ଚାରା ଘୋଟାଲା ତାତିରେ ନାକେଦମ୍ ସରକାର

ବିରୋଧୀଙ୍କ ପ୍ରଶ୍ନ, କେମିତି ଅବସ୍ଥାପିତ ହେଲେ ନିଲମ୍ବିତ ଅଧିକାରୀ

ଭୁବନେଶ୍ୱର : ଚାରା ଘୋଟାଲାରେ ସରକାର ସ୍ୱୀକାର କରିଥିବା ଦୁର୍ନୀତିକୁ ଏବେ ଅସ୍ତ୍ର କରିଛନ୍ତି ବିରୋଧୀ। ୪ ଦିନର ବିରତି ପରେ ସୋମବାର ପ୍ରଶ୍ନ କାଳ ଅାରମ୍ଭରୁ ଏହି ଦୁର୍ନୀତିକୁ ପ୍ରସଙ୍ଗ କରି ଗର୍ଜିଥିଲେ ବିଜେପି ଓ କଂଗ୍ରେସ। ବାଚସ୍ପତିଙ୍କ ଟେବୁଲ ବାଡେଇ ଦାବି କରିଥିଲେ, ଚାରା ଘୋଟାଲାର ସିବିଅାଇ ତଦନ୍ତ ହେଉ।

ତେବେ ହୋହ୍ଲାଲ୍ଲା ଯୋଗୁଁ ଚାଲିପାରି ନଥିଲା ପ୍ରଶ୍ନକାଳ। ଗୃହକୁ ଘଣ୍ଟାଏ ଯାଏ ମୁଲତବୀ କଲେ ବାଚସ୍ପତି।

ଶୂନ୍ୟକାଳରେ ପୁଣି ଉଠିଲା ଚାରା ଘୋଟାଲା କଥା। ବିରୋଧୀ ଦଳ ନେତା କୃଷିମନ୍ତ୍ରୀ ଦେଇଥିବା ଲିଖିତ ଉତ୍ତରକୁ ପଢି କହିଥିଲେ, ମୟୁରଭଞ୍ଜରେ ୧୭ କୋଟି ୩୩ ଲକ୍ଷ ଏବଂ ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ଦେବଗ଼ଡ ଓ ସମ୍ବଲପୁରରେ ଦୁର୍ନୀତି ହୋଇଥିବା ତଥ୍ୟ ସରକାର ସ୍ୱୀକାର କରିଛନ୍ତି। ତେଣୁ ଦୋଷୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜ୍ଜୁ ହୋଇ କାର୍ଯ୍ୟାନୁଷ୍ଠାନ ନିଅାଯିବା ସହ ମୁଖ୍ୟମନ୍ତ୍ରୀ ଗୃହରେ ଉତ୍ତର ରଖନ୍ତୁ।

ଏହି ଘୋଟାଲା ଅଭିଯୋଗରେ ଜଣେ ଦୋଷୀ ଅଧିକାରୀଙ୍କୁ ପୁଣି ଥରେ କିପରି ଅବସ୍ଥାପିତ  କରାଗଲା, ସେ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି ନରସିଂହ । ବିଜେପି ବିଧାୟକ ଦଳ ନେତା ମଧ୍ୟ ସମାନ କଥା ଉଠାଇ ସରକାରଙ୍କୁ ଟାର୍ଗେଟ କରିଥିଲେ।

ଏହି ପ୍ରସଙ୍ଗକୁ ନେଇ ଗୃହ ବାରମ୍ବାର ମୁଲତବୀ ପରେ କୃଷିମନ୍ତ୍ରୀଙ୍କୁ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ବାଚସ୍ପତି। ମୌସୁମୀ ଅଧିବେଶନ ଅବଧି ଭିତରେ କୃଷିମନ୍ତ୍ରୀ ଉତ୍ତର ରଖିବେ। ବାଚସ୍ପତିଙ୍କ ନିର୍ଦ୍ଦେଶ ପରେ ଗୃହ ସ୍ୱାଭାବିକ ହୋଇଥିଲା। ତେବେ ବ୍ୟୟମଂଜରୁୀ ବିଲ ଅାଲୋଚନା ବେଳେ ମଧ୍ୟ ପୁଣି ଚାରା ଘୋଟାଲା କଥା ଉଠାଇ ବିରୋଧୀ ଦଳ ନେତା ସରକାର ଅାଣିଥିବା ଅାପ୍ରୋପିଏସନ ବିଲ ମିସ ଅାପ୍ରୋପିଏସ ବିଲ ବୋଲି କଟାକ୍ଷ କରିଥିଲେ।  ତେବେ ଗୃହ ବାହାରେ ବିଜେଡି କହିଛି ଗଣମାଧ୍ୟମରେ ଅାସିବା ପାଇଁ ଯୋଜନାବଦ୍ଧ ଭାବେ ପ୍ରଶ୍ନ କାଳକୁ ଭଣ୍ଡୁର କରୁଛନ୍ତି ବିରୋଧୀ ।

You might also like