କ୍ଷମତା ଅପବ୍ୟବହାର କରି ଗିରଫ ହେଲେ ସରପଞ୍ଚ

ବଲାଙ୍ଗିର: କ୍ଷମତା ଅପବ୍ୟବହାର ଅଭିଯୋଗରେ ସରପଞ୍ଚ ଗିରଫ। ସରପଞ୍ଚ ହେମକାନ୍ତି ମୁଣ୍ଡା ଓ ତାଙ୍କ ସ୍ୱାମୀ ମୋହନ ମୁଣ୍ଡା ଗିରଫ। ଉଭୟଙ୍କୁ ଲୋଇସିଂହା ଥାନା ପୋଲିସ ଗିରଫ କରିଛି। ଜିଲ୍ଲାପାଳ କ୍ଷମତାର ଅପବ୍ୟବହାର କରିଥିଲେ ସରପଞ୍ଚ।

କାହାରି ନିର୍ଦ୍ଦେଶ ନାହିଁ, ହେଲେ ହାତରେ ଜିଲ୍ଲାପାଳ କ୍ଷମତା ଥିବାରୁ ଗତ ୧୧ରେ ଭାଙ୍ଗି ଦେଇଥିଲେ ଛଅ ଛଅଟି ଅର୍ଦ୍ଧନିର୍ମିତ ପ୍ରଧାନମନ୍ତ୍ରୀ ଆବାସ। ବୁଲଡୋଜର ଲଗାଇ ମାଟିରେ ମିଶାଇ ଦେଲେ ୬ ଅସହାୟ ନିରାଶ୍ରୟ ପରିବାରର ସବୁ ଆଶା, ସବୁ ସ୍ୱପ୍ନ। ଏ ନେଇ ୧୦ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା।

ଏମିତି ଥିଲା ଘଟଣାକ୍ରମ:-

ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ସାଲଭେଟା ପଞ୍ଚାୟତର ଏ ୬ ଆଦିବାସୀ ପରିବାରଙ୍କୁ ମିଳିଥିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୬ଟି ଘର। ଭୂମିହୀନ ହୋଇଥିବାରୁ ପଞ୍ଚାୟତ ଓ ବ୍ଲକ୍ ପ୍ରଶାସନର ସହମତି ପରେ ସାଲଭେଟା ଗାଁରେ ଖାଲି ପଡ଼ିଥିବା ଏ ସରକାରୀ ଜାଗାରେ ଘର ନିର୍ମାଣ ଆରମ୍ଭ କରିଥିଲେ। ଓ୍ୱାର୍କ ଅର୍ଡର ପାଇବା ପରେ ସରକାରୀ ଅଧିକାରୀଙ୍କ ନିୟମିତ ଦେଖାଶୁଣାରେ ଆରମ୍ଭ ହୋଇଥିଲା। ନିର୍ମାଣ କାମ ନିୟମ ଅନୁସାରେ ଦୁଇ କିସ୍ତି ଟଙ୍କା ବି ମିଳିସାରିଥିଲା। ଲହୁ-ଲୁହ ଏକାଠି କରି ସଞ୍ଚିଥିବା ଆଉ କିଛି ପୁଂଜି ମିଶାଇ ଛାତ ଯାଏଁ ମୁଣ୍ଡ ଟେକିଥିଲା ଘର।

ହେଲେ କ’ଣ ହେଲା କେଜାଣି, ୧୧ ତାରିଖ ସକାଳେ ହଠାତ ଦଳବଳସହ ପହଞ୍ଚିଥିଲେ ସରପଞ୍ଚଙ୍କ ଟିମ୍। ମାଡାମଙ୍କ ନିର୍ଦ୍ଦେଶରେ ବୁଲଡୋଜର ଚଢାଇ ମାଟିରେ ମିଶାଇ ଦେଇଥିଲେ ଗୋଟିଏ ପରେ ଗୋଟିଏ ଘର। ଧ୍ୱଂସର ଏ ତାଣ୍ଡବ ଲୀଳା ରଚିବା ବେଳେ ଗରିବ, ନିରୀହ, ଭୂମିହୀନ ଆଦିବାସୀଙ୍କ କାନ୍ଦ-ବୋବାଳି, ଅନୁନୟ-ବିନୟକୁ ଭ୍ରୁକ୍ଷେପ କରିନଥିଲେ ସରପଞ୍ଚ। ଏ ଘଟଣା ପରେ ଲୋଇସିଂହା ଥାନାରେ ସଂପୃକ୍ତ ସରପଞ୍ଚଙ୍କ ବିରୋଧରେ ଏତଲା ଦାଏର ହୋଇଥିଲା।

You might also like