ଜୁନ୍‌ ୩ରେ ଜଣା ପଡ଼ିବ ଚଳିତବର୍ଷ ହେବ କି ନାହିଁ ଦ୍ୱାଦଶ ବୋର୍ଡ ପରୀକ୍ଷା

କୋର୍ଟଙ୍କ ହାତରେ ପରୀକ୍ଷା ନିଷ୍ପତ୍ତି

ନୂଆଦିଲ୍ଲୀ: ସିବିଏସ୍ଇ ଏବଂ CISCEର ଦ୍ୱାଦଶ ବୋର୍ଡ ପରୀକ୍ଷା ରଦ୍ଦ ଆବେଦନ ଉପରେ ହେବାକୁ ଥିବା ସୁପ୍ରିମକୋର୍ଟଙ୍କ ଶୁଣାଣି ଆସନ୍ତା ୩ ତାରିଖକୁ ଘୁଞ୍ଚିଲା। ୨୦୨୧ର ଦ୍ୱାଦଶ ବୋର୍ଡ ପରୀକ୍ଷା ହେବ ନା ନାହିଁ ଏହି ଉପରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରିଥାନ୍ତେ। କିନ୍ତୁ ସୁପ୍ରିମକୋର୍ଟ ଜଷ୍ଟିସ ଏ.ଏମ୍, ଖାନଓ୍ୱିଲକର ଏବଂ ଜଷ୍ଟିସ ଦୀନେଶ ମାହେଶ୍ୱରୀଙ୍କ ଖଣ୍ଡପୀଠ ଆସନ୍ତା ୩ ଯାଏଁ ଘୁଞ୍ଚାଇ ଦେଇଛନ୍ତି । କେନ୍ଦ୍ରୀୟ ଶିକ୍ଷାବୋର୍ଡର ଦ୍ୱାଦଶ ବୋର୍ଡ ପରୀକ୍ଷା ରଦ୍ଦ ନେଇ ପୂର୍ବରୁ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ସର୍ବୋଚ୍ଚ କୋର୍ଟରେ ଦ୍ୱିତୀୟ ଥର ଲାଗି ଏହି ପ୍ରସଙ୍ଗରେ ଶୁଣାଣି ହୋଇଛି। ସିବିଏସ୍ଇ ଏବଂ CISCE ବୋର୍ଡର ଦ୍ୱାଦର୍ଶ ପରୀକ୍ଷା ରଦ୍ଦ କରିବାକୁ ସୁପ୍ରିମକୋର୍ଟ ଆଇନଜୀବୀ ମମତା ଶର୍ମା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

ଆଇନଜୀବୀଙ୍କ ସହ ପ୍ରାୟ ୭ଶହ ଅଭିଭାବକ ମଧ୍ୟ ପରୀକ୍ଷା ରଦ୍ଦ କରିବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହାପୂର୍ବରୁ ଗତ ସପ୍ତାହରେ ୩ଶହରୁ ଅଧିକ ଛାତ୍ରଛାତ୍ରୀ ଦ୍ୱାଦଶ ପରୀକ୍ଷା ବନ୍ଦ କରିବାକୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଥିଲେ। ଏଣେ CBSE ଦ୍ୱାଦଶ ପରୀକ୍ଷା ନେଇ ଯାହା ନିଷ୍ପତ୍ତି ଆସିବ, ସେହି ନିଷ୍ପତ୍ତି ଆସିବା ପରେ ରାଜ୍ୟର ଯୁକ୍ତ ଦୁଇ ପରୀକ୍ଷା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ। ତଥାପି ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଜୁନ ପ୍ରଥମ ସପ୍ତାହରେ ହିଁ ନିଷ୍ପତ୍ତି ହେବ ବୋଲି ସେ କହିଛନ୍ତି।

You might also like