ବନ୍ଦ ହେଲା କଟକ ବଡ଼ ମେଡିକାଲ ନର୍ସିଂ କଲେଜ

କଟକ: ବନ୍ଦ ହେଲା କଟକ ବଡ଼ ମେଡିକାଲର ନର୍ସିଂ କଲେଜ। ACS ଙ୍କ ନିର୍ଦ୍ଦେଶ କ୍ରମେ ନର୍ସିଂ କଲେଜକୁ ବନ୍ଦ କରାଯାଇଥିବା ଅନୁଷ୍ଠାନର ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ସଂଧ୍ୟା ସୁଦ୍ଧା ହଷ୍ଟେଲ ଛାଡ଼ିବା ପାଇଁ ଅନ୍ତେବାସୀଙ୍କୁ କୁହାଯାଇଛି। ଅନ୍ୟାଦେଶ ପର୍ଯ୍ୟନ୍ତ SCB ନର୍ସିଂ କଲେଜ ବନ୍ଦ ରହିବ ବୋଲି କୁହାଯାଇଛି ।

ସେପଟେ ଛାତ୍ରୀମାନେ କିନ୍ତୁ ଅଲଗା କଥା କହୁଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ପ୍ରିନ୍ସପାଲଙ୍କ ବିରୋଧରେ ଧାରଣା ଦେଇଥିବାରୁ ପ୍ରତିଶୋଧ ନେବାକୁ ନର୍ସିଂ କଲେଜ ବନ୍ଦ କରାଯାଇଛି । କଲେଜରୁ କେହି ଜଣେ ବି ପଜିଟିଭ ବାହାରି ନାହାନ୍ତି।  ସମସ୍ତେ ଟିକା ନେଲେଣି । ତଥାପି କଲେଜ ବନ୍ଦ ନିଷ୍ପତ୍ତି କାହିଁକି ବୋଲି ଛାତ୍ରୀମାନେ ଅଭିଯୋଗ କରିଛନ୍ତି।

କର୍ତ୍ତୃପକ୍ଷଙ୍କ ମନମାନି ଓ ନିର୍ଯାତନା ବିରୋଧରେ ଛାତ୍ରୀମାନେ ବିକ୍ଷୋଭ କରିଥିବାରୁ କଲେଜ ବନ୍ଦ କରି ହଷ୍ଟେଲ ଖାଲି କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି କୁହାଯାଇଛି। ପାଠପଢ଼ା ପ୍ରଭାବିତ ହେବାର ଆଶଙ୍କା ଥିବାରୁ ସେମାନେ ହଷ୍ଟେଲ ଛାଡ଼ିବେନି ବୋଲି ସଫା ସଫା କହିଛନ୍ତି ଛାତ୍ରୀମାନେ ।

ଛାତ୍ରୀମାନେ ପ୍ରଶ୍ନ କରିଛନ୍ତି, ଯଦି କୌଣସି ସ୍ଥାନରେ ହଷ୍ଟେଲ, କଲେଜ ବନ୍ଦ କରାଯାଉ ନାହିଁ ତେବେ ଏହି ନର୍ସିଂ କଲେକ କାହିଁକି ବନ୍ଦ ହେବ ? ପ୍ରିନ୍ସିପାଲ-ଛାତ୍ରୀଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିବାବେଳେ ସରକାରଙ୍କ ଦ୍ୱାହି ଦେଇଥିବାବେଳେ କର୍ତ୍ତୃପକ୍ଷ ଏପରି ନିଷ୍ପତ୍ତି ନେଇଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି। ତେବେ ଏ ନେଇ  କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ସୂଚନାଥାଉ କି, ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି।  କଟକରେ ମଧ୍ୟ ଗତକାଲି ୬୩ ଜଣ ପଜିଟିଭ ବାହାରିଥିବାବେଳେ ଆଜି ବାହାରିଛନ୍ତି ୫୧। ଶିକ୍ଷାନୁଷ୍ଠାନରୁ ଅଧିକ କରୋନା ଆକ୍ରାନ୍ତ ବାହାରୁଥିବାରୁ ଇତି ମଧ୍ୟରେ ଅନେକ ଶିକ୍ଷାନୁଷ୍ଠାନକୁ ବନ୍ଦ କରାଯାଇ ସାରିଲାଣି।  ଭୁବନେଶ୍ୱର ମହାନଗର ନିଗମ (BMC)। ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ରାବାସର ଅନ୍ତେବାସୀଙ୍କ ଲାଗି ଗାଇଡ୍‌ଲାଇନ୍ ଜାରି କରିଛି । ପରୀକ୍ଷା ସରିଥିବା ଓ ପରୀକ୍ଷା ନଥିବା ପିଲାଙ୍କୁ ହଷ୍ଟେଲ ଛାଡ଼ିବାକୁ ପରାମର୍ଶ ଦିଆଯାଇଛି। ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଅଭିଭାବକଙ୍କୁ ଏ ନେଇ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ପିଲାଙ୍କ ପରୀକ୍ଷା ସରିନି, ପୂରା ଗାଇଡ୍ ଲାଇନ୍ ମାନି ଚଳିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହା ପୂର୍ବରୁ ମାର୍ଚ୍ଚ ୨୮ ତାରିଖ ଭୁବନେଶ୍ୱରସ୍ଥିତ ଆଲେନ ଇନ୍‌ଷ୍ଟିଚ୍ୟୁଟକୁ ବନ୍ଦ କରିଥିଲା ବିଏମସି। ଏହା ପୂର୍ବରୁ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା  ଘରୋଇ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନ  XIMBରୁ ୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ BMC ଶିକ୍ଷାନୁଷ୍ଠାନକୁ ସିଲ୍‌ କରିଥିଲା।

ସେହିପରି କଟକରେ ମାର୍ଚ୍ଚ ୨୫ ତାରିଖରେ ଚଣ୍ଡି ଛକରେ ଥିବା ଏକ କୋଚିଂ ସେଣ୍ଟର ସିଲ୍ କରିଥିଲା ସିଏମସି। ଏହା ପରେ କୋଭିଡ୍ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ଅଭିଯୋଗରେ ଅରୁଣୋଦୟନଗରରେ ଥିବା ମହେନ୍ଦ୍ର କୋଚିଂ ସେଣ୍ଟରକୁ କଟକ ମହାନଗର ନିଗମ(CMC) ପକ୍ଷରୁ ସିଲ୍ କରାଯାଇଥିଲା। ସେହିପରି ରାୟଗଡ଼ା ଜିଲ୍ଲା ଗୁଣୁପୁରରେ ଥିବା ଗାନ୍ଧି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ୍‌ ଟେକ୍ନୋଲୋଜି(GIET) ବିଶ୍ୱବିଦ୍ୟାଳୟରୁ କରୋନା ପଜିଟିଭ୍‌ ଚିହ୍ନଟ ପରେ ୩ ଦିନ ପାଇଁ ବିଶ୍ୱବିଦ୍ୟାଳୟକୁ ବନ୍ଦ ରଖାଯାଇଥିଲା।

You might also like