ପ୍ରହସନ ପାଲଟିଛି ସରକାରଙ୍କ ସର୍ବଶିକ୍ଷା ଅଭିଯାନ

ସୁବର୍ଣ୍ଣପୁର: ପ୍ରହସନ ପାଲଟିଛି ସରକାରଙ୍କ ସର୍ବଶିକ୍ଷା ଅଭିଯାନ। କେଉଁଠି ବିଦ୍ୟାଳୟରେ ଭିତ୍ତିଭୂମିର ଅଭାବ ତ ଆଉ କେଉଁଠି ପାଠ ପଢିବା ପାଇଁ ସ୍କୁଲ ଘର ନାହିଁ। ତେବେ ଏହା ଭିତରେ ଆଉ ଏକ ଅଭିଯୋଗ ସାମ୍ନାକୁ ଆସିଛି। ଶିକ୍ଷାବର୍ଷ ସରିବାକୁ ଆଉ କିଛି ମାସ ବାକି ଥିବାବେଳେ ଏ ପର୍ଯ୍ୟନ୍ତ ପିଲାଙ୍କୁ ସ୍କୁଲ୍‌ ଡ୍ରେସ୍‌ ମିଳିନି। ଫଳରେ ବାଧ୍ୟ ହୋଇ ଛାତ୍ରଛାତ୍ରୀ ପୁରୁଣା ନହେଲେ ଛିଣ୍ଡା ଡ୍ରେସ୍‌ରେ ସ୍କୁଲ୍‌ ଆସୁଛନ୍ତି।

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍‌ ଅନ୍ତର୍ଗତ ଦେଣ୍ଡୁପଦର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ କିଏ ଅପରିଷ୍କାର ଡ୍ରେସ୍‌ ତ ଆଉ କିଏ ଛିଣ୍ଡା ସ୍କୁଲ୍‌ ଡ୍ରେସ୍‌ ପିନ୍ଧିଥିବା ଦେଖିବାକୁ ମିଳିଛି। ଆଉ କିଏ କିଏ ସ୍କୁଲ୍‌ ଡ୍ରେସ୍‌ ବଦଳରେ ବିଭିନ୍ନ ରଙ୍ଗର ପୋଷାକ ପିନ୍ଧିଥିବା ନଜର ଆସିଛି। ଏ ସମ୍ପର୍କରେ ପଚାରିବାରୁ ଜଣାପଡିଲା ଯେ, ୪ ମାସ ହେଲାଣି ପିଲାଙ୍କୁ ସ୍କୁଲ୍‌ ଡ୍ରେସ୍‌ ମିଳିନି। କେବଳ ଏହି ସ୍କୁଲ୍‌ ନୁହେଁ, ବିନିକା ବ୍ଲକର ୧୩୨ଟି ସ୍କୁଲ୍‌ର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ହଜାର ହଜାର ଛାତ୍ରଛାତ୍ରୀ ସ୍କୁଲ୍‌ ଡ୍ରେସ୍‌ ପାଇ ନାହାନ୍ତି। ଯାହାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।

ସେହିଭଳି ବାରିପଦାରେ ସମାନ ସ୍ଥିତି ଦେଖିବାକୁ ମିଳିଛି। ମଧୁବନ ସ୍ଥିତ ବଳାଙ୍ଗୀ ମଧ୍ୟ ଇଂରାଜୀ ସ୍କୁଲ୍‌ର ଷଷ୍ଠ ଓ ସପ୍ତମ ଶ୍ରେଣୀରେ ମୋଟ ୪୪ ପିଲା ପାଠ ପଢୁଥିବା ବେଳେ ଏ ପର୍ଯ୍ୟନ୍ତ ସ୍କୁଲ୍‌ ଡ୍ରେସ୍‌ ମିଳିନି। ତେବେ ବଳାଙ୍ଗୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ଏଡେଡ୍ ସ୍କୁଲ ହୋଇଥିବାରୁ ଡ୍ରେସ୍‌ ବାବଦକୁ ଟଙ୍କା ଆସିନି। ଏ ନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଯାଇଛି ଏବଂ ଟଙ୍କା ଆସିଲେ ଡ୍ରେସ୍‌ କିଣା ହେବ ବୋଲି ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି।

You might also like