ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନେଇ କୋଭିଡ୍ ଡ୍ୟୁଟିରେ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ

ନୟାଗଡ଼: ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନେଇ କୋଭିଡ୍ ଡ୍ୟୁଟିରେ ଯାଉଥିବା ଏକ ସରକାରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ସମୟରେ ନୟାଗଡ଼ ଜିଲ୍ଲା ବାଣୀଗୋଚ୍ଛା ଥାନା ଅନ୍ତର୍ଗତ ଦୁର୍ଗାପ୍ରସାଦ ଗାଁ ନିକଟରେ ଗଛରେ ପିଟି ହୋଇ ବସ୍‌ଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଏଥିରେ ଡ୍ରାଇଭର ଗୁରୁତର ଆହତ ହୋଇଥିବାବେଳେ ଛାତ୍ରଛାତ୍ରୀମାନେ ସାମାନ୍ୟ ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ଗତକାଲି କଟକରୁ ୨୦ ଜଣ ଏସ୍‌ସିବି ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନେଇ OSRTC ବସ୍‌ ବଲାଙ୍ଗିର ଅଭିମୁଖେ ଯାଉଥିଲା। ରାତି ପ୍ରାୟ ୧୨ଟା ସମୟରେ ନୟାଗଡ଼ ଜିଲ୍ଲା ଦୁର୍ଗାପ୍ରସାଦ ଗାଁ ନିକଟରେ ଭାରସାମ୍ୟ ହରାଇ ବସ୍‌ଟି ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇ ହୋଇ ଓଲଟି ପଡ଼ିଥିଲା। ଏଥିରେ ଡ୍ରାଇଭର ଗୁରୁତର ଆହତ ହୋଇଥିବାବେଳେ ଛାତ୍ରଛାତ୍ରୀମାନେ ସାମାନ୍ୟ ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଡିସ୍‌ଚାର୍ଜ କରାଯାଇଥିଲା। ଅନ୍ୟ ଏକ ଗାଡ଼ିରେ ଡାକ୍ତରୀ ଛାତ୍ରଛାତ୍ରୀମାନେ ବଲାଙ୍ଗିର ଯାଇଥିଲେ ।

ଅନ୍ୟପକ୍ଷେ, ବ୍ରହ୍ମପୁର-ଭଞ୍ଜନଗର ମୁଖ୍ୟରାସ୍ତାରେ ସ୍ପିରିଟ୍ ବୋଝେଇ ଟ୍ୟାଙ୍କର୍ ଓଲଟି ପଡ଼ିବା ଫଳରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଗାଙ୍ଗପୁର ଗୋବରା ନିକଟରେ ଏହି ଦୁର୍ଘଟଣା ଘଟିଛି।ଚିନ୍ତାର ବିଷୟ ହେଉଛି, ଟ୍ୟାଙ୍କର୍‌ରୁ ସ୍ପିରିଟ୍‌ ଲିକ୍‌ ହୋଇ ରାସ୍ତା ଉପରେ ପଡ଼ିଥିବା ଦେଖିବାକୁ ମିଳିଛି। ଖବର ପାଇ ଗାଙ୍ଗପୁର ଥାନା ପୋଲିସ ସେଠାରେ ପହଞ୍ଚି ଟ୍ୟାଙ୍କରକୁ ଜଗି ରହିଛି ଏବଂ ରେସ୍କ୍ୟୁ ଟିମ୍‌ ସହ ଯୋଗାଯୋଗ କରାଯାଇଛି। ସାଧାରଣ ଲୋକଙ୍କୁ ସେହି ସ୍ଥାନ ଦେଇ ଯାତାୟାତ କରିବାକୁ ବାରଣ କରାଯାଇଛି।

You might also like