‘ଶ୍ରୀଜଗନ୍ନାଥ ମନ୍ଦିର କୌଣସି କାରଖାନା ନୁହେଁ’: ଶଙ୍କରାଚାର୍ଯ୍ୟ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର କୌଣସି କାରଖାନା ନୁହେଁ। ବଂଶଗତ ସେବା ପରମ୍ପରା ରକ୍ଷା ହେବା ଆବଶ୍ୟକ। ସେବା ପରମ୍ପରା ବ୍ୟବସ୍ଥିତ ଢଙ୍ଗରେ ହେବା ଉଚିତ୍। ଗତକାଲି ପୁରୀ ଗୋବର୍ଦ୍ଧନ ମଠରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏଭଳି ମନ୍ତବ୍ୟ ରଖିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ।

ଏହାସହ କହିଛନ୍ତି ଯେ ଜଗନ୍ନାଥ ମନ୍ଦିର ଗାନ୍ଧିଜୀଙ୍କ ସମାଧିର ରୂପ ଧାରଣ ନକରୁ। ସେବାୟତଙ୍କୁ ଆର୍ଥିକ ବିପନ୍ନତାରୁ ରକ୍ଷା କଥା ଚିନ୍ତା କରାଯାଉ। ସେବାୟତଙ୍କ ଲାଗି ଶିକ୍ଷା ସଂସ୍କାର ପ୍ରକଳ୍ପ କଥା ଚିନ୍ତା କରାଯାଉ। ନ୍ୟାୟାଧୀଶଙ୍କ ନିକଟରେ ବଂଶଗତ ସେବାର ସାରା ତଥ୍ୟ ଉପସ୍ଥାପନର ଆବଶ୍ୟକତା ରହିଛି ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି।

ବୈଠକ ଶେଷରେ ପ୍ରତିକ୍ରିୟା ଦେଇ ଗଜପତି ମହାରାଜ ଦିବ୍ୟସିଂହ ଦେବ କହିଛନ୍ତି ଯେ, ସମସ୍ୟାର ସମାଧାନ ଲାଗି ସବୁ ସେବାୟତ ଏକଜୁଟ ହେବା ଆବଶ୍ୟକ। ବୈଠକରେ ଏକ ଲିଗାଲ୍‌ ସେଲ୍ ଗଠନର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଗଜପତି। ଆଇନ ସଂପର୍କିତ ଜ୍ଞାନ ଥିବା ଅଭିଜ୍ଞ ସେବାୟତଙ୍କୁ ନେଇ ସେଲ୍ ଗଠନ ହେଉ ବୋଲି ସେ ମତ ରଖିଛନ୍ତି। ଅନୁଷ୍ଠିତ ଏହି ବୈଠକରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସମେତ ବହୁ ବରିଷ୍ଠ ସେବାୟତ ଏବଂ ଛତିଶା ନିଯୋଗ ପ୍ରତିନିଧି ଯୋଗଦେଇଥିଲେ।

You might also like