ଧାରା ଶ୍ରାବଣରେ ମୌସୁମୀ ଉଭାନ: ଡହ ଡହ ଖରାରେ ଜଳି ଯାଉଛି ତଳି ଓ ଗଜା ଧାନ

ଭୁବନେଶ୍ୱର: ଓଡ଼ିଶାକୁ ମୌସୁମୀ ଛୁଇଁବା ପରେ ଚାଷୀ ଯେତିକି ଖୁସି ଥିଲା, ତାଠୁ ଅଧିକ ଚିନ୍ତା ବଢ଼ିଯାଇଛି ଶୁଖିଲା କ୍ଷେତକୁ ଦେଖି। କାରଣ ଆଷାଢ଼ ଯାଇ ଶ୍ରାବଣ ଆସିଥିଲେ ବି ଆବଶ୍ୟକ ପରିମାଣର ବର୍ଷା ନାହିଁ। ଫଳରେ କେଉଁଠି ଜମି ଫାଟି ଆଁ କରିଛି ତ ଆଉ କେଉଁଠି ତଳି ମରିବାକୁ ବସିଲାଣି।

ଉତ୍କଟ ହୋଇ ପଡ଼ିଲାଣି ଜଳସଙ୍କଟ ସମସ୍ୟା। ଭଦ୍ରକ ବ୍ଲକରେ ଗତ ମାସରେ ସ୍ୱଳ୍ପ ବର୍ଷା ସତ୍ତ୍ୱେ ଚାଷ କାମ ଆରମ୍ଭ କରିଥିଲେ ଅଞ୍ଚଳର ଚାଷୀ। କିନ୍ତୁ ଗତ କିଛି ଦିନ ହେଲା ବର୍ଷା ଅଭାବରୁ କେଉଁଠି ଜମି ଫାଟି ଆଁ କରିଛି ତ ଆଉ କେଉଁଠି ଧାନ ତଳିଗୁଡ଼ିକ ହଳଦିଆ ପଡ଼ିଗଲାଣି।

ଭଦ୍ରକ ଜିଲ୍ଲାର ଅନୁପାଳ, ବିଷ୍ଣୁପୁର ଓ କୋରକରା ପଞ୍ଚାୟତରେ ସ୍ଥିତି ଉତ୍କଟ ହୋଇପଡ଼ିଛିା ପରିଣାମ ସ୍ୱରୂପ ଧାରକରଜ କରି ଚାଷବାସ ଆରମ୍ଭ କରିଥିବା ଚାଷୀଙ୍କ କ୍ଷେତରେ ଏବେ ଗାଈ-ଗୋରୁ ଚରିବା ଆରମ୍ଭ କଲେଣି।

ସେହିପରି ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ସମ୍ବଲପୁରରେ ମଧ୍ୟ ବର୍ଷାର ମରୁଡ଼ି। ଜିଲ୍ଲାର କୁଚିଣ୍ଡା ଅଞ୍ଚଳରେ ଗତ ୧୫ ଦିନ ହେଲା ବର୍ଷା ଅଭାବରୁ ରୁଆ ବେଉଷଣ ତ ଦୂରର କଥା ତଳିଗୁଡ଼ିକ ଶୁଖିବାକୁ ବସିଲାଣି। ଜମି ଫାଟି ଆଁ କଲାଣି। କେବଳ କୁଚିଣ୍ଡା ନୁହେଁ, ସମ୍ବଲପୁର ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ଯଦି ଦିନେ ଦୁଇଦିନ ମଧ୍ୟରେ ବର୍ଷା ନହୁଏ, ତେବେ ସ୍ଥିତି ସଂଗୀନ ହେବା ଆଶଙ୍କା କରାଯାଉଛି

ସେହିପରି ବର୍ଷା ଅଭାବରୁ ଜଗତସିଂପୁର ଜିଲ୍ଲାରେ ବି ସ୍ଥିତି ସଂଗୀନ ରହିଛି। ତେବେ ଏଠି ସ୍ୱଳ୍ପବୃଷ୍ଟିପାତ ଯେତିକି ଦାଉ ସାଧୁଛି ତାଠୁ ବଳି ଯାଇଛି ଜଳସେଚନ ବ୍ୟବସ୍ଥା। କାରଣ ପୋଲ ନିର୍ମାଣ ପାଇଁ ମାଛଗାଁ କେନାଲ୍‌ରେ ପାଣି ଛାଡ଼ୁନି ଜଳସେଚନ ବିଭାଗ। ଫଳରେ ତଳମୁଣ୍ଡରେ ଥିବା ରଘୁନାଥପୁର ବ୍ଲକ ଅଞ୍ଚଳରେ ଉଜୁଡ଼ିବାକୁ ବସିଲାଣି ଚାଷ।

ସ୍ୱଳ୍ପ ବର୍ଷା ଜନିତ ସମ୍ଭାବ୍ୟ ମରୁଡ଼ି ସ୍ଥିତି ପ୍ରସଙ୍ଗରେ ଶନିବାର ବିଧାନସଭାରେ ବିବୃତି ରଖିଥିଲେ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି। ଜୁନ ୧ରୁ ଜୁଲାଇ ୧୯ ମଧ୍ୟରେ ସ୍ୱାଭାବିକ ଠାରୁ ୨୬.୩ ପ୍ରତିଶତ କମ୍ ବର୍ଷା ହୋଇଛିା ୨୧ଟି ଜିଲ୍ଲାରେ ବୃଷ୍ଟିପାତର ପରିମାଣ କମ୍ ଥିବା ସୂଚନା ଦେଇଥିଲେ ମନ୍ତ୍ରୀ। ଆଗାମୀ ଦିନରେ ଆବଶ୍ୟକ ପରିମାଣର ବର୍ଷା ନହେଲେ ଆପାତକାଳୀନ କୃଷି ଯୋଜନା ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

You might also like