ପ୍ରଦୀପଙ୍କ ସହଯୋଗୀ ସର୍ବେଶ୍ୱର ଗିରଫ

ଭୁବନେଶ୍ୱର: ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଠକେଇ ଲିଙ୍କରେ ଶେଷରେ ବନ୍ଧା ହେଲେ ସର୍ବେଶ୍ୱର ରାଓ। କ୍ରାଇମବ୍ରାଂଚ ଏସଆଇଟି ଆଜି ତାଙ୍କୁ ଗିରଫ କରିଛି। ଆଜି ସକାଳୁ ସର୍ବେଶ୍ୱରଙ୍କୁ ଡାକି ମାରାଥନ ଜେରା ପରେ ତାଙ୍କୁ ଗିରଫ କରାଯାଇଥିବା ଏସଆଇଟି ସ୍ପଷ୍ଟ କରିଛି। ଆକାଶ ପାଠକଙ୍କ ବ୍ୟକ୍ତିଗତ ସଚିବ ଡେଭିଡ୍ ପିଟରଙ୍କୁ ଜେରା ବେଳେ ସେ ସର୍ବେଶ୍ୱରଙ୍କ ନାଁ ନେଇଥିଲେ। ସେ କହିଥିଲେ କି, ଟାଟାରେ ଚାକିରି ଦେବା ନାଁରେ ଆଶାୟୀଙ୍କ ତାଲିକା ଯୋଗାଉଥିଲେ ସର୍ବେଶ୍ୱର। ଏଥିସହ କ୍ୟାମ୍ପସରେ ନିଯୁକ୍ତି ଦାୟିତ୍ୱ ମଧ୍ୟ ସର୍ବେଶ୍ୱର ନେଉଥିଲେ ବୋଲି ଜେରା ବେଳେ କହିଥିଲେ ପିଟର।

ଏପରିକି ସର୍ବେଶ୍ୱରଙ୍କ ଆକାଉଣ୍ଟରୁ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯଇଥିବା କ୍ରାଇମବ୍ରାଞ୍ଚ ତଥ୍ୟ ପାଇଥିଲା। ତେଣୁ ସର୍ବେଶ୍ୱରଙ୍କଠାରୁ ତଥ୍ୟ ଓଗାଳିବାକୁ ଚେଷ୍ଟା କରୁଛି ଏସଆଇଟି। ସର୍ବେଶ୍ୱରଙ୍କ ଆକାଉଣ୍ଟରୁ ପ୍ରଦୀପଙ୍କ ଆକାଉଣ୍ଟକୁ କେତେ ଟଙ୍କା ଯାଇଛି ସେ ନେଇ ତଥ୍ୟ ସଂଗ୍ରହ କରୁଛି।

ସେପଟେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ୨ ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଛି। ରିମାଣ୍ଡ ସରିବା ପରେ ପ୍ରଦୀପ ପାଣିଗ୍ରାହୀଙ୍କୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ପରିସରରେ ଗଣମାଧ୍ୟମକୁ ପ୍ରଦୀପ ପାଣିଗ୍ରାହୀ କହିଥିଲେ ଯେ ମୋ ବିରୋଧରେ ଅଭିଯୋଗ ଭିତ୍ତିହୀନ, କୋର୍ଟରେ ପ୍ରମାଣ କରିବି। ଜେଲ୍‌ରେ ରାଜନୈତିକ ବନ୍ଦୀ ସୁବିଧା ଦେବାକୁ କୋର୍ଟଙ୍କୁ ଅନୁରୋଧ କରିଛି ବୋଲି ସେ କହିଥିଲେ।

ଚାକିରୀ ଦେବା ନାଁରେ ଠକେଇ ଅଭିଯୋଗ ମାମଲାରେ ଆଇଏଫଏସ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କୁ ଗିରଫ କରାଯାଇଥିଲା। ଆକାଶଙ୍କ ବିରୋଧରେ ଟାଟାରେ ଚାକିରି କରାଇ ଦେବାକୁ କହି ବ୍ରହ୍ମପୁର ଓ ଗୋପାଳପୁର ଅଞ୍ଚଳର କିଛି ବ୍ୟକ୍ତିଙ୍କଠୁ ଠକେଇ କରିଥିବା ଅଭିଯୋଗ ରହିଛି।

You might also like