ବିକ୍ରି ହେଉଛି ରାତାରାତି ଧନୀ ହେବାର ସ୍ୱପ୍ନ, ମାତ୍ର ୬ଟଙ୍କାରେ କୋଟିପତି !
ବାରିପଦା(ମାଣିକ ଲାଲ୍ ପାଣି): ମାତ୍ର ୬ ଟଙ୍କାରେ କୋଟିପତି ହେବାର ସ୍ୱପ୍ନ। ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ଚାଲିଛି ଏଭଳି ଲୋଭନୀୟ ସ୍କିମ୍ ଥିବା ଲଟେରି ଟିକେଟ୍ କାରବାର। ସହରର ଗଳି କନ୍ଦିରେ ଲୋକଙ୍କୁ ରାତାରାତି ଧନୀ ହେବାର ସ୍ୱପ୍ନ ବିକୁଛନ୍ତି ଲଟେରୀ ଏଜେଣ୍ଟ୍। ଏସବୁ ଟିକେଟ୍ କେବଳ ପଶ୍ଚିମବଙ୍ଗରେ ବିକ୍ରି ଲାଗି ବୈଧ ହୋଇଥିଲେ ମଧ୍ୟ ବାରିପଦାରେ ଏସବୁ ଚାଲିଛି ବିକ୍ରି।
ମାତ୍ର ୬ ଟଙ୍କାର ଟିକେଟ୍ କିଣିଲେ କୋଟିଏ ଟଙ୍କା ପର୍ଯ୍ୟନ୍ତ ଜିତି ପାରିବାର ଆଶା। ଭୁଟାନ, ଶ୍ରୀଲଙ୍କା ଓ ପଶ୍ଚିମବଙ୍ଗର ବିଭିନ୍ନ ଲଟେରି ଟିକେଟ୍ ଆଣି ବାରିପଦାରେ ବିକୁଛନ୍ତି ଏଜେଣ୍ଟ। ପୂର୍ବରୁ ଷ୍ଟଲ୍ ଖୋଲି ଖୁଲମ୍ଖୁଲା ବିକ୍ରି କରୁଥିଲେ ଏଜେଣ୍ଟ। କିନ୍ତୁ ଏବେ କାର୍ଯ୍ୟାନୁଷ୍ଠାନ ଭୟରେ ଲୁଚାଚୋରାରେ ବିକ୍ରି କରୁଛନ୍ତି ଏଜେଣ୍ଟ। ଏହି ଏଜେଣ୍ଟମାନଙ୍କ ଟାର୍ଗେଟ ହେଉଛନ୍ତି ପଶ୍ଚିମବଙ୍ଗରୁ ଆସି ଏଠାରେ କାମ କରୁଥିବା ଶ୍ରମିକ ଶ୍ରେଣୀର ଲୋକ ଓ ଅଳ୍ପ ପରିଶ୍ରମରେ ଅଧିକ ଆୟ କରିବାକୁ ଚେଷ୍ଟା କରୁଥିବା ଯୁବଗୋଷ୍ଠୀ। ଟିକେଟ୍ ଗୁଡ଼ିକ ଦିନ ୧୧ଟା ଯାଏ ବିକ୍ରି ହେଉଥିବା ବେଳେ ଦୈନିକ ସନ୍ଧ୍ୟା ୬ଟାରେ ଅନ୍ଲାଇନ୍ ଉଠାଣ ହେଉଛି। ତେବେ ଓଡ଼ିଶାରେ ଏଭଳି ଲଟେରି ଟିକେଟ୍ ବିକ୍ରି ବେଆଇନ୍ ହୋଇଥିଲେ ମଧ୍ୟ ଏହା ଉପରେ ପ୍ରଶାସନ କି ପୋଲିସ କାହାରି ନଜର ନାହିଁ।
ସେପଟେ ଧନୀ ହେବା ଲୋଭରେ ଲୋକମାନେ ନିଜ ନିଜ ଭାଗ୍ୟ ପରୀକ୍ଷା କରିବାକୁ ପଛାଉ ନାହାନ୍ତି। ଅନ୍ୟପକ୍ଷରେ, ଅଳ୍ପ କିଛି ଲୋକ ଟିକେଟ୍ କିଣି ସ୍ୱଳ୍ପ ପରିମାଣର ଅର୍ଥ ବି ଜିତିଥିବା କୁହାଯାଉଛି। ଯାହାକି ଅନ୍ୟମାନଙ୍କୁ ଟିକେଟ୍ କିଣିବା ଲାଗି ପ୍ରଲୋଭିତ କରୁଛି। ତେବେ ଲୋକଙ୍କ ଏଭଳି ଦୁର୍ବଳତାର ସୁଯୋଗ ନେଉଛନ୍ତି କିଛି ଅସାଧୁ ଏଜେଣ୍ଟ। ସେମାନେ ଜାଲ୍ ଟିକେଟ୍ ଛପାଇ ବିକ୍ରି କରୁଥିବା ଅଭିଯୋଗ ହେଉଛି। ଫଳରେ ଧନୀ ହେବା ଲୋଭରେ ନିଜ କଷ୍ଟ ଉପାର୍ଜିତ ଟଙ୍କା ଖଟାଉଥିବା ଲୋକ ରୀତିମତ ଠକେଇର ଶିକାର ହେଉଛନ୍ତି। ତେବେ ବେଆଇନ୍ ଲଟେରି ଟିକେଟ୍ ବିକ୍ରି ଅଭିଯୋଗର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବାରିପଦା ଟାଉନ ଥାନା ଅଧିକାରୀ କହିଛନ୍ତି।
ସୂଚନାଥାଉ କି, ଅଧିକ ସୁଧର ଲୋଭ ଦେଖାଇ ଶାରଦା ସମେତ ପଶ୍ଚିମବଙ୍ଗର ଅନେକ ଚିଟ୍ଫଣ୍ଡ କମ୍ପାନୀ ଦ୍ୱାରା ବାରିପଦାର ହଜାର ହଜାର ଲୋକ ଠକେଇର ଶିକାର ହୋଇଥିଲେ। ଆଉ ଏବେ ନକଲି ଲଟେରି ଟିକେଟ୍ ମାଧ୍ୟମରେ ଲୋକଙ୍କୁ ଠକିବା ଲାଗି ନୂଆ ବାଟ ବାହାରିଛି।