ପୁରୀ: ଆଜି ସପ୍ତପୁରୀ ଆମାବସ୍ୟା। ସପ୍ତପୁରୀ ଅମାବାସ୍ୟାରେ ମହାପ୍ରଭୁଙ୍କୁ ସାତ ପୁର ଦିଆ ସପ୍ତପୁରୀ ଲାଗି କରାଯାଇଥାଏ। ମଧ୍ୟାହ୍ନ ଧୂପ ପରେ ଶ୍ରୀମନ୍ଦିରରୁ କୁମ୍ଭକାରଙ୍କ ସହ ଘଣ୍ଟୁଆ, ଲେଙ୍କା ସେବକ, ପ୍ରତିନିଧି ଦଳ ସତପୁରୀ ତାଡ଼ ନେଇ ମା ଅଲାମଚଣ୍ଡୀ ମନ୍ଦିରରୁ ବାହାରିଥିଲେ।
ନୂଆ ଲୁଗା ଲାଗି ପରେ ସତପୁରୀ ତାଡ଼ ପଟୁଆର ସହ ସେଠାରୁ ଶ୍ରୀମନ୍ଦିର ଅଭିମୁଖେ ବାହାରି ଶ୍ରୀମନ୍ଦିରରେ ବେଢ଼ା ପରିକ୍ରମା ପରେ ପ୍ରତିହାରୀ ନିଯୋଗ ଘରେ ତାଡ଼ ବସାଣ ହୋଇଥିଲା । ଆଜି ଅମାବାସ୍ୟା ତିଥିରେ ରୋଷ ପାଇକଙ୍କୁ ଏକ ଗୋଟି ତାଡ଼ ହସ୍ତାନ୍ତର କରାଯିବାର ବିଧି ରହିଛି ।
ଏହାପରେ ଖେଇ ବାବଦ ତାଡ଼ ଲେଙ୍କା ସେବକ, ଅମିନ, ମହାସୁଆରଙ୍କୁ ଦିଆଯାଇଥାଏ । ମଙ୍ଗଳବାର ଦ୍ୱିପହର ଧୂପ ବଢିଲା ପରେ କୁମ୍ଭାର ବିଶୋଇ ସେବକମାନେ ବାଘମୁଖା ବାନ୍ଧି ଅଲାମଚଣ୍ଡୀ ଠାକୁରାଣୀଙ୍କ ପୀଠରୁ ୪ଟି ସାତପୁରୀ ତାଡ଼ ଶ୍ରୀମନ୍ଦିରକୁ ବିଜେ କରିଥିଲେ। ପରେ ପୂଜାପଣ୍ଡା ସାମନ୍ତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ଦକ୍ଷିଣକାଳୀଙ୍କ ପୀଠକୁ ଯାଇ ଠାକୁରାଣୀଙ୍କୁ ଅର୍ପଣ କରିଥିଲେ। ଆଜି ସକାଳ ଧୂପରେ ମହାପ୍ରଭୁଙ୍କୁ ସାତପୁରୀ ପିଠା ଲାଗି କରାଯିବ।