ଖୋଲୁଛି ଚାରା ଦୁର୍ନୀତିର ମହାଗୁମର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦୁର୍ନୀତି ପେଡ଼ିରୁ ଏବେ ଚାରା ଘୋଟାଲା ସବୁଠୁ ଚର୍ଚ୍ଚାରେ ରହିଛି। କାରଣ ଗଛ ଲଗାଇବାର ଆଳ କରି ରାଜ୍ୟର ଅନେକ ଜିଲ୍ଲାରେ ହରିଲୁଟ୍ ହୋଇଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରୁ ମୟୁରଭଞ୍ଜ ଜିଲ୍ଲା ସବୁଠୁ ଶୀର୍ଷରେ ରହିଛି। ଏଠାରେ ଚାଷୀଙ୍କୁ ମୋହରା ବନେଇ ସରକାରୀ ବାବୁମାନେ ପାଖାପାଖି ୧୮ କୋଟି ଟଙ୍କା ଚଳୁ କରିଦେଇଛନ୍ତି। କିଏ ନିଜକୁ ଭେଣ୍ଡର୍‌ ସଜାଇ ତ ଆଉ କିଏ ଜାଲ୍ ମଷ୍ଟର୍‌ ରୋଲ୍ ତିଆରି କରି କୋଟି କୋଟି ଟଙ୍କା ହରଣଚାଲ୍ କରିଛନ୍ତି।

ମୟୁରଭଞ୍ଜ ଜିଲ୍ଲା ନୂଆଗାଁର ଚାଷୀ ଦୀପକ ମହାପାତ୍ରଙ୍କ ଜମିରେ କୁଆଡ଼େ ଶହ ଶହ ଆମ୍ବ ଓ କଦଳୀ ଗଛ ଲାଗିଥିଲା। ହେଲେ ଏଠି କିନ୍ତୁ ଗଛର ନାଁ ଗନ୍ଧ ନାହିଁ। ଏଭଳି ଭାବେ ନୂଆଗାଁର ୧୬ ଜଣ ଚାଷୀଙ୍କ ୧୧ ଏକର ଜମିରେ ଆମ୍ବ ଓ କଦଳୀ ଚାରା ରୋପଣ ହୋଇଥିଲା। କିନ୍ତୁ ଜମି ଚାରିପଟେ ବାଡ଼ ଦେବାକୁ ସରକାର ଟଙ୍କାଟିଏ ବି ଦେଲେ ନାହିଁ। କି ଗଛରେ ପାଣି ଦେବାକୁ ଆସିଥିବା ଅର୍ଥ ବି ମିଳିଲାନି। ତେଣୁ ଗଛ ବଞ୍ଚି ନ ପାରିବାରୁ ଜମି ଏବେ ପଡ଼ିଆ ପଡ଼ିଛି।

ସେହିଭଳି ଜିଲ୍ଲାର ନିଶ୍ଚିନ୍ତା ଗାଁର ମଧ୍ୟ ସମାନ ଅବସ୍ଥା। ଏଠି ବି ୨ ବର୍ଷ ତଳେ ୨୦ ଲକ୍ଷ ଖର୍ଚ୍ଚରେ ଆମ୍ବ ଗଛ ଲାଗିଥିଲା ବୋଲି କହୁଛନ୍ତି। ହେଲେ ଏଠି ଗଛର ଚିହ୍ନବର୍ଣ୍ଣ ନାହିଁ। କେବଳ ସେତିକି ନୁହେଁ, ଏମଏନ୍ଆରଜିଏସ୍‌ରେ ଶ୍ରମିକଙ୍କୁ ନିଯୁକ୍ତ କରି ଗଛ ଲଗାଯାଇଥିଲେ ବି ମଜୁରୀ ମିଳି ନଥିବା ଅଭିଯୋଗ ହୋଇଛି।

ଖାଲି ଜମିରେ ନୁହେଁ, କାଗଜପତ୍ରରେ ବି କଳାକାରନାମା ଦେଖାଇଛନ୍ତି ସରକାରୀ ବାବୁ। ମଷ୍ଟର୍‌ରୋଲ୍‌ରେ ନକଲି ଶ୍ରମିକଙ୍କର ଲମ୍ବା ତାଲିକା କରି କୋଟି କୋଟି ଟଙ୍କା ହରଣଚାଲ୍ କରାଯାଇଛି।

ବାରିପଦା ଉପ-ନିର୍ଦ୍ଦେଶକଙ୍କୁ ବଡ଼ସାହି ସହକାରୀ ଉଦ୍ୟାନକୃଷି ନିର୍ଦ୍ଦେଶକ ଦେଇଥିବା ଏହି ଚିଠି ହିଁ ମହାଦୁର୍ନୀତିର ଷଡ଼ଯନ୍ତ୍ରକୁ ପ୍ରମାଣିତ କରୁଛି। ଏହାର ଖଳନାୟକ ହେଉଛନ୍ତି ବଡ଼ସାହିର ନିଲମ୍ବିତ ଡାଟା ଏଣ୍ଟ୍ରି ଅପରେଟର୍ ଜୟକୃଷ୍ଣ ଲେଙ୍କା। ସେହିପରି ଡାଟା ଏଣ୍ଟ୍ରି ଅପରେଟର୍‌ କାଦମ୍ବିନୀ ଶତପଥୀ ମଧ୍ୟ କୃଷିଉଦ୍ୟାନ ଉପନିର୍ଦ୍ଦେଶକଙ୍କ ଦସ୍ତଖତକୁ ନକଲ କରି ଟଙ୍କା ହେରଫେର କରିଛନ୍ତି।

ଏହା ବ୍ୟତୀତ ଆଉ ଏକ ସାଘାଂତିକ ତଥ୍ୟ ହେଉଛି, ସରକାରୀ କର୍ମଚାରୀମାନେ ବାଡ଼ ଓ ପାଣି ମଡ଼ାଇବା ପାଇଁ ନିଜକୁ ଭେଣ୍ଡର୍‌ ସଜାଇ ଲକ୍ଷ ଲକ୍ଷ ଟଙ୍କା ହରଣଚାଲ୍ କରିଛନ୍ତି। ଆଉ ସମଗ୍ର ଦୁର୍ନୀତିର ସୂତ୍ରଧର ହେଉଛନ୍ତି ମୟୁରଭଞ୍ଜର ତତ୍କାଳୀନ କୃଷି ଉଦ୍ୟାନ ବିଭାଗର ସହକାରୀ ଉପନିର୍ଦ୍ଦେଶକ ଧରଣୀଧର ପାତ୍ର। ତେବେ ଏ ନେଇ ସେ ମୁହଁ ଖୋଲିବାକୁ ନାରାଜ।

ଏମଏନ୍ଆର୍‌ଜିଏସ୍‌ ତଥ୍ୟ କହୁଛି, ଗତ ୩ ବର୍ଷରେ ୩୦ ଜିଲ୍ଲାକୁ ୫ଶହ ୮୫ କୋଟି ୭୪ ଲକ୍ଷ ଟଙ୍କା କେବଳ ଗଛ ଚାରା ଲଗାଇବାକୁ ଦିଆଯାଇଛି। କିନ୍ତୁ ଫଳ ଶୂନ। ସବୁଠି ଚାଷୀଙ୍କୁ ମୋହରା ବନାଇ ସରକାରୀ ବାବୁ ମାଲେମାଲ୍ ହୋଇଗଲେ। ଆଉ ରାଜ୍ୟ ସରକାର ନିଦାବିଷ୍ଣୁ ସାଜିଛନ୍ତି।

 

You might also like