ରାଜ୍ୟରେ ବାଳିକା ଶିକ୍ଷାର ଦୟନୀୟ ସ୍ଥିତି

ସ୍କୁଲ ଯାଉନାହାନ୍ତି ୫୫ ହଜାରରୁ ଅଧିକ ଝିଅ

ଭୁବନେଶ୍ୱର : ରାଜ୍ୟରେ ବାଳିକା ଶିକ୍ଷାର ଦୟନୀୟ ସ୍ଥିତି। ପ୍ରାୟ ୫୫ ହଜାରରୁ ଅଧିକ କିଶୋରୀ ସ୍କୁଲ ମାଟି ମାଡୁନାହାନ୍ତି । ଏଭଳି ଉଦ୍‌ବେଗଜନକ ତଥ୍ୟ ସାମ୍ନାକୁ ଅାଣିଛି ମହିଳା ଓ ଶିଶୁ କଲ୍ୟାଣ ବିଭାଗ। ୧୧ରୁ ୧୪ ବର୍ଷ ବୟସରେ ଏତେ ସଂଖ୍ୟକ କିଶୋରୀ ଅଧାରୁ ପାଠ ଛାଡିଛନ୍ତି କିମ୍ବା ଅାଦୌ ସ୍କୁଲ ଯାଇନାହାଁନ୍ତି। ସେମାନଙ୍କ ପାଠପଢା ବ୍ୟବସ୍ଥା କରିବାକୁ ଗଣଶିକ୍ଷା ବିଭାଗକୁ ଚିଠି ଲେଖିଛି ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ହେଲେ ଗଣଶିକ୍ଷା ବିଭାଗ କିନ୍ତୁ ଏହି ତଥ୍ୟକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ।  ଯାହାକୁ ନେଇ ଦେଖାଦେଇଛି ଦ୍ୱନ୍ଦ୍ୱ।

ଲଳିତା ଗୋଲୋରୀ। ବୟସ ମାତ୍ର ୧୨ବର୍ଷ। କୋରାପୁଟ ଲମତାପୁଟ ବ୍ଲକ୍ ଚାଙ୍ଗୁଡିପଡା ସ୍କୁଲରେ ପଢୁଥିବା ଲଳିତା, ପଂଚମ ଯାଏ ପଢିବା ପରେ ପରେ ପାଠ ଛାଡି ଦେଇଛନ୍ତି। ବାପାଙ୍କ ଦେହାନ୍ତ ପରେ ଅାର୍ଥିକ ସମସ୍ୟା ଯୋଗୁଁ ସ୍କୁଲ ନଯାଇ ଏବେ ଲାଗିଛନ୍ତି କୁଲିମଜୁରିରେ।

ନବରଙ୍ଗପୁର ଜିଲ୍ଲା ତାର ଗାଁର ଦୁଷିଲା ଦଶମରେ ପଢୁଥିବା ବେଳେ ଅଧାରୁ ବନ୍ଧା ହେଲା ବହିବସ୍ତାନି। ଏବେ ପର ଘରେ କାମ କରି ପରିବାରକୁ ସହାୟତା କରୁଛନ୍ତି। କେବଳ ଲଳିତା କି ଦୁଷିଲା ନୁହଁନ୍ତି ରାଜ୍ୟରେ ୧୧ରୁ ୧୪ ବୟସ ମଧ୍ୟରେ ଏଭଳି ୫୫ ହଜାର ୮୬୮ କିଶୋରୀ ସ୍କୁଲ ମାଟି ମାଡୁ ନାହାଁନ୍ତି। ମହିଳା ଓ ଶିଶୁ କଲ୍ୟାଣ ବିଭାଗର କ୍ଷେତ୍ର ଅଧିକାରୀମାନେ ୩୦ ଜିଲ୍ଲାରେ ସର୍ଭେ କରି ଏହି ତଥ୍ୟ ସାମ୍ନାକୁ ଅାଣିଛନ୍ତି। ଏହି କିଶୋରୀମାନଙ୍କୁ ସ୍କିମ୍ ଫର୍ ଅାଡୋଲେସେଣ୍ଟ ଗାର୍ଲସ୍ ବା SAGରେ ସାମିଲ ଲାଗି ସର୍ଭେ ଜରିଅାରେ ତଥ୍ୟ ସଂଗ୍ରହ କରାଯାଇଛି।

ଏ ହେଉଛି ସ୍କୁଲ୍ ପଢ଼ାରୁ ବଞ୍ଚିତ କିଶୋରୀଙ୍କ ଜିଲ୍ଲାଓ୍ୱାରୀ ତାଲିକା। କୋରାପୁଟ ଜିଲ୍ଲାରେ ସର୍ବାଧିକ ୧୦ ହଜାର ୫୯୯, ନବରଙ୍ଗପୁରରେ ୮ ହଜାର ୮୯୯, ମାଲକାନାଗିରି ଜିଲ୍ଲାରେ ଏଭଳି ୫ ହଜାର ୫୮୫ କିଶୋରୀ ରହିଛନ୍ତି। ଏମାନଙ୍କ ପାଠପଢ଼ା ବ୍ୟବସ୍ଥା କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଜଣାଇଛି ମହିଳା ଓ ଶିଶୁ କଲ୍ୟାଣ ବିଭାଗ।

ହେଲେ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଏହି ତଥ୍ୟକୁ ଗ୍ରହଣ କରିବାରେ ପ୍ରସ୍ତୁତ ନୁହେଁ ସ୍କୁଲ ଓ ଗଣଶିକ୍ଷା ବିଭାଗ। ବିଭାଗୀୟ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର କହିଛନ୍ତି,  ୩୦ ସେପ୍ଟେମ୍ବର ୨୦୧୭ ସୁଦ୍ଧା ଓପେପା କରିଥିବା ସର୍ଭେ ଅନୁସାରେ ମାତ୍ର ଏକ ହଜାର ୬୦ ଜଣ କିଶୋରୀ ସ୍କୁଲ୍ ଅାସୁ ନାହାଁନ୍ତି। ମହିଳା ଓ ଶିଶୁ କଲ୍ୟାଣ ବିଭାଗ କେଉଁଠୁ ତଥ୍ୟ ଅାଣିଲା ଜଣାପଡୁ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

ବିଭାଗ ବିଭାଗ ମଧ୍ୟରେ ତଥ୍ୟକୁ ନେଇ ତାଳମେଳ ନାହିଁ। ଅନ୍ୟପଟେ ଶିକ୍ଷା କ୍ଷେତ୍ରରେ ଛାତ୍ରୀମାନଙ୍କ ବିକାଶ ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରିଥିଲେ ମଧ୍ୟ ତାହା ଫଳପ୍ରଦ ହେଉନଥିବା ଏଥିରୁ ସ୍ପଷ୍ଟ ହେଉଛି।

 

You might also like