ସ୍କୁଲ ଫି’ ଛାଡ଼ ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମିଳିଲା ପରେ ବିଭାଗ ନିଷ୍ପତ୍ତି ନେବ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ସ୍କୁଲ ଫି ଛାଡ଼ ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଏଯାଏଁ ବିଭାଗ ନିକଟକୁ ପହଞ୍ଚି ନାହିଁ।  ଗଣମାଧ୍ୟମରୁ ହିଁ ସମସ୍ତ କଥା ଜାଣିବା ପାଇଁ ମିଳିଛି । ତେଣୁ ଆଗାମୀ ସମୟରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମିଳିଲା ପରେ ହିଁ ଗଣିଶିକ୍ଷା ବିଭାଗ ନିଷ୍ପତ୍ତି ନେବ ।

ସୂଚନା ଅନୁସାରେ ରାଜ୍ୟ ସରକାରଙ୍କ ଅଧୀନରେ ଘରୋଇ ସ୍କୁଲ୍ ଫି ପ୍ରସଙ୍ଗ ଥିବାରୁ ସରକାର ଚାହିଁଲେ ଘରୋଇ ସ୍କୁଲ୍ ଫି ହ୍ରାସ କରିବା ନେଇ ନିର୍ଦ୍ଦେଶ ଜାରି କରିପାରିବେ । ସ୍କୁଲ ଫି ଛାଡ଼ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ନିଷ୍ପତ୍ତି ଛାଡ଼ିଛନ୍ତି ହାଇକୋର୍ଟ । ଏହାଛଡ଼ା କୌଣସି ଘରୋଇ ସ୍କୁଲ ନିର୍ଦ୍ଦେଶ ଅବମାନନା କଲେ ସରକାର ତାହାର ଏନ୍ଓସି ମଧ୍ୟ ପ୍ରତ୍ୟାହାର କରିପାରିବେ । ଫି କୁ ନେଇ କୌଣସି ଘରୋଇ ସ୍କୁଲ୍ ଲାଭଖୋର ହୋଇପାରିବେ ନାହିଁ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି ।

୧୯୯୬ ମସିହା ସେପ୍ଟେମ୍ବର ୨୩ରେ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଜାରି କରାଯାଇଥିବା ରିଜୋଲ୍ୟୁସନ ଆଧାରରେ ରାଜ୍ୟ ସରକାର ଫି ଧାର୍ଯ୍ୟ କରିପାରିବେ । ଯେକୌଣସି ଫି ବୃଦ୍ଧି କରିବା ପାଇଁ ଅଭିଭାବକଙ୍କ ସହ ଆଲୋଚନା କରାଯିବ ଓ ପାଠ୍ୟକ୍ରମ ମଝିରେ ଫି ବୃଦ୍ଧି କରାଯାଇପାରିବ ନାହିଁ ବୋଲି ରିଜୋଲ୍ୟୁସନରେ ଦର୍ଶାଯାଇଥିଲା । ଗତ ୭ ତାରିଖରେ ହାଇକୋର୍ଟ ସ୍କୁଲ ଫି ମାମଲାର ଶୁଣାଣି ଅନ୍ତ ଘଟାଇଥିଲେ।

You might also like