ନିଷ୍ପତ୍ତିର କିଛି ସମୟ ପରେ ବଦଳିଲା ସ୍କୁଲ୍ ଖୋଲିବା ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ସ୍କୁଲ୍‌, କଲେଜ ଖୋଲିବା ନେଇ ଯେଉଁ ନିର୍ଦ୍ଦେଶନାମା ଜାରି କରାଯିବାର କିଛି ସମୟ ପରେ  ସେଥିରେ ସଂଶୋଧନ କରାଯାଇଛି। ନୂଆ ଗାଇଡ୍‌ଲାଇନ୍‌ ଅନୁସାରେ, ନଭେମ୍ବର ୧୫ ପରେ ନବମରୁ ଦ୍ୱାଦଶ ଯାଏ ସ୍କୁଲ ଖୋଲିବ କି ନାହିଁ ସେ ନେଇ ଆଲୋଚନା ପରେ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ। ଏଥିପାଇଁ ନୂଆ SOP ମଧ୍ୟ ଜାରି କରାଯିବ।

ନଭେମ୍ବର ୩୦ ଯାଏ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି SRCଙ୍କ ପକ୍ଷରୁ ଜାରି ହୋଇଥିବା ନୂଆ ଗାଇଡ୍‌ଲାଇନ୍‌ରେ କୁହାଯାଇଛି। ପାଠପଢ଼ା ବନ୍ଦ ରହିଲେ ମଧ୍ୟ ବିଭିନ୍ନ ପରୀକ୍ଷା ହୋଇପାରିବ ଓ ଶିକ୍ଷାନୁଷ୍ଠାନର ଅନ୍ୟ ପ୍ରାଶାସନିକ କାର୍ଯ୍ୟ ମଧ୍ୟ ଚାଲି ପାରିବ। ସେହିପରି ଅନ୍‌ଲାଇନ୍‌ ଓ ଡିଷ୍ଟାନ୍ସ ପାଠପଢ଼ା ଜାରି ରହିବ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଗାଇଡ୍‌ଲାଇନ୍ ଅନୁସାରେ, କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ଅଞ୍ଚଳର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କୁ ଶିକ୍ଷାନୁଷ୍ଠାନକୁ ଡକାଇ ପାରିବେ ସ୍କୁଲ ଓ ଗଣଶିକ୍ଷା ବିଭାଗ ତଥା ଉଚ୍ଚଶିକ୍ଷା ବିଭାଗ। ଅନ୍‌ଲାଇନ୍‌ ପାଠପଢ଼ା, ଟେଲି କାଉନ୍‌ସେଲିଂ ଓ ଅନ୍ୟ କାମରେ ଏମାନେ ନିୟୋଜିତ ହୋଇପାରିବେ। କେବଳ ପିଏଚ୍‌ଡି ବିଜ୍ଞାନ ଓ ବୈଷୟିକ ଶିକ୍ଷାନୁଷ୍ଠାନରେ ପୋଷ୍ଟ ଗ୍ରାଜୁଏଟ୍‌ ଲାବରୋଟୋରି ଓ ପରୀକ୍ଷା ନିରୀକ୍ଷା ପାଇଁ ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ମିଳିଛି। ଏହା ସହିତ ସବୁ ପ୍ରକାର ଟ୍ରେନିଂ ମଧ୍ୟ ଚାଲି ପାରିବ।

You might also like