ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ‘ବୁଲ୍ବୁଲ୍’କୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲ୍ଲାପାଳ ଆସନ୍ତାକାଲି ଦୁଇଦିନ ଯାଏଁ ଜିଲ୍ଲାର ସବୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି। ଏଥିସହ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ଛୁଟି ଘୋଷଣା କରାଯାଇଛି।
ଯଦିଓ ଏହି ବାତ୍ୟା ପଶ୍ଚିମବଙ୍ଗ ଓ ବାଂଲାଦେଶ ଦେଇ ମୁହାଁଇବ, ତଥାପି ଓଡ଼ିଶା ସରକାରଙ୍କ ପକ୍ଷରୁ ସତର୍କ ନଜର ରଖାଯାଇଛି। ପାରାଦୀପ ଠାରୁ ୭୦୦ କିମି ଦୂରରେ ବାତ୍ୟା ‘ବୁଲ୍ବୁଲ୍’ କେନ୍ଦ୍ରୀଭୂତ ହୋଇଛି।
ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ଏହା ପଶ୍ଚିମବଙ୍ଗ ଓ ବାଂଲାଦେଶକୁ ମୁହାଁଇଛି। ଏହା ଓଡ଼ିଶା ଉପକୂଳଠୁ ୧୧୦ କି.ମି ଦୂରରେ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି। ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ବାରଣ କରାଯାଇଛି।
ଅନ୍ୟପକ୍ଷରେ ଏହି ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଛୁଇଁବନି । ତେବେ ଏହା ପ୍ରଭାବରେ ବର୍ଷା ହେବ ଓ ସେଥିରୁ ଫସଲ ରକ୍ଷା ଲାଗି ସତର୍କ ରହିବାକୁ ପଡ଼ିବ। ସମ୍ଭାବ୍ୟ ବାତ୍ୟା ‘ବୁଲ୍ବୁଲ୍’କୁ ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଆଧାରରେ ଏସ୍ଆର୍ସି ଏହି ସୂଚନା ଦେଇଛନ୍ତି।