ଏବେ କେମିତି ଅଛନ୍ତି କରୋନା କାଳର ଜିଲ୍ଲାପାଳ କ୍ଷମତାପ୍ରାପ୍ତ ସରପଞ୍ଚ?

ବଲାଙ୍ଗିର(ମନରଞ୍ଜନ ଯୋଶୀ) ତୃଣମୂଳ ସ୍ତରରେ କରୋନା ଲଢ଼େଇକୁ ବଳ ଦେବାକୁ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଥିଲେ ରାଜ୍ୟ ସରକାର। ପ୍ରତି ପଞ୍ଚାୟତରେ ଟିଏମସି ସେଣ୍ଟର ଖୋଲିବାଠୁ ନେଇ ପ୍ରବାସୀ ଶ୍ରମିକଙ୍କ ଖାଇବା-ପିଇବା, ପଞ୍ଚାୟତରେ କରୋନା ପରିଚାଳନା ଆଦି ସବୁ କ୍ଷେତ୍ରରେ ସେମାନଙ୍କୁ ଅଖଣ୍ଡ କ୍ଷମତା ଦିଆଯିବା ସହ ୫ ଲକ୍ଷ ଟଙ୍କାର ସ୍ୱତନ୍ତ୍ର ପାଣ୍ଠି ବି ଘୋଷଣା କରିଥିଲେ ରାଜ୍ୟ ସରକାର। ହେଲେ ଏବେ କେମିତି ଅଛନ୍ତି କରୋନା କାଳର ଜିଲ୍ଲାପାଳ କ୍ଷମତାପ୍ରାପ୍ତ ସରପଞ୍ଚ? ଟିଏମସି ବାବଦକୁ କେବେ ଓ କେତେ ପାଇଲେ ସ୍ୱତନ୍ତ୍ର ପାଣ୍ଠି ? ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି।

କରୋନା ଯେଉଁ ସମୟରେ କାୟା ବିସ୍ତାର କଲା, ସେହି ସମୟରେ ଟ୍ରେନ୍, ବସ୍ ଯୋଗେ ବଲାଙ୍ଗିର ଜିଲ୍ଳା କୁ ଫେରୁଥିବା ହଜାର ହଜାର ପ୍ରବାସୀଙ୍କ ଏକାନ୍ତବାସ ପାଇଁ ପଞ୍ଚାୟତର ବିଭିନ୍ନ ସ୍କୁଲ କଲେଜରେ ଅସ୍ଥାୟୀ ଭାବେ ଖୋଲିଥିଲା ଟିଏମ୍ସି ସେଣ୍ଟର। ସବୁ ଟିପ୍ ଟପ ବି ଦେଖାଯାଉଥିଲା। କିନ୍ତୁ ଆଜିର ଚିତ୍ର ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ସେହି ସମୟରେ ଏ ସବୁର ଦାୟିତ୍ୱ ବୁଝୁଥିଲେ ଜିଲ୍ଳାପାଳ କ୍ଷମତାପ୍ରାପ୍ତ ସରପଞ୍ଚ। ଆଉ ସେହି ସମୟରେ ଦାଦନ ପ୍ରବଣ ତୁରେକେଲା ଖଗସା ପଞ୍ଚାୟତର ସରପଞ୍ଚ ସୁଦର୍ଶନ କଟା ଓ ବଙ୍ଗୋମୁଣ୍ଡା ଅଲଣ୍ଡା ପଞ୍ଚାୟତର ସରପଞ୍ଚ ଅର୍ଜୁନ ଯାଦବ ବି ସରକାରଙ୍କ ପକ୍ଷରୁ ମିଳିଥିବା ଦାୟିତ୍ୱ ସମ୍ଭାଳି ଥିଲେ। କିନ୍ତୁ ବର୍ତ୍ତମାନ କେଉଁଠି ଖଟ, ଗଦି ସବୁ ଖତ ଖାଉଛି, ତ କେଉଁଠି କେଉଁଠି ସେ ମଧ୍ୟରୁ କିଛି ଚୋରି ବି ହେଇଗଲାଣି।

ଆହୁରି ପଢନ୍ତୁ: ରାଜରାସ୍ତାରେ ପିପିଇ କିଟ୍ ପିନ୍ଧି ଭିକ ମାଗିଲେ କୋଭିଡ ଯୋଦ୍ଧା

ତେବେ ଏହାକୁ ନେଇ ଖଗସା ସରପଂଚ କହିଛନ୍ତି ଯେ, ସରପଂଚମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଦେଇ ପୂରା ଭୋକୁଆ ବନାଇ ଦେଲେ ମୁଖ୍ୟମନ୍ତ୍ରୀ। କରୋନା ସମୟରେ ଶହଶହ ପ୍ରବାସୀମାନେ ଘରକୁ ଫେରିଲେ। ସେ ସମୟରେ ଆମେ ବହୁତ କାମ କଲୁ। କିନ୍ତୁ ସେ ଜିଲ୍ଲାପାଳ କ୍ଷମତା ଦିଆଯାଇଥିଲା ସତ କିନ୍ତୁ କୌଣସି ମୂଲ୍ୟ ନାହିଁ ତାହାର। ଏବେ ଟଙ୍କା ନାହିଁ କେମିତି କାମ କରିବୁ ବୋଲି ଖଗସା ସରପଂଚ।

ନିମ୍ନମାନର ଜିନିଷ କିଣି ମୋଟା ଅଙ୍କର ବିଲ୍ ହୋଇଥିବା ଅଭିଯୋଗ ବି ଆସୁଛି। ହେଲେ ସରପଞ୍ଚଙ୍କ କ୍ଷୋଭ- ନା ସରକାର ଘୋଷଣା କରିଥିବା ୫ ଲକ୍ଷର ସ୍ୱତନ୍ତ୍ର ପାଣ୍ଠି ଏଯାଏଁ ମିଳୁଛି, କି ଦୁର୍ନୀତିର ତଦନ୍ତ ହେଉଛି।

ଦାଦନପ୍ରବଣ ଅଞ୍ଚଳ କଥା ଛାଡ଼ନ୍ତୁ, ଖୋଦ୍ ବଲାଙ୍ଗିର ସହର ଉପକଣ୍ଠରେ ଥିବା ଖୁଜେନ୍ପାଲି ପଞ୍ଚାୟତରେ ବି ସମାନ ହାଲ୍, ସମାନ ଅଭିଯୋଗ। ପଞ୍ଚାୟତ ଅଫିସର ଗୋଟିଏ କୋଣରେ ଖଟ ଓ ଗଦି ଗଦା ହୋଇଛି। କୌଣସି ବ୍ୟବହାରରେ ଆସୁନି, କି ରକ୍ଷଣାବେକ୍ଷଣର ନାଁ ଗନ୍ଧ ନାହିଁ। ପୁଇଁତଳା ବ୍ଲକରେ ୫ ଲକ୍ଷର ସ୍ୱତନ୍ତ୍ର ପାଣ୍ଠି ଘୋଷଣାକୁ ଦେଖି ପଞ୍ଚାୟତ ଉନ୍ନୟନ ପାଣ୍ଠିରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏକ ରକମ ଫସି ଯାଇଛନ୍ତି ସରପଞ୍ଚ। ଫଳରେ ପଞ୍ଚାୟତରେ ଉନ୍ନୟନ କାମ ଠପ୍ ହୋଇଯାଇଥିବା ଅଭିଯୋଗ ବି ହୋଇଛି। ତେବେ ପୂରା ଜିଲ୍ଲାରେ ପାଖାପାଖି ସମାନ ଚିତ୍ର ଥିବା ବେଳେ ଘଟଣା ସଂପର୍କରେ କିନ୍ତୁ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ବଲାଙ୍ଗିର ଜିଲ୍ଲାପାଳ।

You might also like