ରାଜଧାନୀରେ ସ୍କୁଲ ଅନ୍ ହ୍ୱିଲ୍ସ କାର୍ଯ୍ୟକ୍ରମ : ରାସ୍ତା କଡରେ ରହୁଥିବା ପିଲାଙ୍କୁ କୋଭିଡ ନେଇ କରାଯିବ ସଚେତନ

  • ପ୍ରାଥମିକ ପର୍ଯ୍ୟାୟରେ ସହରରେ ୩ଟି ଗାଡ଼ି ବୁଲିବ
  • ରୁଚିକା ସମାଜ ମଙ୍ଗଳ ସଂଗଠନର ନିଆରା ପ୍ରୟାସ

 

ଭୁବନେଶ୍ୱର : ରାଜଧାନୀର ରାସ୍ତାକଡରେ ରହୁଥିବା ଛୋଟ ଛୋଟ ପିଲାଙ୍କ ପାଇଁ ସ୍କୁଲ ଅନ୍ ହ୍ୱିଲ୍ସ । ରୁଚିକା ଚାଇଲଡ ଲାଇନ୍ ପକ୍ଷରୁ ଏହି ନିଆରା ପଦକ୍ଷେପ ନିଆଯାଇଥିବା ବେଳେ ଏହାଦ୍ୱାରା ପିଲାଙ୍କୁ ସଚେତନ କରାଯିବ । ଗତକାଲିଠୁ ଭୁବନେଶ୍ୱରରେ ଏନେଇ ୩ଟି ଗାଡିର ଶୁଭାରମ୍ଭ ହୋଇଥିବା ବେଳେ ସହର ଭିତରେ ବୁଲିବ ସ୍କୁଲ ଅନ୍ ହ୍ୱିଲ୍ସ ଗାଡି ।

 

ଗାଡ଼ିରେ ସ୍କୁଲ, ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେବି କଥାଟି ସତ । ରାଜଧାନୀରେ ଗଡ଼ିବ ଏହି ଗାଡି । ସହରର ରାସ୍ତାକଡରେ ରହୁଥିବା ପିଲାଙ୍କ ପାଖକୁ ଯିବ ଏହି ସ୍କୁଲ ଅନ୍ ହ୍ୱିଲ୍ସ । ତେବେ ଏହି ଗାଡିରେ ପାଠ୍ୟକ୍ରମ ହିସାବରେ ପାଠ ପଢାଯିବନି, ବରଂ କୋଭିଡ ନେଇ ସଚେତନ କରାଯିବ । କରୋନା ମହାମାରୀର ତୀବ୍ର ସଂକ୍ରମଣକୁ ଦୃଷ୍ଟିରେ ରଖି  ରଖି ଏଭଳି କିଛି ଲକ୍ଷ୍ୟ ରଖି ପ୍ରୟାସ ଆରମ୍ଭ କରିଛି ରୁଚିକା ସମାଜ ମଙ୍ଗଳ ସଂଗଠନ । ସିଏସଆର୍ କାର୍ଯ୍ୟକ୍ରମ ଅନୁଯାୟୀ ଟୁରିଜିମ ଫାଇନାନସିଆଲ କର୍ପୋରେସନ ସଂସ୍ଥା ମିଳିତ ଭାବେ ଏଭଳି ବ୍ୟବସ୍ଥା କରିଛନ୍ତି । ଏହି ସ୍କୁଲ ଅନ୍ ହ୍ୱିଲ୍ ଗାଡିରେ ପିଲାଙ୍କ ପାଇଁ କରୋନା ସମ୍ବନ୍ଧୀୟ ରହିଛି ସବୁ ପ୍ରକାର ସୂଚନା । କୋଭିଡ ସଚେତନତା ବାର୍ତ୍ତା ସହ , ପୋଷ୍ଟର, ପିଇବା ପାଣି, ଖାଦ୍ୟ, ଖେଳନା ଭଳି ସାମଗ୍ରୀ ରହିଛି ।

ତଥ୍ୟ ଅନୁସାରେ ଭୁବନେଶ୍ୱରରେ ରାସ୍ତାକଡରେ ରହୁଥିବା ଶିଶୁଙ୍କ ସଂଖ୍ୟା ପାଖାପାଖି ୫ ହଜାର ହେବ । ଏଣୁ ଏଭଳି ଅଭିନବ ପ୍ରୟାସ ଦ୍ୱାରା ମହାମାରୀ କରୋନା ସଂପର୍କରେ ପିଲାଏ ସଚେତନ ହୋଇପାରିବେ । ଭୁବନେଶ୍ୱରର ୧୦ କିମି ଭିତରେ ଥିବା ସବୁ ପିଲାଙ୍କୁ କୋଭିଡ ଗାଇଡ ଲାଇନ ସଂପର୍କରେ ସଚେତନ କରାଯିବ । ଏଥିପାଇଁ ୩ଟି ଗାଡିକୁ ଉଦଘାଟନ କରିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ । ପ୍ରାଥମିକ ପର୍ଯ୍ୟାୟରେ ଗାଡିଗୁଡିକ ସହର ଭିତରେ ବୁଲିବ । ରାସ୍ତାକଡ ପିଲାଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବାକୁ ଏହି ସ୍କୁଲ ଅନ୍ ହ୍ୱିଲ୍ ବେଶ ସହାୟକ ହେବ ବୋଲି ଆଶା କରାଯାଉଛି ।

 

 

You might also like