ଅବସ୍ଥା ଆଉ ବ୍ୟବସ୍ଥା ମଧ୍ୟରେ ବଡ଼ ଫରକ, କେବଳ କଥାରେ ରହିଯାଇଛି କି SCB ର ଭାଗ୍ୟ?

କେବଳ କଥାରେ...

କଟକ(ପ୍ରଭାତ ବିଷୋୟୀ): କଟକ ବଡ଼ ମେଡିକାଲ ରାଜ୍ୟର ସବୁଠୁ ବଡ଼ ଡାକ୍ତରଖାନା ଭାବେ ଆମେ ସମସ୍ତେ ଜାଣିଛନ୍ତି। ପୂର୍ବ ଭାରତର ନିର୍ଭରଯୋଗ୍ୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ କହିଲେ ଅତ୍ୟୁକ୍ତି ହେବ ନାହିଁ। ହେଲେ ଡାକ୍ତରଖାନା ଯେତିକି ବଡ଼, ଅବ୍ୟବସ୍ଥା ବି ସେତିକି ବିକଟ। ତାର ସବୁଠୁ ବଡ଼ ଉଦାହରଣ, ଏଠାକାର ଶବ ସଂରକ୍ଷଣ ଗୃହ ଫ୍ରିଜର କାମ କରୁ ନଥିବାରୁ ଦୀର୍ଘ ଦିନ ଧରି ପଡ଼ିରହିଥିବା ଶବଗୁଡ଼ିକୁ ଏଠି ଯେଭଳି ସମ୍ମାନ ଦିଆଯାଉଛି, ଦେଖିଲେ ଆପଣ ବି କହିବେ, ସତରେ ଇଏ କଣ ଏସସିବି ମେଡିକାଲ୍ କଲେଜକୁ ବିଶ୍ୱସ୍ତରୀୟ କରାଯିବାର ଉଦ୍ୟମ ? ଆପଣଙ୍କୁ ଏହି ଘଟଣା ନିଶ୍ଚିତ ଆଶ୍ଚର୍ଯ୍ୟ ଓ ଚକିତ କରିବ।

ତେବେ ଜଣେ ରୋଗୀଙ୍କ ସମ୍ପର୍କୀୟ କ୍ଷେତ୍ରବାସୀ ବେହେରା କହିଛନ୍ତି ଯେ, ଏଠାରେ ଏମିତି ଦୁର୍ଗନ୍ଧ ହେଉଛି ଯେ, ଛିଡ଼ା ହେବା ବି ମୁସ୍କିଲ ହୋଇ ପଡ଼ୁଛି। ଯିଏ ମଲା ତାଙ୍କୁ ଏମିତି ଫୋପାଡ଼ି ଦେଉଛିନ୍ତି, ଯାହା ଫଳରେ ଶବ ପଚିସଢି ନଷ୍ଟ ଗନ୍ଧ ହେଉଛି। 

ଦୁର୍ଘଟଣାରେ ମୃତ ନିଜ ସଂପର୍କୀୟଙ୍କ ଶବ ନେବାକୁ କଟକ ବଡ଼ ଡାକ୍ତରଖାନାକୁ ଆସିଥିବା କ୍ଷେତ୍ରବାସୀ ଏମିତି କିଛି କହିଛନ୍ତି ଯାହାକି ସବୁକିଛି ପ୍ରାଞ୍ଜଳ ଭାବରେ ବୁଝାଇ ଦେଉଛି। ଆଉ ଆପଣ ବି ଭଲଭାବେ ଶୁଣିଲେ କହିବେ ଏ କେମିତିକା ବିଶ୍ୱସ୍ତରୀୟ ସ୍ୱପ୍ନ? ବିକାଶର ଡିଡ଼ଂମ ପିଟୁଥିବା ସହ ଆଗକୁ ବଢୁଥିବା ରାଜ୍ୟର ସବୁଠୁ ବଡ଼ ମେଡିକାଲ୍ । ଆଉ ଏଠାର ଶବ ସଂରକ୍ଷଣ ଗୃହରେ ଏଠି ସେଠି ଦିନ ଦିନ ଧରି ପଡ଼ି ରହିଥିବା ମୃତଦେହକୁ ଦେଖିଲେ ସବୁ କିଛି ବୁଝାପଡ଼ୁଛି। ପଚି ଶଢ଼ି ଗଲାଣି, ଗନ୍ଧ ଯେ ନାକ ଫାଟିଯିବା ଭଳି ଅବସ୍ଥା ହେଉଛି। ହେଲେ କାହିଁକି ଏମିତି?

ସେପଟେ ସାମାଜିକ କର୍ମୀ ଦୀପକ କୁମାର ଆଚାର୍ଯ୍ୟ କହିଛନ୍ତି ଯେ, ୯୬ ଘଣ୍ଟା ମଧ୍ୟରେ ମୃତ ଦେହକୁ ଚିହ୍ନଟ କରିବା ସହ ଅନ୍ତିମ ସଂସ୍କାର କରିବା କଥା। କିନ୍ତୁ ଏମାନେ ତାହା କରୁନାହାନ୍ତି। ଏକା ଥରକେ ୪ କିମ୍ବା ଶବ ଆସିବା ପରେ ହିଁ ଏମାନେ ଅନ୍ତିମ ସଂସ୍କାର କରୁଛନ୍ତି। ଶବକୁ ପୂରା ଅସମ୍ମାନ କରାଯାଉଛି। ଏମିତିକି ଶବ ଦେହରୁ ବଡ଼ ବଡ଼ ପୋକ ବାହାରୁଥିବା ଦୀପକ କହିଛନ୍ତି।

ଅଭିଯୋଗ ହେଉଛି ଶବ ସଂରକ୍ଷଣ ଗୃହରେ ମୃତଦେହ ସଂରକ୍ଷଣ ପାଇଁ ଥିବା ଫ୍ରିଜର ଗୁଡ଼ିକ କାମ କରୁନି ତା ଛଡ଼ା ଦୁଇ ଦୁଇଟି ଏସି ଲାଗିଛି, ତାହା ବି ଅକାମୀ ତାଠୁ ଆହୁରି ସାଂଘାତିକ କଥା ହେଲା, ପରିଚିତ ଶବ ଗୁଡ଼ିକୁ ତ ଦିନେ ଦୁଇ ଦିନ ଭିତରେ ସେମାନଙ୍କ ସଂପର୍କୀୟଙ୍କୁ ହସ୍ତାନ୍ତର କରାଯାଉଛି, ହେଲେ ଅପରିଚିତଙ୍କ ଶବ କୁଆଡ଼େ ଏକାଠି ୫-୬ଟି ନହେଲେ ଉଠୁନି ବୋଲି ଅଭିଯୋଗ ହୋଇଛି।

ଶବ ସଂରକ୍ଷଣ ଗୃହ ପାଖରେ ଚର୍ମ ଓ ଡାଇରିଆ ବିଭାଗର ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଓ୍ୱାର୍ଡ ରହିଛି। ତେଣୁ ଏଭଳି ସ୍ଥିତିରେ ସେଠାରେ ଥିବା ରୋଗୀଙ୍କୁ ସଂକ୍ରମଣ ଭୟ ବି ଅଧିକ। ହେଲେ ସବୁ ଜାଣି, ସବୁ ଦେଖି ଯେମିତି ନିଦାବିଷ୍ଣୁ କର୍ତ୍ତୃପକ୍ଷ। ତେବେ ମେଡିକାଲ୍ କର୍ତ୍ତୃପକ୍ଷଙ୍କ କହିବା କଥା ଆଗକୁ ଏକ ବାହାର ସଂସ୍ଥାକୁ ଶବସଂରକ୍ଷଣ ଗୃହର ଦାୟିତ୍ୱ ଦିଆଯିବାକୁ ନିଷ୍ପତ୍ତି ହୋଇଛି। ଏବଂ ଖୁବଶୀଘ୍ର ଫ୍ରିଜର ମରାମତି କରାଯିବ। ଅପରପକ୍ଷେ ସମସ୍ତଙ୍କ ଜାଣତରେ ଶବ ସଂରକ୍ଷଣ ଗୃହରେ ଅପରିଚିତ ଶବ ପ୍ରତି ଏଭଳି ଅମାନବୀୟ ଆଚରଣକୁ ନିନ୍ଦା କରିଛନ୍ତି ମାନବାଧିକାର କର୍ମୀ।

You might also like