ସାରଦା ମାଇନ୍ସକୁ ୨ ହଜାର ୫୬ କୋଟିରୁ ଅଧିକ ଟଙ୍କାର ଜରିମାନା
କେନ୍ଦୁଝର(ପ୍ରଣୟ କୁମାର ପାଣି ): ପରିବେଶ ଅନୁମୋଦନଠାରୁ ଅଧିକ ଖଣି ଖନନ କରିବା ଅଭିଯୋଗରେ ସାରଦା ମାଇନ୍ସକୁ ୨ ହଜାର ୫୬ କୋଟି ୩୮ ଲକ୍ଷ ୪୩ ହଜାର ୫୬୭ ଟଙ୍କାର ଜରିମାନା କରଯାଇଛି। କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳର ସାରଦା ମାଇନ୍ସକୁ ଯୋଡ଼ା ଖଣି ନିର୍ଦ୍ଦେଶାଳୟ ପକ୍ଷରୁ ଏକ ଡିମାଣ୍ଡ ନୋଟିସ୍ ଜାରି କରାଯାଇଛି।
ଯୋଡ଼ା ଯୁଗ୍ମ ଖଣି ନିର୍ଦ୍ଦେଶାଳୟର ଚିଠି ଅନୁସାରେ ସାରଦା ଖଣି କର୍ତ୍ତୃପକ୍ଷ ପରିବେଶ ମଞ୍ଜୁରୀ ନିୟମର ଉଲ୍ଲଂଘନ କରି ଅଧିକ ଖଣି ଖନନ କରିଛନ୍ତି। ଏଥିପାଇଁ ଅକ୍ଟୋବର ୬ ଓ ଜାନୁଆରୀ ୭ ତାରିଖରେ ଖଣି ନିର୍ଦ୍ଦେଶାଳୟ ପକ୍ଷରୁ ନୋଟିସ୍ ଜାରି କରାଯାଇଥିଲା। ସାରଦା ଖଣି ପକ୍ଷରୁ ଗତ ୨୫ ତାରିଖରେ ଏହାର ଉତ୍ତର ଦିଆଯାଇଥିଲା। ସେହି ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ଖଣି ନିର୍ଦ୍ଦେଶାଳୟ ୨ ହଜାର ୫୬ କୋଟି ୩୮ ଲକ୍ଷ ୪୩ ହଜାର ୫୬୭ ଟଙ୍କାର ଡିମାଣ୍ଡ ନୋଟିସ୍ ଜାରି କରିଛି। ତେବେ ବର୍ତ୍ତମାନ ଖଣି ଖନନ କାର୍ଯ୍ୟ ବନ୍ଦ ହେବ ନାହିଁ। ଡିମାଣ୍ଡ ନୋଟିସ୍ ଉପରେ କିଛି ପଦକ୍ଷେପ ନିଆନଗଲେ, ସରକାର କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି। ଅନ୍ୟପକ୍ଷରେ ଏ ନେଇ ସାରଦା ଖଣି କର୍ତ୍ତୃପକ୍ଷ କି ଖଣି ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ।