ସ୍କୁଲ ପିଲାଙ୍କର ବ୍ୟାଗ୍ ଓଜନ ଯାଞ୍ଚ ଆରମ୍ଭ

ଭୁବନେଶ୍ୱର  : ରାଜଧାନୀ ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାର ସ୍କୁଲ ପିଲାଙ୍କର ବ୍ୟାଗ୍ ଓଜନ ଯାଞ୍ଚ ଆରମ୍ଭ। ଆଜି ସ୍ପେଶାଲ ସ୍କ୍ୱାଡ ଟିମ୍ ଭୁବନେଶ୍ୱର ୮ ନମ୍ବର ଡିଏଭି ସ୍କୁଲ ଯାଇ ବ୍ୟାଗ୍ ଯାଂଚ କରିଛନ୍ତି । ତାସହ ଅନ୍ୟ ଏକ ଘରୋଇ ସ୍କୁଲକୁ ଯାଇ ମଧ୍ୟ ଅନୁଧ୍ୟାନ କରିଥିବା କୁହାଯାଉଛି।

ଗତକାଲି ସ୍କୁଲ ବ୍ୟାଗ ଓଜନ ପାଇଁ  ୩ଟି ଜିଲ୍ଲାସ୍ତରୀୟ ସ୍କ୍ୱାଡ୍ ଗଠନ କରିଥିଲେ ଖୋର୍ଦ୍ଧା ଜିଲ୍ଲାପାଳ। ଏହାପରେ ଆଜିଠୁ ଏହି ସ୍କ୍ୱାର୍ଡ ଅଚାନକ ଗସ୍ତ କରୁଛନ୍ତି। ସ୍କ୍ୱାର୍ଡର ସଦସ୍ୟ ମାନେ ବିଭିନ୍ନ ସ୍କୁଲକୁ ଅଚାନକ ପରିଦର୍ଶନରେ ଯାଇ ପିଲାମାନଙ୍କ ବ୍ୟାଗ୍ ଓଜନ ପରଖୁଛନ୍ତି। ଯାଞ୍ଚ ସମୟରେ ଯଦି ନିର୍ଦ୍ଧାରିତ ଓଜନ ଠାରୁ ଅଧିକ ଓଜନ ଥାଏ କିମ୍ବା ଆଇନ ଉଲ୍ଲଂଘନ ହୋଇଥାଏ, ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚିଠିରେ ଦର୍ଶାଯାଇଥିଲା।

ନିୟମ ଅନୁସାରେ ପ୍ରଥମରୁ ଦ୍ୱିତୀୟ କ୍ଳାସ ପିଲାଙ୍କ ବ୍ୟାଗ ଓଜନ ୧.୫ କେଜି ରହିବ। ସେହିପରି ତୃତୀୟରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ୨.୩କେଜି, ଷଷ୍ଠରୁ ସପ୍ତମ ଶ୍ରେଣୀ ୪କେଜି, ଅଷ୍ଟମ ଓ ନବମ ଶ୍ରେଣୀର ୪.୫କେଜି ଓ ଦଶମ ଶ୍ରେଣୀ ପିଲାଙ୍କ ସ୍କୁଲ ବ୍ୟାଗ ୫କେଜି ରହିବ।

ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ସ୍କୁଲ ବ୍ୟାଗ୍‌ର ଓଜନ ହ୍ରାସକୁ କଡ଼ାକଡ଼ି ପାଳନ କରିବାକୁ ପୂର୍ବରୁ ସବୁ ଜିଲ୍ଲାପାଳ, ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଚିଠି ଲେଖିଥିଲା ସ୍କୁଲ ଓ ଗଣଶିକ୍ଷା ବିଭାଗ। ପିଲାଙ୍କ ସ୍କୁଲ ବ୍ୟାଗ୍‌ର ଧାର୍ଯ୍ୟ ଓଜନ ଏବଂ ନିର୍ଦ୍ଧାରିତ ବହି ଯାଞ୍ଚ୍ କରିବାକୁ ଏହି ନିର୍ଦ୍ଦେଶ ଦିଆଯାଇଥିଲା। ସିବିଏସଇ ଓ ଆଇସିଏସଇ ବୋର୍ଡ ଦ୍ୱାରା ପରିଚାଳିତ କିଛି ସ୍କୁଲରେ ପିଲାମାନେ ଅତ୍ୟଧିକ ଓଜନର ବ୍ୟାଗ୍ ଧରି ସ୍କୁଲ ଯାଉଥିବା ଏବଂ SCERT/NCERT ବହି ପଢ଼ିବାକୁ କୁହାଯାଉଥିଲେ ବି ଏହି ନିୟମ ପାଳନ କରାଯାଉନି। ତେଣୁ ନିୟମକୁ କଡ଼ାକଡ଼ି କରିବାକୁ ଜିଲ୍ଲାସ୍ତରରେ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରି ଅଚାନକ ଚଢ଼ାଉ ପାଇଁ ନିର୍ଦ୍ଦେଶ ଦେଇଥିଲା ସ୍କୁଲ ଓ ଗଣଶିକ୍ଷା ବିଭାଗ।

You might also like