ହାଇକୋର୍ଟରେ ସାରଥି ଜାମିନ ଆବେଦନର ଶୁଣାଣି ଶେଷ, ରାୟ ସଂରକ୍ଷିତ

କଟକ :  ସାରଥୀ ଓରଫ ସନ୍ତୋଷ ରାଉଳଙ୍କ ଜାମିନ ଆବେଦନର ଶୁଣାଣି ହାଇକୋର୍ଟରେ ଶେଷ ହୋଇଛି। ଉଭୟ ପକ୍ଷଙ୍କୁ ଶୁଣିବା ପରେ ହାଇକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। କେନ୍ଦ୍ରପଡ଼ା ବାରିମୂଳ ଆଶ୍ରମର ଅନ୍ତେବାସିନୀ ମାଆ ଓ ଝିଅଙ୍କ ପକ୍ଷରୁ ଦାୟର ମାମଲାରେ ଶୁଣାଣି ଶେଷ ହୋଇଛି।

ସି ଆର ପିସିର ସଂଶୋଧିତ ଧାରା ୪୩୬ କ କୁ ଆଧାର କରି ଜାମିନ ରେ ଯିବା ପାଇଁ ସାରଥୀଙ୍କ ଓକିଲ ଯୁକ୍ତି ଦର୍ଶାଇଥିଲେ। ସଂଶୋଧିତ ଆଇନ ଅନୁଯାୟୀ ସର୍ବାଧିକ ଦଣ୍ଡ ବିଧାନର ଅଧାରୁ ଅଧିକ ସମୟ ବିନା ବିଚାରରେ ଜେଲରେ କଟାଇଥିବା ଅଭିଯୁକ୍ତ ମାନଙ୍କୁ ଜାମିନ ଦେବାର ବ୍ୟବସ୍ଥା ରହିଛି।

ଏହି ମାମଲାରେ ଆଇପିସିର ୫୦୬,୪୨୦,୩୫୪, ୧୨୦ ଖ ଓ ୩୪ ଧାରାରେ ଚାର୍ଜସିଟ ଦାଖଲ କରାଯାଇଛି। ଏହି ଦଫା ଗୁଡିକ ମଧ୍ୟରୁ ୪୨୦ ଧାରାରେ ସର୍ବାଧିକ ୭ ବର୍ଷ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି। ଏହି ମାମଲାରେ ସାରଥୀ ୨୦୧୫ ମସିହା ଅକ୍ଟୋବର ୧୬ ତାରିଖରେ ଗିରଫ ହୋଇଥିଲେ। ଇତି ମଧ୍ୟରେ ପାଖାପାଖି ୪ ବର୍ଷ ସମୟ ଜେଲରେ କଟାଇ ସାରିଲେଣି। ତେଣୁ ସାରଥୀଙ୍କୁ ଜାମିନ ପ୍ରଦାନ କରିବାକୁ ତାଙ୍କ ଓକିଲଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନା କରାଯାଇଥିଲା।

ଅନ୍ୟପଟେ ସେ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ତଦନ୍ତ ପ୍ରକ୍ରିୟା ପ୍ରଭାବିତ କରିବା ଓ ସାକ୍ଷୀ ମାନଙ୍କୁ ଧମକ ଚମକ ଦେବାର ସମ୍ଭାବନା ରହିଛି। ତାଙ୍କ ବିରୋଧରେ ଅନ୍ୟ ଅପରାଧିକ ମାମଲା ବିଚାରାଧୀନ ରହିଥିବାରୁ ଜାମିନ ନ ଦେବାକୁ ସରକାରୀ ଓକିଲ ଯୁକ୍ତି ଦର୍ଶାଇଥିଲେ।

ପୂର୍ବରୁ ଅନ୍ୟ ୨ ଟି ମାମଲାରେ ସାରଥୀଙ୍କୁ ଜାମିନ ମିଳିସାରିଛି। ଏହି ମାମଲାରେ ଜାମିନ ପାଇଲେ ସାରଥୀ ଜେଲରୁ ମୁକୁଳିବା ପାଇଁ ବାଟ ଫିଟିବ।

You might also like