ଧାନମଣ୍ଡି ଅବ୍ୟବସ୍ଥା ନେଇ ବୈଠକରେ ହଟ୍ଟଗୋଳ ଯୋଗୁ ଅଧାରୁ ଉଠି ଆସିଲେ ସାଂସଦ ସଂଗୀତା ସିଂହଦେଓ

ବଲାଙ୍ଗୀର: ଧାନମଣ୍ଡି ଅବ୍ୟବସ୍ଥା ନେଇ ଜିଲ୍ଲା ପରିଷଦ ବୈଠକରେ ହଟ୍ଟଗୋଳ ହେବାରୁ ବୈଠକ ଅଧାରୁ ଉଠି ଆସିଲେ ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓ। ବଲାଙ୍ଗିର ଜିଲ୍ଲା ପରିଷଦ ବୈଠକରେ ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ବୈଠକ ବସିଥିଲା। ଏଥିରେ ବଲାଙ୍ଗିର ସାଂସଦ ସଂଗୀତା ସିଂଦେଓଙ୍କ ସହ ପାଟଣାଗଡ଼ ବିଧାୟକ ସରୋଜ ମେହେର, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ,ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ସହ ଅନ୍ୟ ପ୍ରମୁଖ ଅଧିକାରୀ ଯୋଗ ଦେଇଥିଲେ। ବୈଠକରେ ଆଲୋଚନା ଚାଲିଥିବାବେଳେ ମଣ୍ଡି ଅବ୍ୟବସ୍ଥାକୁ ନେଇ ହଟ୍ଟଗୋଳ ହୋଇଥିଲା।

ମଣ୍ଡିରୁ ଧାନ ନଉଠିବା, ଚାଷୀଙ୍କୁ ଠିକ ସମୟରେ ଟୋକନ ନମିଳିବା, କଟନୀ ଛଟନି ସହ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ଆଲୋଚନା ହୋଇଥିଲା। ହେଲେ ମଣ୍ଡିରେ ଅବ୍ୟବସ୍ଥାକୁ ନେଇ ଆଲୋଚନା ଚାଲିଥିବା ବେଳେ ବୈଠକରୁ ଉଠି ଆସିଥିଲେ ସାଂସଦ ସଙ୍ଗୀତା କୁମାରୀ ସିଂଦେଓ। ତେବେ ଜିଲ୍ଲାପାଳ ବୁଝାସୁଝା କରିବା ପରେ ସାଂସଦ ପୁଣିଥରେ ବୈଠକରେ ଯୋଗ ଦେଇଥିଲେ। ମଣ୍ଡିରେ ଚାଷୀଙ୍କୁ ଶୋଷଣ ଅଭିଯୋଗ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସାଂସଦ।

ଏନେଇ ସେ କହିଥିଲେ “ଅନେକ ଜିଲ୍ଲାରେ ଚାଷୀ ଅନୁକୂଳ ସ୍ଥିତି ନାହିଁ। ସାରା ରାଜ୍ୟରେ ଏମିତି ସ୍ଥିତି ରହିଛି। ଚାଷୀ ଯେତିକି ଧାନ ଅମଳ କରୁଛି ତାହା ଗଣତି କରିବା ଦରକାର। ରାଜ୍ୟ ସରକାର ତାହା କରିବା ନିହାତି ଆବଶ୍ୟକ। କଟନୀ ଛଟନୀ ନାଁରେ ଯେମିତି ଦୁର୍ନୀତି ଚାଲିଛି। କିଛି ଟ୍ରାନ୍ସପେରନ୍ସି ନାହିଁ। ଏହାର କାରଣ ଦର୍ଶାଇବା କଥା” କିନ୍ତୁ ସରକାରା ତାହା କରୁନାହାନ୍ତି ବୋଲି ସଂଗୀତା କହିଛନ୍ତି।

ତେବେ ଏ ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିବା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି। ସମସ୍ୟାର ସମାଧାନ ନେଇ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା ସେ ସୂଚନା ଦେଇଛନ୍ତି ମନ୍ତ୍ରୀ।

ଏନେଇ ସେ କହିଛନ୍ତି “ ଟୋକନ ବ୍ୟବସ୍ଥା କରାଯାଇଛି, କିଛି ଟୋକନ ଆସିଛି ଆଉ କିଛି ଟୋକନା ପାଇଁ ଦାବି କରାଯାଇଛି। ଗଲାଥର ଟୋକନ ଅପେକ୍ଷା ଏଥର ଟୋକନ ଅଧିକ ଆସିଛି। କିନ୍ତୁ ଉତ୍ପାଦ ତୁଳନାରେ ଅନେକ ସ୍ଥାନରେ ଧାନ ରହିଯାଇଛି। ତେବେ ଏହାର ସମାଧାନ ପାଇଁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।”

ଅନ୍ୟପଟେ ବରଗଡ଼ରୁ ଆସିଛି ମଣ୍ଡି ଅବ୍ୟବସ୍ଥାର ଖବର। ଜିଲ୍ଲାର ଗୋଟିଏ ପରେ ଗୋଟିଏ ସ୍ଥାନରୁ ଆଛି ମଣ୍ଡିରେ ଧାନ ପଡ଼ିଥିବାର ଅଭିଯୋଗ। ଏନେଇ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନି। ବରଗଡ଼ ଜିଲ୍ଲା ପଦ୍ମପୁର ନିୟନ୍ତ୍ରୀତ ବଜାର କମିଟି ଅଧିନରେ ଥିବା ସରକଣ୍ଡା ମାର୍କେଟ ୟାର୍ଡରେ ମଧ୍ୟ ସମାନ ଅଭିଯୋଗ ହୋଇଛି। ମିଲର୍ସ ଆସୁନଥିବାରୁ ପ୍ରାୟ ୩୦ ହଜାର ଧାନ ବସ୍ତା ମାର୍କେଟ ୟାର୍ଡରେ ପଡ଼ିରହିଛି।

ସେପଟେ ଧାନ ବିକ୍ରି ହେଉନଥିବା ବେଳେ ଚାଷୀଙ୍କ ଟୋକେନ ସମୟ ସୀମା ଶେଷ ହେବାକୁ ବସିଛି।  ଏଭଳି ସ୍ଥିତିରେ ରାଜରାସ୍ତାକୁ ଓହ୍ଲାଇବାକୁ ଚାଷୀମାନେ ଚେତାବନୀ ଦେଇଛନ୍ତି।

 

You might also like