‌ଲାଇନରେ ଦର୍ଶାଯାଇଛି।
  • ପ୍ରବେଶ ପରେ ଅଧାରୁ ସ୍କୁଲରୁ ବାହାରକୁ କାହାରିକୁ ଛଡ଼ାଯିବନି।
  • ଛୁଟି ପରେ ପୁଣିଥରେ ସବୁ ରୁମ୍‌କୁ ସାନିଟାଇଜ କରିବାକୁ ଏସ୍ଓପିରେ ଉଲ୍ଲେଖ ରହିଛି।

ତେବେ ଆଜି ପ୍ରଥମ ଦିନରେ ସ୍କୁଲଗୁଡ଼ିକରେ ପ୍ରସ୍ତୁତି କିଭଳି ରହିଥିଲା, ଏନେଇ ତଦାରଖ କରିଥିଲେ ନିଜେ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ। ରାଜଧାନୀର କିଛି ସ୍କୁଲକୁ ନିଜେ ଯାଇ ତଦାରଖ କରିଥିଲେ ମନ୍ତ୍ରୀ। ତଦାରଖ ପରେ ମନ୍ତ୍ରୀ କହିଥିଲେ “ଅନ୍‌ଲାଇନ୍‌ରେ ଯାହା ପଠାପଢ଼ା ହୋଇଥିଲା ଏବେ ଆରମ୍ଭରୁ କୋର୍ସ ସରିବା ପର୍ଯ୍ୟନ୍ତ ପାଠ ପଢ଼ା ହେବ। ମିଳିଥିବା ଟାର୍ଗେଟ ଅନୁସାରେ ଶହେ ଦିନ ଭିତରେ କୋର୍ସ ସରିବ।” ଏଥିସହିତ ଏସ୍ଓପି ପାଳନରେ ଖିଲାପ ହେଲେ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ଚେତାବନୀ ଶୁଣାଇଛନ୍ତି।

ସେହିପରି ଛାତ୍ରଛାତ୍ରୀମାନଙ୍କର କଲେଜ୍ ଆସିବା ନେଇ ବିଜେବି ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷ ରଞ୍ଜନ କୁମାର ବଳ କହିଛନ୍ତି ଯେ ପିଲମାନଙ୍କ ପାଇଁ ଗୋଟେ ଅଣ୍ଡର ଟେକିଂ ଫର୍ମର ବ୍ୟବସ୍ଥା କରାଯାଇଛି। ପିଲମାନଙ୍କୁ ଦୂରତା ରଖିବାକୁ ଶିଖାଉଥିବା ବେଳେ ସବୁବେଳେ ମାସ୍କ ପିନ୍ଧିବା, ସାନିଟାଇଜର ରଖିବା ଓ ଘରୁ ପାଣି ବୋଟଲ ଆଣିବାକୁ ସମସ୍ତଙ୍କୁ କୁହାଯାଇଥିବା ରଞ୍ଜନ କୁମାର ବଳ କହିଛନ୍ତି।

ସ୍କୁଲ ଆସିନଥିବା ଛାତ୍ରଛାତ୍ରୀ ପୂର୍ବଭଳି ଅନଲାଇନରେ ପାଠ ପଢ଼ା ଜାରି ରଖିପାରିବେ। ଆସନ୍ତା ୧୧ ତାରିଖରେ ଖୋଲିବ ରାଜ୍ୟର ସମସ୍ତ କଲେଜ ଓ ୟୁନିଭର୍ସିଟି। କେବଳ ଶେଷ ସେମିଷ୍ଟର ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କର ହେବ ପାଠପଢ଼ା।

 

You might also like