ଅତିବଡ଼ି ଜଗନ୍ନାଥ ଦାସଙ୍କ ଜନ୍ମପୀଠ ଉନ୍ନତିକରଣ ନାଁରେ ଦୁର୍ନୀତି

ଭୁବନେଶ୍ୱର : ସରକାରୀ ଅର୍ଥ ଚଳୁ କରିବାର ନୂଆ ଉପାୟ। ଏଥର ମୋହରା ସାଜିଛନ୍ତି ଖୋଦ୍ ମହାପୁରୁଷ ଅତିବଡ଼ି। ପୁରୀ-ବ୍ରହ୍ମଗିରି ରାସ୍ତାରେ ଗଲେ ପଡେ ଅତିବଡ଼ି ଜଗନ୍ନାଥ ଦାସଙ୍କ ଜନ୍ମପୀଠ କପିଳେଶ୍ୱରପୁର।

ମୁଖ୍ୟରାସ୍ତାରୁ ପୀଠକୁ ଯିବା ପାଇଁ  ପ୍ରବେଶପଥରେ ପୀଠ ସଂପର୍କରେ ସୂଚନା ପ୍ରଦାନ ଲାଗି ଏଠାରେ ନିର୍ମାଣ ହେଉଛି ଏକ ସିମେଣ୍ଟ ଗେଟ୍। ତେବେ ଇଏ ଏମିତି ସେମିତି ଗେଟ୍ ନୁହେଁ ; କାରଣ ଏହାର ନିର୍ମାଣରେ ଖର୍ଚ୍ଚ ହେବ ୪୬ ଲକ୍ଷ ୧୪ ହଜାର ୩୮୯ ଟଙ୍କା।

କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ସରକାରୀ ହିସାବରେ ଏହାହିଁ ଦର୍ଶାଯାଇଛି। ତେବେ ଅସଲ କଥା ହେଉଛି ଟଙ୍କା ଆସିଥିଲା ଅତିବଡ଼ି ପୀଠର ଉନ୍ନତିକରଣ ଲାଗି।  ସଂରକ୍ଷଣ ଓ ପୁନରୁଦ୍ଧାର କାମ ପାଇଁ ଟଙ୍କା ମଂଜୁର କରିଥିଲା ରାଜ୍ୟ ସଂସ୍କୃତି ବିଭାଗ। ପୀଠରେ ପର୍ଯ୍ୟଟକଙ୍କ ଲାଗି ଆବଶ୍ୟକ ସର୍ବନିମ୍ନ ସୁବିଧା ଶୈାଚାଳୟ କି ବିଶ୍ରାମାଗାର ନଥିବା ବେଳେ ଗେଟ୍  ନିର୍ମାଣରେ କାହିଁକି ଏତେ ଟଙ୍କା ଖର୍ଚ୍ଚ ହେଉଛି ତାକୁ ନେଇ ଉଠିଛି ପ୍ରଶ୍ନ।

ଅନ୍ୟପକ୍ଷରେ ସଂରକ୍ଷଣ ଓ ପୁନରୁଦ୍ଧାର କାମ ଲାଗି ଆସିଥିବା ଟଙ୍କା ନୂଆ କାମରେ ଖର୍ଚ୍ଚ କରିବାକୁ କିଏ ଅନୁମତି ଦେଲା ବୋଲି ଜାଣିବାକୁ ଚାହିଁଛନ୍ତି ସ୍ଥାନୀୟ ଲୋକ। ସେହିପରି ଗେଟ୍ଟି ପୀଠ ଠାରୁ ୬ କିଲୋମିଟର ଦୂରରେ ଥିବାରୁ  ପର୍ଯ୍ୟଟକଙ୍କୁ ମାର୍ଗ ଦର୍ଶାଇବାରେ ଏହା କେତେ ଉପଯୋଗୀ ହେବ ତାହା ବି ବୁଝାପଡୁନି।

ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ପୁରୁଣା କୀର୍ତ୍ତିରାଜି ଓ ଦର୍ଶନୀୟ ସ୍ଥାନର ପୁନରୁଦ୍ଧାର ନାଁରେ କିଭଳି କୋଟି କୋଟି ଟଙ୍କା ଆତ୍ମସାତ୍ ହେଉଛି ତାହା ବି ନଜରକୁ ଆସିଛି। ସରକାରୀ ନିୟମ ଅନୁଯାୟୀ ଐତିହାସିକ ସ୍ଥାନ ଓ କୀର୍ତ୍ତିରାଜି ଗୁଡିକର ମରାମତି ଓ ରକ୍ଷଣାବେକ୍ଷଣ କାମ ନିଜେ ସଂସ୍କୃତି ବିଭାଗ କରିବା କଥା। ତେବେ ୧୭ ମସିହା ପର ଠାରୁ ଏହି କାମଗୁଡିକୁ ଠିକାଦାରଙ୍କୁ ଦିଆଯାଉଛି।

ସେହିପରି ଟେଣ୍ଡର ପ୍ରକ୍ରିୟାରେ ବି ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ଯେମିତିକି ପୁରୀ ସାତଲହଡି ମଠର ରକ୍ଷାଣବେକ୍ଷଣ ପାଇଁ ପ୍ରଥମେ ଟେଣ୍ଡର କରିଥିଲେ ସରକାର। କିନ୍ତୁ ପରେ ଏ ଟେଣ୍ଡରକୁ ଥରେ ନୁହେଁ ଦୁଇ ଦୁଇ ଥର ବାତିଲ କରାଯିବା ସହ କିଛି ନିର୍ଦ୍ଦିଷ୍ଟ ସର୍ତ୍ତ ସହିତ ସାନି ଟେଣ୍ଡର କରାଇଥିଲେ। ଯାହା ଓଡ଼ିଶା ପୂର୍ତ୍ତ ବିଭାଗ ବା  OPWD ନିୟମର ଖୋଲା ଉଲ୍ଲଘଂନ।

ତେବେ କିଛି ନିର୍ଦ୍ଦିଷ୍ଟ ଠିକାଦାରକୁ ଟେଣ୍ଡର ପ୍ରକ୍ରିୟାରୁ ବାହାରେ ରଖିବା ଲାଗି ଏହି ଷଡଯନ୍ତ୍ର କରାଯାଇଥିବା ଅଭିଯୋଗ ଉଠିଛି।  ଅନ୍ୟପକ୍ଷରେ ଅଭିଯୋଗର ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

ପୁରୁଣା କୀର୍ତ୍ତିରାଜିର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ନାଁରେ କେମିତି କୋଟି କୋଟି ଟଙ୍କା ଚଳୁ କରାଯାଉଛି। ଅତିବଡ଼ି ପୀଠ ଅନିୟମିତତା ଅଭିଯୋଗ ସେଥିରୁ  ଉଦାହରଣଟିଏ ମାତ୍ର।

You might also like